କଳାଧନ ଉପରେ ଅଙ୍କୁଶ ଲଗାଇବାକୁ ପ୍ରୟାସ, ଛପା ହେଉନି ୨୦୦୦ ଟଙ୍କିଆ ​‌ନୋଟ୍

୩ ବର୍ଷରେ ଜବତ ୫୦ ​କୋଟିର ଜାଲ ନୋଟ୍‌

ନୂଆଦିଲ୍ଲୀ : ବିମୁଦ୍ରାୟନ ପରେ କଳାଧନ ରୋକିବାକୁ ବିଭିନ୍ନ ଉପାୟରେ ଉଦ୍ୟମ କରାଯାଉଛି। ଭାରତରୁ ଗଳାବାଟ ଦେଇ ବିଦେଶକୁ କଳାଧନ ଯିବା ଏବଂ ସେପଟୁ ଏହା ବିଭିନ୍ନ ଜାଲ୍‌ କମ୍ପାନୀ ଜରିଆରେ ଭାରତରେ ନିବେଶ କରାଯାଉଥିବା ବାଟକୁ ବନ୍ଦ କରିବାକୁ କେନ୍ଦ୍ର ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଦେଶ ଭିତରେ କଳାଧନ ଠୁଳ ରୋକିବା ଲାଗି କେନ୍ଦ୍ର ସରକାର ଏକାଧିକ ଆୟକର ଓ ଇଡି ଚଢଉ ଜାରି ରଖିଛନ୍ତି। ଏହାବ୍ୟତୀତ କଳାଧନ ଠୁଳ ଲାଗି ବିଶେଷକରି ବଡ଼ ନୋଟ୍‌ ଗଚ୍ଛିତ କରାଯାଉଥିବା ନଜରକୁ ଆସିବା ପରେ ଏହା ଉପରେ ଅଙ୍କୁଶ ଲଗାଇବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରିଦେଇଛି। କାରଣ କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ବର୍ଷ ଗୋଟିଏ ବି ୨୦୦୦ ଟଙ୍କିଆ ନୋଟ୍ ମୁଦ୍ରଣ କରିନାହିଁ । କଳାଧନ ଓ ଜାଲ ନୋଟ ଲାଗୁ କରିବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ସୂଚନା ଅଧିକାରୀ ଆଇନ (ଆର୍‌ଟିଆଇ)ରେ ମଗାଯାଇଥିବା ତଥ୍ୟ ଆଧାରରେ ଏହି ସୂଚନା ମିଳିଛି। କଳାଧନ କ୍ଷେତ୍ରରେ ଦେଶରେ ଚାଲିଥିବା ଏକ ସମାନ୍ତରାଳ ଅର୍ଥନୀତି ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ୍ଷେତ୍ରରେ ସରକାର ଡିଜିଟାଲ କାରବାର ଉପରେ ଗୁରୁତ୍ବାରୋପ କରୁଛନ୍ତି।
ରିଜର୍ଭ ବ୍ୟାଙ୍କର ନୋଟ ମୁଦ୍ରଣକାରୀ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ୍‌ ଲିମିଟେଡ୍‌ (ବିଆର୍‌ବିଏନ୍‌ଏମ୍‌ପିଏଲ୍‌) ଚଳିତ ଆର୍ଥିକବର୍ଷରେ ଗୋଟିଏ ଖଣ୍ଡ ବି ୨ ହଜାର ଟଙ୍କିଆ ନୋଟ ଛାପାଇନାହିଁ । ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାର ବିମୁଦ୍ରାୟନ ଘୋଷଣା କରିବା ପରେ ୫୦୦ ଓ ଏକ ହଜାର ଟଙ୍କିଆ ନୋଟକୁ ଅଚଳ କରାଯାଇଥିଲା । ପ୍ରତି ବଦଳରେ ଆରମ୍ଭ ହୋଇଥିଲା ୨ ହଜାର ଟଙ୍କିଆ ନୋଟର ପ୍ରଚଳନ। ଆରଟିଆଇ ସୂଚନା ଅନୁସାରେ ୨୦୧୬-୧୭ ଆର୍ଥିକ ବର୍ଷରେ ୩ ,୫୪୨.୯୯୧ ନିୟୁତ ଦୁଇ ହଜାର ଟଙ୍କିଆ ନୋଟ ଛପାଯାଇଥିଲା।
୨୦୧୭-୧୮ରେ ଉଚ୍ଚ ମୂଲ୍ୟ ବିଶିଷ୍ଟ ବଡ ନୋଟ୍‌ ଛାପା ପରିମାଣ ୧୧୧.୫୦୭ ନିୟୁତକୁ ଖସିଆସିଛି । ୨୦୧୮-୧୯ରେ ଆର୍‌ବିଆଇ ମାତ୍ର ୪୬.୬୯୦ ନିୟୁତ ବଡ ନୋଟ୍ ମୁଦ୍ରଣ କରିଥିଲା । ୨୦୧୮ ମାର୍ଚ୍ଚ ସୁଦ୍ଧା ୩,୩୬୩ ନିୟୁତ ୨୦୦୦ ଟଙ୍କିଆ ​ନୋଟ୍ ବଜାରରେ ସର୍କୁ​ଲେସନ୍‌ରେ ରହିଛି । ତେବେ ଭାରତୀୟ ବଜାରରେ ଯେତିକି ନୋଟ୍‌ ସର୍କୁ​‌ଲେସନ୍‌ରେ ରହିଛି ଏହା ତା’ର ୩.୩% । ୨୦୧୯ ସୁଦ୍ଧା ଏହା ୩୨୯୧ ନିୟୁତକୁ ହ୍ରାସ ଘଟିଛି । ଧୀରେ ଧୀରେ ୨୦୦୦ ଟଙ୍କିଆ ​ନୋଟ୍ ଛାପା ହାର କମିବାରେ ଲାଗିଛି । ତେବେ ନିଜ ପରିଚୟ ଗୋପନ ରଖି ରିଜର୍ଭ ବ୍ୟାଙ୍କର ଜ​‌ଣେ ଅଧିକାରୀ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୦୦ ଟଙ୍କିଆ​‌​‌ ​ନୋଟ୍ ମୁଦ୍ରଣ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କଳା ଟଙ୍କା ଉପରେ ଅଙ୍କୁଶ ଲଗାଇବା ଏବଂ ଅଧିକ ମୂଲ୍ୟ ବିଶିଷ୍ଟ ବଡ ନୋଟ୍‌ ମହଜୁଦକୁ ରୋକିବା ଲାଗି ଏଭଳି ପ୍ରୟାସ କରାଯାଇଥିବା ଜଣାଯାଇଛି ।ସୂଚନା​‌ଯୋଗ୍ୟ ବିଗତ ୩ ବର୍ଷ ମଧ୍ୟରେ ୫୦ ​‌କୋଟିରୁ ଅଧିକ ଟଙ୍କାର ଜାଲ ନୋଟ୍‌ ଜବତ କରାଯାଇଛି ।ଏହାଛଡା ୨୦୧୭-୧୮ରେ ୧୭,୯୨୯ ଖଣ୍ଡ ୨୦୦୦ ଟଙ୍କିଆ ଜାଲ ନୋଟ ଜବତ କରାଯାଇଥିବାବେଳେ ୨୦୧୬-୧୭ରେ ୬୩୮ ଖଣ୍ଡ ୨୦୦୦ ଟଙ୍କିଆ ଜାଲ ନୋଟ ଜବତ କରାଯାଇଥିଲା ।

Comments are closed.