ପାଡିକଲ ଓ ଡି’ଭିଲିଅର୍ସଙ୍କ ଅର୍ଦ୍ଧଶତକ : ହାଇଦରାବାଦକୁ ୧୦ ରନରେ ପରାସ୍ତ କଲା ଆରସିବି

ଦୁବାଇ : ଚଳିତ ଆଇପିଏଲ୍‍ର ୧୩ଶ ସଂସ୍କରଣର ୩ୟ ମ୍ୟାଚରେ ବିଜୟୀ ହୋଇଛି ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି)। ସୋମବାର ଖେଳା ଯାଇଥିବା ମ୍ୟାଚ୍‍ରେ ଆର୍‍ସିବି ୧୦ ରନ୍‍ରେ ପୂର୍ବତନ ଚମ୍ପିଆନ୍‍ ସନ୍‍ରାଇଜର୍ସ ହାଇଦରାବାଦକୁ ପରାସ୍ତ କରିଛି। ଆର୍‍ସିବିର ଓପ୍‍ନିଂ ବ୍ୟାଟ୍‍ସମ୍ୟାନ୍‍ ଦେବଦତ୍ତ ପାଡିକଲ ପଦାର୍ପଣରେ ଅର୍ଦ୍ଧଶତକ ମାରିବା ସହ ସୁପରଷ୍ଟାର ଏବି ଡି’ଭିଲିଅର୍ସ ବିସ୍ଫୋରକ ଅର୍ଦ୍ଧଶତକ ମାରିଥିଲେ। ଫଳରେ ପ୍ରଥମେ ବ୍ୟାଟିଂକରି ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫ ୱିକେଟ୍‍ରେ ୧୬୩ ରନ୍‍ କରି ପାରିଥିଲା। ପରେ ଜନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ସତ୍ତ୍ବେ ସନ୍‍ରାଇଜର୍ସ ଶେଷ ଆଡ଼କୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୯.୪ ଓଭରରେ ୧୫୩ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା।

ତେବେ ସୋମବାର ପ୍ରଥମେ ବ୍ୟାଟିଂକରି ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି) ୫ ୱିକେଟ୍‍ରେ ୧୬୩ ରନ୍‍ କରିଥିଲା। ଚଳିତ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣର ୩ୟ ମ୍ୟାଚରେ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଓପ୍‍ନିଂ ବ୍ୟାଟ୍‍ସମ୍ୟାନ୍‍ ଦେବଦତ୍ତ ପାଡିକଲ ପଦାର୍ପଣରେ ଅର୍ଦ୍ଧଶତକ ମାରିଛନ୍ତି। ପୁଣି ସୁପରଷ୍ଟାର ଏବି ଡି’ଭିଲିଅର୍ସ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ।
ଏହି ମ୍ୟାଚରେ ଟସ୍‍ ଜିତି ସନ୍‍ରାଇଜର୍ସ ହାଇଦରାବାଦ ଫିଲ୍‍ଡିଂର ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ଓପ୍‍ନର ଦେବଦତ୍ତ ପାଡିକଲ ଓ ଆରୋନ୍‍ ଫିଞ୍ଚ୍‍ ଚମତ୍କାର ବ୍ୟାଟିଂ କରିଥିଲେ। ଅବଶ୍ୟ ଆଇପିଏଲ୍‍ରେ ପଦାର୍ପଣ କରିଥିବା ଦେବଦତ୍ତ ପାଡିକଲଙ୍କ ଷ୍ଟ୍ରୋକ୍‍ ଖେଳିବା ଆଗରେ ଫିକା ପଡ଼ି ଯାଇଥିଲେ ଫିଞ୍ଚ୍‍। ତେବେ ୮ ଓଭର ପରେ ଲୟକୁ ଫେରିଥିଲେ ଅଷ୍ଟ୍ରେଲିଆର ସୀମିତ ଓଭର ଦଳର ଅଧିନାୟକ ଫିଞ୍ଚ୍‍। ୬ ଓଭରର ପାୱରପ୍ଲେରେ ଆର୍‍ସିବି ବିନା ୱିକେଟରେ ୫୩ ରନ୍‍କରି ବଡ଼ ସ୍କୋର୍‍ର ମୂଳଦୁଆ ପକାଇଥିଲା। ଗତବର୍ଷ ସୟଦ୍‍ ମୁସ୍ତାକ୍‍ ଅଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍‍ ସ୍କୋର୍‍ କରିଥିବା ଦେବଦତ୍ତ ପାଡିକଲ ତାଙ୍କ ନିର୍ଭୀକ ବ୍ୟାଟିଂ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ୨ ଥର ଜୀବନଦାନ ପାଇଥିବା କର୍ଣ୍ଣାଟକର ଓପ୍‍ନିଂ ବ୍ୟାଟ୍‍ସମ୍ୟାନ୍‍ ପାଡିକଲ ୪୬ ବଲ୍‍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ୯୦ ରନ୍‍ର ଓପ୍‍ନିଂ ଭାଗିଦାରୀ ପରେ ୧୧ଶ ଓଭରର ଶେଷ ବଲ୍‍ରେ ଆଉଟ ହୋଇଥିବା ପାଡିକଲ ୪୨ ବଲ୍‍ରୁ ୮ଟି ଚୌକା ସହ ୫୬ ରନ୍‍ କରିଥିଲେ। ପରବର୍ତ୍ତୀ ବଲ୍‍ରେ ଆରୋନ୍‍ ଫିଞ୍ଚ୍‍ ମଧ୍ୟ ଆଉଟ ହୋଇ ଯାଇଥିଲେ। ଫିଞ୍ଚ୍‍ ୨୭ ବଲ୍‍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୯ ରନ୍‍ କରିଥିଲେ। ପରେ କ୍ରିଜ୍‍ରେ ଏକାଠି ହୋଇଥିଲେ ଆର୍‍ସିବିର ଦୁଇ ସୁପର ହିରୋ ବିରାଟ କୋହଲି ଓ ଏବି ଡି’ଭିଲିଅର୍ସ। ଦୁହେଁ ୩୩ ରନ୍‍ ଯୋଡ଼ିବା ପରେ କୋହଲି ଆଉଟ ହୋଇଥିଲେ। ଅଧିନାୟକ କୋହଲି ୧୩ ବଲ୍‍ରୁ ୧୪ ରନ୍‍ କରିଥିଲେ। ଏହାପରେ ଡି’ଭିଲିଅର୍ସ ଏକା ଇନିଂସ ସମ୍ଭାଳିଥିଲେ। ବିସ୍ଫୋରକ ଇନିଂସ ଖେଳି ଡି’ଭିଲିଅର୍ସ ୨୯ ବଲ୍‍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଡି’ଭିଲିଅର୍ସ ୩୦ ବଲ୍‍ରୁ ୨ଟି ଛକା ଓ ୪ଟି ଚୌକା ସହ ୫୧ ରନ୍‍ କରିଥିଲେ।

୧୬୪ ରନ୍‍ ଲକ୍ଷ୍ୟରେ ସନ୍‍ରାଇଜର୍ସ ହାଇଦରାବାଦ ଇନିଂସ ଆରମ୍ଭ କରିବା ପରେ ୬ ରନ୍‍ କରିଥିବା ଅଧିନାୟକ ଡେଭିଡ୍‍ ୱାର୍ଣ୍ଣର ଦୁର୍ଭାଗ୍ୟଜନକ ଭାବେ ନନ୍‍ଷ୍ଟ୍ରାଇକର ପଟେ ରନ୍‍ଆଉଟ୍‍ ହୋଇଥିଲେ। ପରେ ଜନି ବେୟାରଷ୍ଟୋ ଓ ମନୀଷ ପାଣ୍ଡେ ଚମତ୍କାର ବ୍ୟାଟିଂ କରିଥିଲେ। ୨ୟ ୱିକେଟ ପାଇଁ ୭୧ ରନ୍‍ ଯୋଡ଼ିବା ପରେ ପାଣ୍ଡେ ଆଉଟ ହୋଇଥିଲେ। ପାଣ୍ଡେ ୩୩ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୪ ରନ୍‍ କରିଥିଲେ। ଶେଷ ୫ ଓଭରରୁ ୪୩ ରନ୍‍ ଆବଶ୍ୟକ ଥିବା ବେଳେ ବେୟାର୍‍ଷ୍ଟୋ ଆଉଟ ହୋଇ ଯାଇଥିଲେ। ଇଂଲଣ୍ଡର ଏହି ଓପ୍‍ନର ୪୩ ବଲ୍‍ରୁ ୨ଟି ଛକା ଓ ୬ଟି ଚୌକା ସହ ୬୧ ରନ୍‍ କରିଥିଲେ। ପରେ ସନ୍‍ରାଇଜର୍ସ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ୩୨ ରନରେ ସନ୍‍ରାଇଜର୍ସ ଶେଷ ୮ଟି ୱିକେଟ ହରାଇଥିଲା। ୟୁଜବେନ୍ଦ୍ର ଚହଲ ୩ଟି, ନବଦୀପ ସୈନି ଓ ଶିବମ୍‌ ଦୁବେ ୨ଟି ଲେଖାଏଁ ୱିକେଟ ପାଇଥିଲେ।

Comments are closed.