ଆଇପିଏଲରେ କରୋନା; ଆଜିର ବାଙ୍ଗାଲୋର-କଲକାତା ମ୍ୟାଚ ରଦ୍ଦ

ମୁମ୍ବଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୨୦୨୧ ସଂସ୍କରଣରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। କରୋନା ଯୋଗୁ ପ୍ରଥମ ଥର ଲାଗି ଏକ ମ୍ୟାଚ ବାତିଲ ହୋଇଛି। ୨ ଜଣ ଖେଳାଳି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କଲକାତା ନାଇଟ ରାଇଡର୍ସ (କେକେଆର) ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିଦିଆଯାଇଛି।

ସୂଚନା ଅନୁସାରେ କଲାକାତାର ୨ ଜଣ ଖେଳାଳି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଆଜିର ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ମ୍ୟାଚ ସନ୍ଧ୍ୟା ୭ଟା ୩୦ରେ ଆୟୋଜିତ ହେବାର ଥିଲା। ଏହା ଚଳିତ ଆଇପିଏଲ ସଂସ୍କରଣର ୩୦ ତମ ମ୍ୟାଚ।

କରୋନା ସଂକ୍ରମଣ କାଳରେ ବିସିସିଆଇ ଶକ୍ତିଶାଳୀ ‘ବାୟୋ-ବବଲ’ ଜରିଆରେ ସଫଳତାର ସହିତ ମ୍ୟାଚ ଆୟୋଜନ କରୁଥିବା କହିଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା ୨୯ଟି ମ୍ୟାଚ ସଫଳତାର ସହିତ ଶେଷ ହୋଇଥିଲା। ଚେନ୍ନାଇ-ମୁମ୍ବଇରେ ସମସ୍ତ ମ୍ୟାଚ ଖେଳାଯାଇଥିଲେ। କିନ୍ତୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିଦିଆଯାଇଛି।

ସୂଚନାଯୋଗ୍ୟ, କିଛି ସପ୍ତାହ ହେଲାଣି ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହୁଛି। ୩ ହଜାରରୁ ଅଧିକ ରୋଗୀ ପ୍ରାଣ ହରାଉଛନ୍ତି। କରୋନାକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ଆଇପିଏଲ ମ୍ୟାଚ ଆୟୋଜନ କରାଯାଉଛି।

Comments are closed.