ନାରୀ ଶିକ୍ଷା ଦ୍ୱାରା ଭବିଷ୍ୟତ ପିଢ଼ିର ବିକାଶ ହୁଏ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ସଂଘର ସାଧାରଣ ପରିଷଦ ବୈଠକ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ସଂଘର ସାଧାରଣ ପରିଷଦ ବୈଠକ ଆଜି ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ କୁଳପତି ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଥିଲେ ଯେ ନାରୀ ଶିକ୍ଷା ଦ୍ୱାରା ଭବିଷ୍ୟତ ପିଢ଼ିର ବିକାଶ ହୁଏ। ଜନ୍ମମାଟି ଓ ଶିକ୍ଷାନୁଷ୍ଠାନ ବ୍ୟକ୍ତି ପାଇଁ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାର ନାରୀ ଶିକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରୁଛନ୍ତି ଓ ଏଥିପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସୃଷ୍ଟି ହୋଇଛି। ମା ରମୋଦେବୀଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରୀମାନେ, ବିଶେଷ କରି ପୁରାତନ ଛାତ୍ରୀମାନେ ଏହି ବିଶ୍ୱବିଦ୍ୟାଳୟକୁ ଦେଶରେ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବେ ନିର୍ମାଣ କରିପାରିବେ। ଏଠାକାର ଛାତ୍ରୀମାନେ କେବଳ ଦେଶରେ ନୁହେଁ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦିତା କରିବାକୁ ସକ୍ଷମ ହେବା ଆବଶ୍ୟକ ବୋଲି ସେ କହିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଛାତ୍ରୀମାନଙ୍କୁ ଜୀବନରେ ସଫଳ ହେବା ସହ ଭଲ ନାଗରିକ ହେବାକୁ ଆହ୍ୱାନ ଦେଇଥିଲେ । ଆଜି ପୁରାତନ ଛାତ୍ରୀମାନେ ଅନେକ ସଫଳତା ପାଇଲେଣି ଓ ଏହି ଅନୁଷ୍ଠାନର ଛାତ୍ରୀ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ପାଇଛନ୍ତି । ଏହା ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଥିଲେ।
କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ତାଙ୍କ ଅଭିଭାଷଣରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଆହୁରି ଆଗକୁ ନେବାରେ ପୁରାତନ ଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। କୁଳସଚିବ ଶ୍ୟାମଳୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ପୁରାତନ ଛାତ୍ରୀ ସଂଘର ଉପସଭାପତି ସୁଦୀପା ରାୟ, ପ୍ରଫେସର ମଧୁସ୍ମିତା ପତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପୁରାତନ ଛାତ୍ରୀ ତଥା କ୍ରୀଡ଼ାବିତ୍‌ ଶ୍ରାବଣୀ ନନ୍ଦ ଓ ଭାଲିନା ଭାଲେଣ୍ଟିନାଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରୀ ସଂଘର ପୁରାତନ ସଭାପତି ଇପ୍‌ସିତା ସାହୁ ଓ ଅନ୍ୟ ଛାତ୍ରୀମାନେ ସଭା ପରିଚାଳନା କରିଥିଲେ। ପୁରାତନ ଛାତ୍ରୀ ସଂଘ ‘ମୋ କଲେଜ’ ଅଭିଯାନକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପିକା ସ୍ନେହଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.