ରେପୋ ରେଟ୍‌ ୪%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ମୁଦ୍ରା ନୀତି କମିଟି(ଏମପିସି) ବୈଠକ ଶୁକ୍ରବାର ଶେଷ ହୋଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରେପୋ ରେଟ୍‌ ପୂର୍ବପରି ୪%ରେ ଅପରିବର୍ତ୍ତିତ ରହିଥିବା ଦାସ ସୂଚନା ଦେଇଛନ୍ତି। ସର୍ବସମ୍ମତିକ୍ରମେ ଏମପିସି ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

pic courtesy-livemint

ଦାସ କହିଛନ୍ତି, ରିଭର୍ସ ରେପୋ ରେଟ୍‌ ମଧ୍ୟ ୩.୩୫%ରେ ଅପରିବର୍ତ୍ତିତ ରହିଛି। ଏହା ସହିତ ବ୍ୟାଙ୍କ୍‌ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ୪.୨୫%ରେ ସ୍ଥିର ରହିଥିବାବେଳେ କ୍ୟାସ୍‌ ରିଜର୍ଭ ରେସିଓ ୩% ରହିଛି। ଏହାବ୍ୟତୀତ ଏସଏଲଆର ୧୮% ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି (ଏମଏସଏଫ) ହାର ୪.୨୫% ରହିଛି।

Image Courtesy: Financial Express

ଉଚ୍ଚ ସ୍ତରର ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ମୁଦ୍ରା ନୀତି କମିଟିର ସମସ୍ତ ସଦସ୍ୟ ନୀତି ହାରକୁ ଅପରିବର୍ତ୍ତିତ ରଖିବା ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି। ଶୀତ ଋତୁରେ ମୁଦ୍ରାସ୍ଫୀତି ହ୍ରାସ ପାଇବା ନେଇ ଆକଳନ ହୋଇଥିବାରୁ ଆରବିଆଇ ମୁଦ୍ରା ନୀତିରେ ଏକ ନରମ ଆଭିମୁଖ୍ୟ ବଜାୟ ରଖିଥିଲା। ଦାସ କହିଛନ୍ତି, ‘ଆମେ ନିଶ୍ଚିତ କରିବୁ ଯେ ଅର୍ଥନୀତିରେ ପର୍ଯ୍ୟାପ୍ତ ପରିମାଣର ନଗଦ ଉପଲବ୍ଧ ଅଛି। ଆବଶ୍ୟକ ସମୟରେ ଆମେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ।

ଆଗାମୀ ତ୍ରୈମାସ​ରେ ଦେଶର ଜିଡିପି ଅଭିବୃଦ୍ଧି ନକାରାତ୍ମକରୁ ସକାରାତ୍ମକ ହେବାର ଆଶା ରହିଛି। ଆର୍ଥିକ ପ୍ରଣାଳୀରେ ଆରବିଆଇ ଜମାକାରୀଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖିବାକୁ ପ୍ରତିବଦ୍ଧ। ଆଗାମୀ ୩ମାସ ପାଇଁ ଡିଜିପି ଅଭିବୃଦ୍ଧି ଆକଳନକୁ ଆରବିଆଇ ବୃଦ୍ଧି କରି ୦.୧୦ ପ୍ରତିଶତ କରିଛି। ୪ର୍ଥ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୦.୭୦ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି। ତେବେ ପୂରା ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାର ବିଯୁକ୍ତ(-)୭.୫ ପ୍ରତିଶତ ରହିପାରେ ବୋଲି ଦାସ କହିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ୟାକେଜ୍‌ କାରଣରୁ ସୁଧାର ଆସୁଛି ବୋଲି ସେ କହିଛନ୍ତି।

Comments are closed.