ଗାନ୍ଧୀଙ୍କ ବିଚାର ଧାରା ତାଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ବେଶ୍ ପ୍ରାସଙ୍ଗିକତା ରହିଛି
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୭୩ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପାମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ଶାନ୍ତିର ମନ୍ତ୍ର ସମଗ୍ର ବିଶ୍ବର ଭବିଷ୍ୟତର ମନ୍ତ୍ର। ଗାନ୍ଧୀଙ୍କ ବିଚାର ଧାରା ତାଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ବେଶ୍ ପ୍ରାସଙ୍ଗିକତା ରହିଛି। ଆଜିର ଯୁବପିିଢ଼ି ଗାନ୍ଧୀଙ୍କ ବିଚାରଧାରାକୁ ଆପଣେଇ ନେବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କୁଳପତି ଆହ୍ବାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସିଡିସି ନିର୍ଦେଶକ ଚଣ୍ଡିଚରଣ ରଥ, ଜ୍ୟୋତିର୍ମୟୀ ଆଚାର୍ଯ୍ୟ, ଶିକ୍ଷା ସିଂ, ତମାଳ ପଟ୍ଟନାୟକ, ନବନୀତ କାଉର, ଅଲିଭା ମହାନ୍ତି, ସୁଦାମ ସାହୁ, ଶକ୍ତିକାନ୍ତ ରଥ, ରେବତୀକାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନେ ତୁ’ ଗାନ କରାଯାଇଥିଲା। ଲୋକ ସମ୍ପର୍କ ଅଧିକାରୀ ଡ.ମାନସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।