ଫର୍ମକୁ ଫେରିଲେ ବିରାଟ ; ପ୍ଲେଅଫ୍‌ ଦୌଡ଼ରେ ଆର୍‌ସିବି

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ୨ୟ ଅର୍ଦ୍ଧଶତକ ହାସଲ କରିଛନ୍ତି ବିରାଟ କୋହଲି । ତାଙ୍କର ଏହି ଇନିଂସ ବଳରେ ଗୁଜରାଟ ଟାଇଟାନ୍‌ସକୁ ଗୁରୁବାର ୮ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରାସ୍ତକରି ପ୍ଲେଅଫ୍ ଦୌଡ଼ରେ ରହିଛି। ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଗୁଜରାଟ ଟାଇଟାନ୍‌ସ ୫ ୱିକେଟରେ ୧୬୮ ରନ୍‌ କରିଥିଲା। ପରେ ବିରାଟଙ୍କ ଅର୍ଦ୍ଧଶତକ ଓ ଫାଫ୍ ଡୁ ପ୍ଲେସିଙ୍କ ଉପଯୋଗୀ ଇନିଂସ ବଳରେ ୮ଟି ବଲ୍‌ ବାକିଥାଇ ୨ ୱିକେଟ ହରାଇ ଆର୍‌ସିବି ଜିତିଥିଲା। ପୂର୍ବରୁ ପ୍ରଥମ ସ୍ଥାନରେ ରହି କ୍ବାଲିଫାୟର ଖେଳିବା ନିଶ୍ଚିତ କରିଥିବା ଗୁଜରାଟ ୧୪ଶ ମ୍ୟାଚ୍‌ରେ ୪ର୍ଥ ପରାଜୟ ଭୋଗିଛି। ଆର୍‌ସିବି ୧୪ଶ ମ୍ୟାଚ୍‌ରେ ୮ମ ବିଜୟ ପରେ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।
୧୬୯ ରନ୍‌ ଲକ୍ଷ୍ୟରେ ଆର୍‌ସିବିର ଅଧିନାୟକ ଫାଫ୍ ଡୁ ପ୍ଲେସି ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରିଥିଲେ। ଦୁହେଁ ଓଭର ପିଛା ୯ ରନ୍‌ ଗତିରେ ସ୍କୋର୍ କରିଥିଲେ। ୩୩ ବଲ୍‌ରେ କୋହଲି ଶେଷ ଲିଗ୍‌ ମ୍ୟାଚ୍‌ରେ ୨ୟ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୧୫ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ଡୁ ପ୍ଲେସି ଆଉ୍‌ଟ ହୋଇଥିଲେ। ଡୁ ପ୍ଲେସି ୩୮ ବଲ୍‌ରୁ ୫ଟି ଚୌକା ସହ ୪୪ ରନ୍‌ କରିଥିଲେ। ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ପ୍ରଥମ ବଲ୍‌ ଖେଳିଥିବା ବେଳେ ରସିଦ୍‌ ଖାଁଙ୍କ ବଲ୍‌ ଷ୍ଟମ୍ପ୍‌ରେ ବାଜିଥିଲେ ହେଁ ବେଲ୍‌ସ ନ ପଡ଼ିବାରୁ ସେ ବଞ୍ଚି ଯାଇଥିଲେ। ପରେ ମ୍ୟାକ୍ସୱେଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଫର୍ମକୁ ଫେରିଥିବା କୋହଲି ୫୪ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୭୩ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ମ୍ୟାକ୍ସୱେଲ୍‌ ଓ ଦିନେଶ କାର୍ତ୍ତିକ ଦଳକୁ ଜିତାଇଥିଲେ। ମ୍ୟାକ୍ସୱେଲ ବିଧ୍ବଂସୀ ବ୍ୟାଟିଂକରି ମାତ୍ର ୧୮ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୪୦ ଏବଂ କାର୍ତ୍ତିକ ୨ ରନ୍‌କରି ଅପରାଜିତ ଥିଲେ।
ଟସ୍ ଜିତି ଗୁଜରାଟ ଟାଇଟାନ୍‌ସ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଦର୍ଶନୀୟ କ୍ୟାଚ୍‌ରେ ଶୁବ୍‌ମାନ ଗିଲ୍‌ (୧) ଆଉଟ୍‌ ହୋଇଥିଲେ। ପରେ ମାଥ୍ୟୁ ୱେଡ୍‌ ୧୩ ବଲ୍‌ରେ ଗୋଟିଏ ଗୋଟିଏ ଛକା ଓ ୨ଟି ଚୌକା ୧୬ ରନ୍‌ କରିଥିଲେ। ଓପ୍‌ନର ଋଦ୍ଧିମାନ ଶାହା ୨୨ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୧ ରନ୍‌ କରିଥିଲେ। ୬୨ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ୪ର୍ଥ ୱିକେଟ ପାଇଁ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଓ ଡେଭିଡ୍‌ ମିଲର ୮ ଓଭରରୁ ୬୧ ରନ୍‌ ଯୋଡ଼ିଥିଲେ। ବାମହାତି ମିଲର ୨୫ ବଲ୍‌ରୁ ୩ଟି ଛକା ସହ ୩୪ ରନ୍‌ କରିଥିଲେ। ରାହୁଲ ତିୱତିଆ ୨ ରନ୍‌ କରିଥିଲେ। ପରେ ହାର୍ଦିକ ପାଣ୍ଡ୍ୟା ଓ ରସିଦ୍ ଖାଁ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୧୫ ବଲ୍‌ରୁ ୩୬ ରନ୍‌ ଯୋଡ଼ିଥିଲେ। ରସିଦ୍‌ ମାତ୍ର ୬ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୯ ରନ୍‌କରି ଅପରାଜିତ ଥିଲେ। ହାର୍ଦିକ ୪୭ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୬୨ ରନ୍‌କରି ଅପରାଜିତ ଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ହାର୍ଦିକଙ୍କ ୪ର୍ଥ ଅର୍ଦ୍ଧଶତକ। ଜୋସ୍ ହାଜେଲ୍‌ଉଡ୍‌ ୨ଟି ୱିକେଟ ନେଇଥିଲେ।

Comments are closed.