MEllora 950×100

ପହିଲାରୁ ଡିଜିଟାଲ ଟଙ୍କା ପ୍ରଚଳନ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ଡିସେମ୍ବର ପହିଲାରୁ ପରୀକ୍ଷାମୂଳକ ଭାବରେ ଡିଜିଟାଲ ଟଙ୍କା ପ୍ରଚଳନ କରିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଏହା ଦେଶର ମୁମ୍ବଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଓ ଭୁବନେଶ୍ୱର ଆଦି ଚାରିଟି ସହରରେ ପ୍ରଚଳନ କରାଯିବ। ଏଥିପାଇଁ ଭାରତୀ ରିଜର୍ଭ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ୟେଶ୍‍ ବ୍ୟାଙ୍କ ଏବଂ ଆଇଡିଏଫ୍‍ସି ଫାଷ୍ଟ ବ୍ୟାଙ୍କ ସହିତ ସହଭାଗିତା କରିଛି। ପ୍ରଥମେ ଏହା ବ୍ୟକ୍ତିବିଶେଷ ଏବଂ ବ୍ୟବସାୟୀଙ୍କୁ ନେଇ କିଛି ନିର୍ଦ୍ଦିଷ୍ଟ ବର୍ଗରେ ସୀମିତ ରହିବ। ଏହି ଇ-ରୂପି ବା ଡିଜିଟାଲ ଟଙ୍କା ଦେଶରେ ପ୍ରଚଳିତ କାଗଜ ନୋଟ୍‍ ମୂଲ୍ୟ ସହିତ ସମାନ ରହିବ। ଏହାକୁ ନିର୍ଦ୍ଧାରିତ ବ୍ୟାଙ୍କଗୁଡିକ ଗ୍ରାହକ ଓ ବ୍ୟବସାୟୀଙ୍କୁ ଯୋଗାଇବେ। ତାହାକୁ ମୋବାଇଲ ଫୋନ୍‍ ଅଥବା ତତ୍ତୁଲ୍ୟ ଉପକରଣରେ ଗଚ୍ଛିତ ରଖାଯାଇଥିବା ଡିଜିଟାଲ ୱାଲେଟ ସହାୟତାରେ କାରବାର କରାଯାଇପାରିବ। ବ୍ୟବହାରକାରୀ ବ୍ୟବସାୟ ପ୍ରତିଷ୍ଠାନରେ ପ୍ରଦର୍ଶିତ କ୍ୟୁ ଆର୍‍ କୋଡକୁ ବ୍ୟବହାର କରି ଏହି ଡିଜିଟାଲ ଟଙ୍କା ଜରିଆରେ ଦେଣନେଣ କରିପାରିବେ। କାଗଜ ନୋଟ୍‍ ଭଳି ଏହା ମଧ୍ୟ ବିଶ୍ୱସନୀୟ, ସୁରକ୍ଷିତ ଏବଂ କାରବାର ନିମନ୍ତେ ବୈଧ ବୋଲି ଆର୍‍ବିଆଇ ପକ୍ଷରୁ କୁହାଯାଇଛି। ସିଧାସଳଖ ଏହା ଉପରେ କୌଣସି ସୁଧ ମକ୍ଟମକ୍ଟବ ନାହିଁ, ତେବେ ଏହାକୁ ବ୍ୟାଙ୍କ ଜମାରେ ରୂପାନ୍ତରିତ କରାଯାଇପାରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ବ୍ୟବସ୍ଥାରେ ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ଏଚଡିଏଫ୍‍ସି ବ୍ୟାଙ୍କ ଏବଂ କୋଟକ ମହିନ୍ଦ୍ରା ବ୍ୟାଙ୍କକୁ ସାମିଲ କରାଯିବ। ତତ୍‍ସହିତ ଏହାକୁ ଅହମଦାବାଦ, ଗାଙ୍ଗଟକ, ହାଇଦରାବାଦ, ଇନ୍ଦୋର, କୋଚି, ଲକ୍ଷ୍ନୌ, ପାଟନା, ଶିମଳା ଆଦି ସହରକୁ ସମ୍ପ୍ରସାରିତ କରାଯିବ। ପରିଶେଷରେ ଏହା ଦେଶର ଅନ୍ୟାନ୍ୟ ଭାଗକୁ ପରିବ୍ୟାପ୍ତ ହେବ।

Comments are closed.