ଆର୍‌ଡି ରାସ୍ତାର ଗୁମର କଥା… ନ କହିଲେ କୂଳ ଭାସି ଯାଉଛି

ରେଙ୍ଗାଲିକ୍ୟାମ୍ପ : ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲାର ଅତାବିରା କୃଷି ପ୍ରଧାନ ଅଞ୍ଚଳ ଭାବେ ବେଶ ପରିଚିତ। ୨୪ଟି ପଞ୍ଚାୟତ ଓ ୧୨ଟି ୱାର୍ଡ ବିଶିଷ୍ଟ ଏନଏସିକୁ ନେଇ ଏହା ଗଠିତ। ଅଞ୍ଚଳର ଲୋକଙ୍କ ଗମନାଗମନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ। ହେଲେ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ତଥା ଆନ୍ତରିକତା ଅଭାବ ଓ ଠିକାଦାର ପୋଷା ନୀତି ଯୋଗୁଁ କାମ ନିମ୍ନମାନର ହେଉଛି। ଅଞ୍ଚଳରେ କେଉଁଠି ରାତି ଅଧିଆ କାମ ହେଉଛି ତ ଆଉ କେଉଁଠି ଆବଶ୍ୟକ ସ୍ଥଳେ ଖାଲଖମା ରାସ୍ତାକୁ ତିଆରି ନକରି ରାସ୍ତା ଉପରେ ରାସ୍ତା କାମ ହେଉଛି। ତାହା ପୁଣି ବିନା ଫଳକରେ। ଏନେଇ ଆର୍‌ଡି ଏକ୍‌ଜିକ୍ୟୁଟିଭଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଥିଲେ ଯେଉଁଥିରେ ଏପ୍ରୁଭ୍‌ ଥିବ ସେଇଥିରେ ଫଳକ ଲାଗିବ । ନହେଲେ କିଛି ଆବଶ୍ୟକ ନାହିଁ। ଏତିକି କହି ଟିକେ ବ୍ୟସ୍ତ ଅଛି କହି ସେ ଫୋନ କାଟି ଦେଇଥିଲେ। ତାଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା। ତେବେ ଏପ୍ରୁଭ୍ ନଥିଲେ ଫଳକ ଲାଗିବ ନାହିଁ ବୁଝି ହେଉଛି, ହେଲେ ଲୁଚି ଲୁଚି ରାତି ଅଧିଆ ସାପ ବେଙ୍ଗ ପୋତି ରାସ୍ତା ଉପରେ ରାସ୍ତା କାମ କେଉଁ ରହସ୍ୟକୁ ନେଇ କରା ହେଉଛି ତାହା ବୁଝି ହେଉନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି। ଯେଉଁ କାମ କି ଜନ ପ୍ରତିନିଧିଙ୍କୁ ମଧ୍ୟ ଜଣା ରହୁନି।

ଏହି ଅତାବିରା ଏନଏସି ଅଞ୍ଚଳର ରାଜରାସ୍ତାକୁ ମୁଖ୍ୟତଃ ୪ଟି ଆର୍‌ଡି ରାସ୍ତା ଛୁଇଁଛି। ଯେଉଁ ରାସ୍ତାମାନଙ୍କରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଆଖି ଦୃଶିଆ କାର୍ଯ୍ୟ ନହୋଇ ରାସ୍ତାଗୁଡିକ ଜୀବନ ନେବା ଅପେକ୍ଷାରେ ରହିଛି। ଯାହା ଆମେ କହୁନାହୁଁ ସେଇ ରାସ୍ତାମାନଙ୍କ ଦୃଶ୍ୟରୁ ଜଣାପଡୁଛି। ରେଙ୍ଗାଲି କେମ୍ପ ଛକରୁ ଟାଙ୍ଗର ପାଲି କେନାଲ ରାସ୍ତା ଖାଲଖମା ସହ କେନାଲ ପାଣି ଖାଇ ବେଳେ ବେଳେ ବଡ ବଡ ଘାଇ ସୃଷ୍ଟି ହେଉଛି। ଯଦ୍ୱାରା ଯିବା ଆସିବା ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ। ସେହିପରି ରେଙ୍ଗାଲିକେମ୍ପରୁ ଥୁଆପାଲି କେନାଲ ଆର୍‌ଡି ରାସ୍ତା ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ସ୍ଥାନରେ କଂକ୍ରିଟ ସହ ମାଟି ଦି ମୁଠା ପକାଇ ଠିକାଦାର ପୋଷା ନୀତିରେ କାର୍ୟ୍ୟ କରାଯାଇଥିବା ଲୋକେ କହୁଛନ୍ତି। ଯାହା ଏବେବି ବିପଦ ମୁଖା ସାଜିଛି। ଅତାବିରା ବସଷ୍ଟାଣ୍ଡ ଛକରୁ ଝିଲିମିଣ୍ଡା ଆର୍‌ଡି ରାସ୍ତାଟି ଏବେ ବି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏହା ସହ ଏହି ରାସ୍ତାରେ ଆବାହମାନ କାଳରୁ ଦୁଇଟି ପୋଲ ରହିଛି, ଯାହା ପୁରୁଣା ହେବା ସହ ବ୍ରିଜ ଗୁଡିକ ଖାଲୁଆ ହେବାରୁ ସାମାନ୍ୟ ବର୍ଷା ହେଲେ ଦିନଦିନ ଧରି ଲୋକଙ୍କ ଯିବା ଆସିବା ଠପ୍ ହୋଇଯାଏ।

ସେମିତି ଆଉ ଏକ ଆର୍‌ଡି ରାସ୍ତା ଅତାବିରା ଟେଲିଫୋନ ଏକ୍ସଚେଞ୍ଜ ଛକରୁ ପାହାଡ଼ଶ୍ରୀଗିଡା ରାସ୍ତା। ଏହି ରାସ୍ତାରେ ଆର୍‌ଡି ବିଭାଗ ଅନଭିଜ୍ଞ ଠିକାଦାରମାନଙ୍କୁ ଲଗାଇ କେତେବେଳେ ଅଳିଆ ଆବର୍ଜନା ତ ଆଉ କେତେବେଳେ ଖବରକାଗଜ ବିଛାଇ ରାତି ଅଧିଆ କାମ କରି ଲୋକଙ୍କୁ ଭୁଆଁ ବୁଲାଇ ଏବେ ବି ମରଣ ଯନ୍ତା ଭାବରେ ପକାଇ ରଖିଛି। ଯାହା ଏହି ରାସ୍ତାରେ କିଛି ଅସାଧୁ ଅଧିକାରୀମାନଙ୍କ ପକେଟ ଗରମ ଓ ଠିକାଦାର ପୋଷା ନୀତିରେ କାର୍ଯ୍ୟ ହେଉଥିବାରୁ ରାସ୍ତାଟି ଯଥା ପୂର୍ବମ୍‌ ତଥା ପରମ୍ ଅବସ୍ଥାରେ ପଡିରହିଛି। କେବଳ ସେତିକି ସାମାନ୍ୟ ପିଚୁ କାମକୁ ନିଜ ମନ ଇଛା ପାଖାପାଖି ବର୍ଷଟିଏ ହେବ କରି ଆସୁଛି। ରାସ୍ତା ଖୋଳି ମାଟିଗୁଡିକ ରାସ୍ତାରେ ମାସ ମାସ ଧରି ପକାଇ ରଖୁଛି ଓ ଆବଶ୍ୟକ ସ୍ଥଳେ ରାସ୍ତା କଡରେ ମାଟି ମୁଠିଏ ବି ପଡ଼ିନାହିଁ। ଯଦ୍ୱାରା ଏହି ରାସ୍ତାରେ ଛୋଟ ମୋଟ ଦୁର୍ଘଟଣା ଘଟି ଜଣେ କଲେଜ ଛାତ୍ରୀଙ୍କ ହାଇୱା ଚାପରେ ମୃତ୍ୟୁ ଘଟିଥିଲା। ଏବେ ପୁଣି ନିମ୍ନ ମାନର ପିଚୁ କାମକୁ ବୋଧେ ଲୁଚାଇବା ପାଇଁ ପିଚୁ ଉପରେ ମାଟି ବିଛାଇ ଦିଆଯାଇଛି। ଯେଉଁ ରାସ୍ତାକି ଏବେ କଚ୍ଚା ରାସ୍ତା ନାଁ ପକ୍କା ରାସ୍ତା କହି ହେଉନାହିଁ। ଧୂଳିମୟ ରାସ୍ତାରେ ଲୋକେ ଯିବା ଆସିବା କରି ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ଅଞ୍ଚଳରେ ଆର୍ଡି ବିଭାଗ ଲୋକଙ୍କୁ ଠକିବା ଅନେକ ସ୍ଥାନରେ ବିନା ଫଳକରେ କାମ, ଅନେକ ସ୍ଥାନରେ ରାତି ଅଧିଆ କାମ, ଆଉ ଅନେକ ସ୍ଥାନରେ ରାସ୍ତା ଉପରେ ରାସ୍ତା କାମ କରି ନିଜର ମନମୁଖୀ କରି ଚାଲିଛି। ଅନେକ ସ୍ଥାନରେ ସାପ ବେଙ୍ଗ ପୋତି ଠିକାଦାରମାନଙ୍କ ସହ ସାଲିସ କରି ନିମ୍ନମାନର କାର୍ଯ୍ୟ କରି ୧୫ଦିନରୁ ଗୋଟିଏ ମାସ ମଧ୍ୟରେ ରାସ୍ତା ଓ ପୋଲ ଭୁଶୁଡି ଯାଇଥିବା ଅଭିଯୋଗ ମଧ୍ୟ ରହିଆସିଛି। କିପରି ଭାବରେ ସରକାର ତଥା ଜିଲ୍ଲା ପ୍ରଶାସନ ଆର୍‌ଡି ବିଭାଗ ଉପରେ ଉନ୍ନୟନମୂଳକ କାର୍ଯ୍ୟ ଦେଉଛି ବୋଲି ସାଧାରଣରେ ବେଶ ଚର୍ଚ୍ଚା ହେଉଛି। ଏହା ସହ ଜିଲ୍ଲା ପ୍ରଶାସନର ମଧ୍ୟ କିଛିଟା ସ୍ୱାର୍ଥ ରହୁଛି କି ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଛି। ତେବେ ଏଥିପ୍ରତି ତୁରନ୍ତ ସରକାର ଦୃଷ୍ଟି ଦେଇ ସମାଧାନର ବାଟ ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି।

Comments are closed.