ଆର୍‌ସିବି ପୁଣି ହାରିଲା : ମୁମ୍ବଇର ୫ମ ବିଜୟ

ମୁମ୍ବଇ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଚଳିତ ଆଇପିଏଲ୍‌ ପ୍ଲେଅଫ୍‌ରୁ ବାଦ୍‌ପଡ଼ିବା ଦ୍ବାରରେ ପହଞ୍ଚି ଯାଇଛି। ୮ମ ମ୍ୟାଚ୍‌ରେ ୭ମ ପରାଜୟ ପରେ ଆର୍‌ସିବି ଏପରି ସ୍ଥିତିରେ ପଡ଼ିଯାଇଛି। ସୋମବାର ଆର୍‌ସିବିକୁ ୫ ୱିକେଟରେ ମୁମ୍ବଇ ଇଣ୍ଡିଆନ୍‌ସ ପରାସ୍ତ କରିଛି। ମୋଇନ୍ ଅଲୀ ଓ ଏବି ଡି’ଭିଲିଅର୍ସଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୭ ୱିକେଟରେ ୧୭୧ ରନ୍ କରି ପାରିଥିଲା। କ୍ବିଣ୍ଟନ ଡି କକ୍‌ଙ୍କ ୪୦ ରନ୍ ପରେ ହାର୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଇନିଂସ ବଳରେ ୧୯ ଓଭରରେ ୫ ୱିକେଟ ହରାଇ ମୁମ୍ବଇ ଜିତିଥିଲା। ୮ମ ମ୍ୟାଚ୍‌ରେ ୫ମ ବିଜୟ ପରେ ମୁମ୍ବଇ ୩ୟ ସ୍ଥାନରେ ପହଞ୍ଚିଛି। ୬ଟି ମ୍ୟାଚ୍ ହାରିବା ପରେ ବିଜୟର ସ୍ବାଦ ଚାଖିଥିବା ଆର୍‌ସିବି ପୁଣି ପରାସ୍ତ ହୋଇଛି।
ବିସ୍ଫୋରକ ଢଙ୍ଗରେ ମୁମ୍ବଇ ଇଣ୍ଡିଆନ୍‌ସ ୧୭୨ ରନ୍‌ର ପିଛା ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ଓ କ୍ବିଣ୍ଟନ ଡି କକ୍ ନିୟମିତ ବାଉଣ୍ଡରୀ ମାରିବାରୁ ୬ ଓଭର ପାୱରପ୍ଲେ ଶେଷରେ ମୁମ୍ବଇ ୬୭ ରନ୍‌​‌େ​‌ର ପହଞ୍ଚି ପାରିଥିଲା। ୭୦ ଓଭରର ଓପ୍‌ନିଂ ଭାଗିଦାରୀ ପରେ ୮ମ ଓଭର ବୋଲିଂ କରିଥିବା ମୋଇନ୍ ଅଲୀ ଉଭୟ ଓପ୍‌ନରଙ୍କୁ ଆଉଟ କରି ଦେଇଥିଲେ। ରୋହିତ ୧୯ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୮ ରନ୍ କରିଥିଲେ। ବାମହାତି ଡି କକ୍ ୨୬ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୪୦ ରନ୍ କରିଥିଲେ। ଇଶାନ୍ କିଷନ୍ ୩ଟି ଛକା ମାରିଥିଲେ ହେଁ ୪ର୍ଥ ଛକା ମାରିବା ପ୍ରୟାସରେ ୱିକେଟ ଫିଙ୍ଗିଥିଲେ। ବାମହାତି କିଷନ୍ ୯ ବଲ୍‌ରୁ ୨୧ ରନ୍ କରିଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ଓ କ୍ରୁନାଲ ପାଣ୍ଡ୍ୟା ସ୍କୋର୍‌କୁ ଆଗେଇ ନେଇଥିଲେ। ଶେଷ ୫ ଓଭରରୁ ୪୫ ରନ୍ ଆବଶ୍ୟକ ଥିବା ବେଳେ ସୂର୍ଯ୍ୟକୁମାର ୨୩ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୯ ରନ୍‌କରି ଆଉଟ ହୋଇଥିଲେ। କ୍ରୁନାଲ ୨୧ ବଲ୍‌ରୁ ମାତ୍ର ୧୧ ରନ୍ କରିଥିଲେ। ୨ ଓଭରରୁ ୨୨ ରନ୍ ଆବଶ୍ୟକ ଥିବା ବେଳେ ହାର୍ଦିକ ପାଣ୍ଡ୍ୟା ୬ଟି ବଲ୍‌ରୁ ଏହା ହାସଲ କରି ନେଇଥିଲେ। ହାର୍ଦିକ ୧୬ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୩୭ ରନ୍‌କରି ଅପରାଜିତ ଥିଲେ। ୟୁଜବେନ୍ଦ୍ର ଚହଲ ଓ ମୋଇନ୍ ଅଲୀ ୨ଟି ଲେଖାଏଁ ୱିକେଟ ନେଇଥିଲେ। ମାଲିଙ୍ଗା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ମୁମ୍ବଇ ଇଣ୍ଡିଆନ୍‌ସ ଫିଲ୍‌ଡିଂ ନେବା ପରେ ଆର୍‌ସିବି ଅଧିନାୟକ ବିରାଟ କୋହଲି ଜଲ୍‌ଦି ଆଉଟ ହୋଇ ଯାଇଥିଲେ।​‌ କୋହଲି ୮ ରନ୍ କରିଥିଲେ। ପରେ ପାର୍ଥିବ ପଟେଲ ଓ ଏବି ଡି’ଭିଲିଅର୍ସ ୨ୟ ୱିକେଟ ପାଇଁ ୫ ଓଭରରେ ୩୭ ରନ୍ ଯୋଗ କରିଥିଲେ। ବାମହାତି ପାର୍ଥିବ ୨୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୮ ରନ୍ କରିଥିଲେ। ୩ୟ ୱିକେଟ ଆର୍‌ସିବି ପାଇଁ ଫଳପ୍ରସୂ ହୋଇଥିଲା। ଡି’ଭିଲିଅର୍ସ ଓ ମୋଇନ୍ ଅଲୀ ୧୦ ଓଭରରେ ୯୫ ରନ୍ ଯୋଗ କରିଥିଲେ। ବିସ୍ଫୋରକ ବ୍ୟାଟିଂ କରିଥିବା ବାମହାତି ମୋଇନ୍ ୩୨ ବଲ୍‌ରୁ ୫ଟି ଛକା ଓ ଗୋଟିଏ ଚୌକା ସହ ୫୦ ରନ୍ କରିଥିଲେ। ମାର୍କସ ଷ୍ଟୋଇନିସ୍ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ପରେ ଡି’ଭିଲିଅର୍ସ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ଶେଷ ଓଭରରେ ରନ୍‌ଆଉଟ ହୋଇଥିବା ଡି’ଭିଲିଅର୍ସ ୫୧ ବଲ୍‌ରୁ ୪ଟି ଛକା ଓ ୬ଟି ଚୌକା ସହ ୭୫ ରନ୍ କରିଥିଲେ। ପରବର୍ତ୍ତୀ ବଲ୍‌ରେ ଅକ୍ଷଦୀପ ନାଥ ୨ ରନ୍‌କରି ଆଉଟ ହୋଇଥିଲେ। ସ୍ବଦେଶରୁ ଫେରି ଏହି ମ୍ୟାଚ୍ ଖେଳିଥିବା ଲାସିଥ୍ ମାଲିଙ୍ଗା ୪ଟି ୱିକେଟ ପାଇଥିଲେ।

Comments are closed.