ରିଜର୍ଭ ବ୍ୟାଙ୍କର ନିୟନ୍ତ୍ରଣକୁ ଆସିବ ଦେଶର ସମସ୍ତ ସମବାୟ ବ୍ୟାଙ୍କ : ପ୍ରକାଶ ଜାବଡେକର

ନୂଆଦିଲ୍ଲୀ: ବୁଧବାର ମୋଦୀ ସରକାର ସମବାୟ ବ୍ୟାଙ୍କକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ସମବାୟ ବ୍ୟାଙ୍କ ଗୁଡିକୁ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟକୁ ଆଣିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ବୁଧବାର କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ ଏ ସମ୍ବନ୍ଧରେ ସୂଚନା ଦେଇ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି, ଏହା ସମବାୟ ବ୍ୟାଙ୍କଗୁଡିକର କାର୍ୟ୍ୟ ଶୈଳୀରେ ଅଧିକ ସ୍ୱଚ୍ଛତା ଓ ଉତ୍ତରଦାୟୀତା ଆଣିପାରିବ । ସେ କହିଛନ୍ତି, ଅନ୍ୟ ବ୍ୟବସାୟୀକ ବ୍ୟାଙ୍କ ଗୁଡ଼ିକ ଭଳି ସମବାୟ ବ୍ୟାଙ୍କ ଗୁଡ଼ିକ ପାଇଁ ମଧ୍ୟ ନୀତିନିୟମର ଆବଶ୍ୟକତା ରହିଛି । ଜାଭଡେକର କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ ଆଇ.ଆଇ.ଆଇ.ଟି. ଆଇନ୍ ସଂଶୋଧନ ବିଲ୍ ୨୦୨୦କୁ ଅନୁମୋଦନ କରିଛି । ସୁରତ, ଭୋପାଳ, ଭାଗଲପୁର, ଅଗରତାଲା ଓ ରାୟଚୁରରେ ଅବସ୍ଥିତ ୫ଟି ଆଇ.ଆଇ.ଆଇ.ଟି. ପ୍ରତିଷ୍ଠାନଗୁଡ଼ିକୁ ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଭାବେ ଘୋଷଣା କରାଯିବ । ଏଥିସହିତ ଜାତୀୟ ସ୍ତରୀୟ ଅନୁଷ୍ଠାନ ଭାବେ ଘୋଷିତ ଆଇ.ଆଇ.ଆଇ.ଟି. ଗୁଡ଼ିକର ସଂଖ୍ୟା ୨୫ରେ ପହଞ୍ଚିବ । ମହାରାଷ୍ଟ୍ରର ଦହନୁ ନିକଟସ୍ଥ ବଧୱାନଠାରେ ଏକ ବଡ଼ ବନ୍ଦର ନିର୍ମାଣକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ନୀତିଗତ ମଞ୍ଜୁରୀ ପ୍ରଦାନ କରିଛି । ଏହି ପ୍ରକଳ୍ପ ବାବଦରେ ୫୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

Comments are closed.