ପାଟିଦାରଙ୍କ ଶତକ ; କ୍ବାଲିଫାୟର-୨ରେ ଆର୍‌ସିବି

କଲକାତା : ଚଳିତ ଆଇପିଏଲ୍‌ର କ୍ବାଲିଫାୟର-୨ରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ବୁଧବାର ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୧୪ ରନ୍‌ରେ ଆର୍‌ସିବି ପରାସ୍ତ କରିଛି। ରଜତ ପାଟିଦାରଙ୍କ ଅପରାଜିତ ଶତକ ଓ ଦିନେଶ କାର୍ତ୍ତିକଙ୍କ ଅପରାଜିତ ୩୭ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୪ ୱିକେଟରେ ୨୦୭ ରନ୍‌ କରିଥିଲା। ପରେ କେ.ଏଲ୍‌. ରାହୁଲଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ବେ ଲକ୍ଷ୍ନୌ ୬ ୱିକେଟ ହରାଇ ୧୯୩ ରନ୍‌ କରି ପାରିଥିଲା। ଶୁକ୍ରବାର ଅହମ୍ମଦାବାଦରେ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ କ୍ବାଲିଫାୟର-୨ ଖେଳିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ନବାଗତ ଦଳ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ।
ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ୨୦୮ ରନ୍‌ର ପିଛା କରିଥିବା ବେଳେ ପ୍ରଥମ ଓଭରରେ ଗୋଟିଏ ଛକାମାରି କ୍ବିଣ୍ଟନ୍ ଡି କକ୍ ବିଦାୟ ନେଇଥିଲେ। ମନନ ବୋହ୍‌ରା ୧୯ ରନ୍‌କରି ଆଉଟ୍‌ ନେଇଥିଲେ। ପରେ ଅଧିନାୟକ କେ.ଏଲ୍‌. ରାହୁଲ ଓ ଦୀପକ ହୁଡା ଚମତ୍କାର ବାଟିଂକରି ୩ୟ ୱିକେଟ ପାଇଁ ୧୦ ଓଭରରେ ୯୬ ରନ୍‌ ଯୋଡ଼ିଥିଲେ। ହୁଡା ବିସ୍ଫୋରକ ବ୍ୟାଟିଂକରି ୨୬ ବଲ୍‌ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୪୫ ରନ୍‌ କରିଥିଲେ। ଶେଷ ୪ ଓଭରରୁ ୫୫ ରନ୍‌ ଆବଶ୍ୟକ ଥିଲା। ମାର୍କସ ଷ୍ଟୋଇନିସ ୯ ରନ୍‌ କରିଥିଲେ। ୧୯ ଓଭରରେ ରାହୁଲ ଆଉଟ୍‌ ହେବା ସହ ଲକ୍ଷ୍ନୌର ବିଜୟ ଆଶା ମଧ୍ୟ ମଉଳି ଯାଇଥିଲା। ଚଳିତ ସଂସ୍କରଣରେ ୬୦୦ ରନ୍‌ ଅତିକ୍ରମ କରିଥିବା ରାହୁଲ ୫୮ ବଲ୍‌ରୁ ୫ଟି ଛକା ଓ ୩ଟି ଚୌକା ସହ ୭୯ ରନ୍‌ କରିଥିଲେ। ଜୋସ୍ ହାଜେଲ୍‌ଉଡ୍‌ ୩ଟି ୱିକେଟ ନେଇଥିଲେ।
ଟସ୍ ଜିତି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଫିଲ୍‌ଡିଂ ନେବା ପରେ ରୟାଲ ଚ୍ୟାଲେଞ୍ଜର୍ସର ଅଧିନାୟକ ଫାଫ୍ ଡୁ ପ୍ଲେସି ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ବିରାଟ କୋହଲି ଓ ରଜତ ପାଟିଦାର ୬୬ ରନ୍‌ ଯୋଡ଼ିଥିଲେ। କୋହଲି ୨୪ ବଲ୍‌ରୁ ୨ଟି ଚୌକା ସହ ୨୫ ରନ୍‌କରି ବିଦାୟ ନେଇଥିଲେ। ପରେ ଗ୍ଲେନ୍‌ ମ୍ୟାକ୍ସୱେଲ ମାତ୍ର ୯ ରନ୍‌ କରି ଆଉଟ୍‌ ହୋଇଥିଲେ। ୩ ତାରକାଙ୍କୁ ହରାଇ ଆର୍‌ସିବି ଚିନ୍ତାରେ ଥିବା ବେଳେ ଦଳ ପାଇଁ ତାରକା ସାଜିଥିଲେ ରଜତ ପାଟିଦାର। ମହିପାଳ ଲୋମରରଙ୍କ ସହ ପାଟିଦାର ୨୯ ରନ୍‌ ଯୋଡ଼ିଥିଲେ। ଲୋମରର ୯ ବଲ୍‌ରୁ ୨ଟି ଚୌକା ସହ ୧୪ ରନ୍‌ କରିଥିଲେ। ୧୧୫ ରନ୍‌ରେ ୪ଟି ୱିକେଟ ପଡ଼ିଥିଲା। ଚମତ୍କାର ଢଙ୍ଗରେ ପାଟିଦାର ଲକ୍ଷ୍ନୌର ବୋଲରଙ୍କ ଉପରେ ଆକ୍ରମଣ କରିଥିଲେ। ମଧ୍ୟପ୍ରଦେଶର ପାଟିଦାର ୨୯ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ୪୯ ବଲ୍‌ରୁ ଶତକ ହାସଲ କରିଥିଲେ। ଚମତ୍କାର ଫର୍ମରେ ଥିବା ଦିନେଶ କାର୍ତ୍ତିକ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଫଳରେ ୧୫ ଓଭରରେ ୧୨୩ ରନ୍‌ କରିଥିବା ଆର୍‌ସିବି ଶେଷ ୫ ଓଭରରୁ ୮୪ ରନ୍‌ ନେଇ ପାରିଥିଲା। ୧୬ଶ ଓଭରରେ ରବି ବିଷ୍ଣୋଇଙ୍କ ୫ଟି ବଲ୍‌ରୁ ୨୬ ରନ୍‌ ନେଇଥିଲେ ପାଟିଦାର। ଅବିଭାଜିତ ୫ମ ୱିକେଟ ପାଇଁ ପାଟିଦାର ଓ କାର୍ତ୍ତିକ ଶେଷ ୭ ଓଭରରୁ ୯୨ ରନ୍‌ ଯୋଡ଼ିଥିଲେ। କାର୍ତ୍ତିକ ୨୩ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୭ ରନ୍‌କରି ଅପରାଜିତ ଥିଲେ। ସନ୍ ମାର୍ଶ (୨୦୦୮), ମନୀଷ ପାଣ୍ଡେ (୨୦୦୯), ପଲ୍‌ ବାଲ୍‌ଥାଟି (୨୦୧୧) ଓ ଦେବଦତ୍ତ ପାଡିକଲ (୨୦୨୧)ଙ୍କ ପରେ ୫ମ ଅଣଆନ୍ତର୍ଜାତିକ କ୍ରିକେଟର ଭାବେ ପାଟିଦାର ଆଇପିଏଲ୍‌ ଶତକ ହାସଲ କରିଥିଲେ। ରଜତ ପାଟିଦାର ୫୪ ବଲ୍‌ରୁ ୭ଟି ଛକା ଓ ୧୨ଟି ଚୌକା ସହ ୧୧୨ ରନ୍‌କରି ଅପରାଜିତ ଥିଲେ। ଏହା ଚଳିତ ଆଇପିଏଲ୍‌ର ୭ମ ଶତକ ଥିବା ବେଳେ ୪ର୍ଥ ବ୍ୟାଟ୍‌ସମ୍ୟାନ ଭାବେ ପାଟିଦାର ଶତକ ଅର୍ଜନ କରିଛନ୍ତି।

Comments are closed.