ଫରେନ୍‌ ସର୍ଭିସ୍‌ ନିଯୁକ୍ତି ପ୍ରତ୍ୟାହାର, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଜୟପୁର ବଦଳି

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ.ବ୍ରଜ କିଶୋରଙ୍କୁ ବଦଳି କରାଯାଇଛି। ଏଠାରେ ରାଜ୍ୟ ସରକାରଙ୍କ ଫରେନ୍‌ ସର୍ଭିସ୍‌ ନିୟମ ଅନୁଯାୟୀ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଡ.ବ୍ରଜ କିଶୋରଙ୍କ ଫରେନ୍‌ ସର୍ଭିସ୍‌ ନିଯୁକ୍ତିକୁ ପ୍ରତ୍ୟାହାର କରି ନିଆଯାଇଛି। ଜୟପୁର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟରେ ଖାଲିଥିବା ପଦବୀ ଇଂରାଜୀ ବିଷୟରେ ସହକାରୀ ପ୍ରଫେସରରେ ତାଙ୍କୁ ଅବସ୍ଥାପିତ କରାଯାଇଛି। କୁଳାଧିପତିଙ୍କ ନିର୍ଦେଶକ୍ରମେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।


ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଏହା ସହିତ ଅନୁବନ୍ଧିତ ରାଜ୍ୟର ୪୮ଟି ମହିଳା ମହାବିଦ୍ୟାଳୟଗୁଡିକର ୟୁଜି, ପିଜି ଓ ବିଏଡ୍‌ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ପରୀକ୍ଷା ନିୟନ୍ତ୍ରକ ଟପ୍ପର ତାଲିକା ପ୍ରକାଶିତ ନକରିବା ଘଟଣାରେ ବିଶ୍ବବିଦ୍ୟାଳୟ ଛାତ୍ରୀମାନଙ୍କ ସମେତ ରାଜ୍ୟର ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଥିଲା। ପରୀକ୍ଷା ନିୟନ୍ତ୍ରକଙ୍କ ବିବାଦୀୟ ମନ୍ତବ୍ୟ ଘଟଣାକୁ ନିନ୍ଦା କରିବା ସହିତ ବିଶ୍ୱବିଦ୍ୟାଳୟ ତାଙ୍କର ଖାମଖିଆଲି ମନୋଭାବ ଫଳରେ ଛାତ୍ରୀମାନଙ୍କ କ୍ୟାରିୟର ଓ ଭବିଷ୍ୟତ ପ୍ରଭାବିତ ହେଉଥିବା ଅଭିଯୋଗ କରାଯାଇଥିଲା।

Comments are closed.