ଲକ୍ଷ୍ନୌକୁ ୩ ରନ୍‌ରେ ହରାଇଲା ରାଜସ୍ଥାନ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ରବିବାର ୨ୟ ମ୍ୟାଚ୍‌ରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‌ସ। ଶେଷଆଡ଼କୁ ରୋମାଞ୍ଚକର ହୋଇଥିବା ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ମାତ୍ର ୩ ରନ୍‌ରେ ରାଜସ୍ଥାନ ପରାସ୍ତ କରିଛି। ସିମ୍ରନ୍ ହେତ୍‌ମେୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ୬ ୱିକେଟରେ ୧୬୫ ରନ୍‌ କରିଥିଲା। ପରେ ମାର୍କସ ଷ୍ଟୋଇନିସ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ବେ ଲକ୍ଷ୍ନୌ ୮ ୱିକେଟ ହରାଇ ୧୬୨ ରନ୍‌ କରି ପାରିଥିଲା। ୪ର୍ଥ ମ୍ୟାଚ୍‌ରେ ୩ୟ ବିଜୟ ପରେ ରାଜସ୍ଥାନ ଶୀର୍ଷରେ ପହଞ୍ଚିଛି। ଲକ୍ଷ୍ନୌ ୫ମ ମ୍ୟାଚ୍‌ରେ ୨ୟ ପରାଜୟ ଭୋଗିଛି।
୧୬୬ ରନ୍‌ ଲକ୍ଷ୍ୟରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଆରମ୍ଭରୁ ବିପର୍ଯ୍ୟୟ ଭୋଗି ୧୪ ରନ୍‌ରେ ୩ଟି ୱିକେଟ ହରାଇଥିଲା। ଅଧିନାୟକ କେ.ଏଲ୍‌. ରାହୁଲ ଓ କେ. ଗୌତମ ଖାତା ଖୋଲି ପାରିନଥିଲେ। ଜେସନ୍ ହୋଲ୍‌ଡର ୮ ରନ୍‌ କରିଥିଲେ। କ୍ବିଣ୍ଟନ ଡି କକ୍ ଓ ଦୀପକ ହୁଡା ୪ର୍ଥ ୱିକେଟ ପାଇଁ ୩୮ ରନ୍‌ ଯୋଡ଼ିଥିଲେ। ହୁଡା ୨୪ ବଲ୍‌ରୁ ୨୫ ରନ୍‌ କରିଥିଲେ। ଆୟୁଷ ବଦୋନି ୫ ରନ୍‌ କରି ପାରିଥିଲେ। କ୍ବିଣ୍ଟନ ଡି କକ୍‌ ୧୬ ଓଭର କ୍ରିଜ୍‌ରେ ରହି ୩୨ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୯ ରନ୍‌କରି ଆଉଟ ହୋଇଥିଲେ। କ୍ରୁନାଲ ପାଣ୍ଡ୍ୟା ୧୫ ବଲ୍‌ରୁ ୨୨ ରନ୍‌ କରିଥିଲେ। ୩ ଓଭରରୁ ୪୯ ରନ୍‌ ଆବଶ୍ୟକ ଥିବା ବେଳେ ମାର୍କସ ଷ୍ଟଇନିସ୍‌ ସାହସିକ ବ୍ୟାଟିଂ କରିଥିଲେ ହେଁ ଦଳକୁ ଜିତାଇ ପାରିନଥିଲେ। ଶେଷ ଓଭରରୁ ୧୫ ରନ୍ ଆବଶ୍ୟକ ଥିବା ବେଳେ ୧୧ ରନ୍‌ ହୋଇଥିଲା। ଷ୍ଟଇନିସ୍‌ ୧୭ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୩୮ ରନ୍‌କରି ଅପରାଜିତ ଥିଲେ। ୟୁଜବେନ୍ଦ୍ର ଚହଲ ୪ଟି ଓ ଟ୍ରେଣ୍ଟ ବୋଲ୍‌ଟ ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଫିଲ୍‌ଡିଂ ନେବା ପରେ ରାଜସ୍ଥାନ ରୟାଲ୍‌ସ ଓପ୍‌ନିଂ ଯୋଡ଼ିରେ ୫ ଓଭରରେ ୪୨ ରନ୍‌ କରିଥିଲା। ଜୋସ୍‌ ବଟ୍‌ଲର ୧୧ ବଲ୍‌ରୁ ୧୩ ରନ୍‌କରି ଆଉଟ ହୋଇଥିଲେ। ଅଧିନାୟକ ସଞ୍ଜୁ ସାମ୍‌ସନ ୧୨ ବଲ୍‌ରୁ ୧୩ ରନ୍‌କରି ବିଦାୟ ନେଇଥିଲେ। ରାସି ଭାନ୍‌ ଡର ଡ୍ୟୁସେନ୍‌ ୪ ରନ୍‌ କରି ପାରିଥିଲେ। ଦେବଦତ୍ତ ପାଡିକଲ ୨୯ ବଲ୍‌ରୁ ୪ଟି ଚୌକା ସହ ୨୯ ରନ୍‌ କରିଥିଲେ। ୬୭ ରନ୍‌ରେ ୪ଟି ୱିକେଟ ପଡ଼ିବା ପରେ ସିମ୍ରନ୍ ହେତ୍‌ମେୟର ଓ ରବିଚନ୍ଦ୍ରନ ଅଶ୍ବିନ ମୂଲ୍ୟବାନ ୬୮ ରନ୍‌ ଯୋଡ଼ିଥିଲେ। ଅଶ୍ବିନ ୨୩ ବଲ୍‌ରୁ ୨ଟି ଛକା ସହ ୨୮ ରନ୍‌ କରିଥିଲେ। ୧୫ ଓଭରରେ ୯୨ ରନ୍‌ ହୋଇଥିବା ବେଳେ ଶେଷ ୫ ଓଭରରୁ ରାଜସ୍ଥାନ ୭୩ ରନ୍‌ ନେଇ ପାରିଥିଲା। ଏହା ସମ୍ଭବ ହୋଇଥିବା ହେତ୍‌ମେୟରଙ୍କ ବିସ୍ଫୋରକ ଇନିଂସ ଯୋଗୁଁ। ହେତ୍‌ମେୟର ୩୬ ବଲ୍‌ରୁ ୬ଟି ଛକା ଓ ଗୋଟିଏ ଚୌକା ସହ ୫୯ ରନ୍‌କରି ଅପରାଜିତ ଥିଲେ। ଜେସନ୍ ହୋଲ୍‌ଡର ଓ କେ. ଗୌତମ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.