ମୁଦ୍ରାନୀତି ସମୀକ୍ଷା ବୈଠକ, ସୁଧହାର ଅପରିବର୍ତ୍ତିତ

- ରେପୋ ୪%, ରିଭର୍ସ ରେପୋ ୩.୫% - ସୁନା ମୂଲ୍ୟର ୯୦% ପର୍ଯ୍ୟନ୍ତ ଋଣ ମିଳିପାରିବ

ନୂଆଦିଲ୍ଲୀ: କମିଲାନି ରେପୋ କି ରିଭର୍ସ ରେପୋ। ସମସ୍ତ ଆକଳନ ଆଉ ଅନୁମାନ ଫେଲ ମାରିଛି। ବର୍ତ୍ତମାନର ଆର୍ଥିକ ପରିସ୍ଥିତିକୁ ଦେଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଚଳିତଥର ସୁଧହାର ସମୀକ୍ଷା ସମୟରେ ରେପୋ ଏବଂ ରିଭର୍ସ ରେପୋ ହାରରେ ହ୍ରାସ ଘଟାଇବ ବୋଲି ସମସ୍ତେ ଆକଳନ କରୁଥିଲେ। ହେଲେ ଏବେ ସେମିତି କିଛି ହୋଇନାହିଁ। ରିଜର୍ଭ ବ୍ୟାଙ୍କ ଏହାର ପ୍ରମୁଖ ସୁଧହାରକୁ ଅପରିବର୍ତ୍ତିତ ରଖିଛି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ମୁଦ୍ରାନୀତି କମିଟି (ଏମପିସି) ବୈଠକ ଆଜି ଶେଷ ହୋଇଛି।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତଥର କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାର ବା ପ୍ରମୁଖ ସୁଧହାରରେ କୌଣସି ହ୍ରାସ ନ ଘଟାଇ ସେଗୁଡିକୁ ଅପରିବର୍ତ୍ତିତ ରଖିଛି । ଏହା ଫଳରେ ରେପୋ ହାର ୪% ଏବଂ ରିଭର୍ସ ରେପୋ ୩.୫% ପୂର୍ବବତ ଅପରିବର୍ତ୍ତିତ ରହିଛି। ଶେଷ ଥର ପାଇଁ ଅନୁଷ୍ଠିତ ଏମପିସି ବୈଠକରେ ରେପୋ ଏବଂ ରିଭର୍ସ ରେପୋ ଉପରୋକ୍ତ ସ୍ତରରେ ରହିଥିଲା। ମେ’ ୨୨ରେ ଅନୁଷ୍ଠିତ ବୈଠକରେ ରିଜର୍ଭ ବ୍ୟାଙ୍କ ରେପୋ ଓ ରିଭର୍ସ ହାରରେ ୪୦ ବେସିସ ପଏଣ୍ଟ ହ୍ରାସ ଲେଖାଏଁ ହ୍ରାସ କରିଥିଲା। ଚଳିତବର୍ଷ ମାର୍ଚ୍ଚଠାରୁ ବର୍ତ୍ତମାନ ମଧ୍ୟରେ ଆରବିଆଇ ରେପୋ ହାରରେ ୧୧୫ ବେସିସ ପଏଣ୍ଟ ହ୍ରାସ ଘଟାଇଛି। ସେତେବେଳେ ବ୍ୟାଙ୍କ ସୁଧ ହାରକୁ ୪.୨୫%ରେ ରଖାଯାଇଥିଲା। ତେବେ ୨୦୧୯ ଫେବୃଆରୀଠାରୁ ରିଜର୍ଵ ବ୍ୟାଙ୍କ ରେପୋ ହାରରେ ଏ ପର୍ଯ୍ୟନ୍ତ ୨୫୦ ବେସିସ ପଏଣ୍ଟ ହ୍ରାସ କଲାଣି। ଅନ୍ୟପକ୍ଷରେ ୨୦୦୦ ପରଠାରୁ ରେପୋ ହାର ୪% ରହିବା ସବୁଠାରୁ ନ୍ୟୁନତମ। ଏହାଫଳରେ ଏଥର ରିଜର୍ଭ ବ୍ୟାଙ୍କ ଏଭଳି ନିଷ୍ପତ୍ତି ପରେ ଗ୍ରାହକଙ୍କୁ ଇଏମଆଇ ହେଉ କି ଗୃହ ଆଉ କାର ଋଣ ଉପରେ ସେମିତି କିଛି ରିଆତି ମିଳିନାହିଁ।

ଆହୁରି ମଧ୍ୟ ଚଳିତ ଥରର ଏହି ୨୪ତମ ଦ୍ୱିମାସିକ ବୈଠକରେ ରିଜର୍ଭ ବ୍ୟାଙ୍କ ନାବାର୍ଡ ଏବଂ ନ୍ୟାସନାଲ ହାଉସିଂ ବ୍ୟାଙ୍କ (ଏନଏଚବି) ପାଇଁ ଅତିରିକ୍ତ ସ୍ବତନ୍ତ୍ର ଲିକ୍ୟୁଡିଟି ସହାୟତା ବାବଦରେ ୫୦୦୦ କୋଟି ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଦେଶର କୃଷି କ୍ଷେତ୍ରକୁ ତ୍ୱରିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଏହାଛଡା ସୁନା ବନ୍ଧକ ରଖି ନିଆଯାଉଥିବା ଋଣ ସୀମାକୁ ବ୍ୟାଙ୍କ ବଢ଼ାଇ ଦେଇଛି। ପୂର୍ବରୁ ଏହା ୭୫% ରହିଥିବାବେଳେ ବର୍ତ୍ତମାନ ଏହାକୁ ୯୦% କରାଯାଇଛି। ଅର୍ଥାତ ପୂର୍ବରୁ ବନ୍ଧକ ସୁନା ଉପରେ ବ୍ୟାଙ୍କ ସୁନା ମୂଲ୍ୟର ୭୫% ଯାଏ ଋଣ ଦେଉଥିବାବେଳେ ଏବେ ୯୦% ପର୍ଯ୍ୟନ୍ତ ଋଣ ଦେବ। ଯଦିବା ବର୍ତ୍ତମାନ ଦ୍ଵିତୀୟ ତ୍ରୈମାସରେ ମୁଦ୍ରାସ୍ଫୀତି ଉପରକୁ ଉଠିଛି ତେବେ ତୃତୀୟ ତ୍ରୈମାସରେ ଏହା ନିମ୍ନଗାମୀ ହେବ ବୋଲି ବୈଠକରେ ଆଶାବ୍ୟକ୍ତ କରାଯାଇଛି। ସେହିଭଳି ବର୍ଷର ପ୍ରଥମାର୍ଦ୍ଧରେ ଦେଶର ଜିଡିପି ଅଭିବୃଦ୍ଧି ଖସିଥିବାବେଳେ ସମ୍ପୂର୍ଣ୍ଣ ବର୍ଷରେ ମଧ୍ୟ ଏଥିରେ ହ୍ରାସ ଅନୁମାନ କରାଯାଇଛି।

Comments are closed.