‘ସମାଜ’ ପ୍ରଭାବ: ଚାଲିଛି ଆର୍‌.ଡି ରାସ୍ତାର ମରାମତି

ରେଙ୍ଗାଲି: ରେଙ୍ଗାଲି ବ୍ଲକର କିନାଲୋଇ, ରେଙ୍ଗଲୋଇ ଏବଂ ଲଇଡା ଗ୍ରାମପଞ୍ଚାୟତ ଅଞ୍ଚଳରୁ ସମ୍ବଲପୁର ରେଙ୍ଗାଲି ଆଦି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ଯାତାୟତ ପାଇଁ ପୁରୁଣାରାଞ୍ଚି ରୋଡର ଜୁନାଡିହି ଛକରୁ କିନାଲୋଇ, ଚଟିଗୁଡା, ଘଣ୍ଟମାଲ, ମରାପତ୍ରା, ଖୁଣ୍ଟୁଲାମାଲ, ରେଙ୍ଗଲୋଇ ଗ୍ରାମ ଦେଇ ଲଇଡାକୁ ସଂଯୋଗ କରୁଥିବା ଗ୍ରାମ୍ୟ ବିଭାଜନ ବିଭାଗ ଅଧିନସ୍ଥ ରାସ୍ତା ନିର୍ମାଣ ହେବାର ବର୍ଷେ ନହେଉଣୁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା। କେତେକ ସ୍ଥାନରେ ରାସ୍ତା ଦବିଯାଇ ପିଚୁ ମଧ୍ୟ ଉଠି ଯାଇଥିଲା। ଏ ସଂକ୍ରାନ୍ତରେ ଦୈନିକ ‘ସମାଜ’ରେ ଏପ୍ରିଲ ୪ ତାରିଖ ଦିନ ‘ନିର୍ମାଣ ହେବାର ବର୍ଷେ ନହେଉଣୁ ଫାଟ’ ଶୀର୍ଷକ ଏକ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶନ ପରେ ଗ୍ରାମ୍ୟ ବିଭାଜନ ବିଭାଗ ତତ୍ପରତା ପ୍ରକାଶ କରି ଗତ କିଛିଦିନ ହେଲା ରାସ୍ତା ମରାମତି କାମ ଜୋର୍ ସୋରରେ ଚଳାଇଥିବା ଦେଖିବାକୁ ମିଳିଛି। ଇତି ମଧ୍ୟରେ ଜୁନାଡିହି ଛକରୁ ଆରମ୍ଭ ହୋଇଥିବା ମରାମତି କାମ ରେଙ୍ଗଲୋଇ ଗ୍ରାମ୍ୟ ଜଙ୍ଗଳ ପାଖ ଟାଙ୍ଗର ଯୋର୍ ପର୍ଯ୍ୟନ୍ତ ସମ୍ପନ୍ନ ହୋଇଥିବା ବେଳେ ଆହୁରି ପ୍ରାୟ ଦୁଇ କିଲୋମିଟର ରାସ୍ତା ମରାମତି ବାକି ଅଛି। ‘ସମାଜ’ ର ଏହି ପ୍ରୟାସ ସଚେତନ ମହଲରେ ପ୍ରଶଂସିତ ହେଉଛି।

Comments are closed.