ଆର୍‌ବିଆଇ ବାର୍ଷିକ ରି​‌ପୋର୍ଟ : ୨୦୧୯-୨୦ରେ ଖଣ୍ଡିଏ ବି ଦୁଇହଜାର ଟଙ୍କିଆ ନୋଟ୍‌ ଛପାଯାଇନି

ମୁମ୍ବଇ : ବିଗତ କିଛି ବର୍ଷ ହେବ ଦେଶରେ ଦୁଇହଜାର ଟଙ୍କିଆ ନୋଟ୍‌ର ସର୍କୁଲେସନ୍‌ କମିବାରେ ଲାଗିଛି ​‌। ୨୦୧୯-୨୦ରେ ଖଣ୍ଡିଏ ବି ଦୁଇହଜାର ଟଙ୍କିଆ ନୋଟ୍‌ ମୁଦ୍ରଣ କରିନି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)। ୨୦୧୮ ମାର୍ଚ୍ଚ ଶେ​‌‌ଷ ବେଳକୁ ୩୩,୬୩୨ ଲକ୍ଷ ପିସ୍‌ ୨୦୦୦ ଟଙ୍କିଆ ନୋଟ୍‌ ସର୍କୁଲେସନ୍‌ରେ ରହିଥିବାବେଳେ ୨୦୧୯ ମାର୍ଚ୍ଚ ଶେ​‌ଷ ବେଳକୁ ଏହି ସଂଖ୍ୟା ୩୨,୯୧୦ ଲକ୍ଷ ପିସ୍‌କୁ ଖସିଆସିଛି । ତେବେ ଚଳିତବର୍ଷ ମାର୍ଚ୍ଚ ଶେଷ ବେଳକୁ ଏହା ୨୭,୩୯୮ ଲକ୍ଷ ପିସ୍‌କୁ ହ୍ରାସ ଘଟିଥିବା ଆର୍‌ବିଆଇର ବାର୍ଷିକ ରିପୋର୍ଟରେ କୁହାଯାଇଛି ।

ରିପୋର୍ଟ ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ଶେ​‌ଷ ସୁଦ୍ଧା ଦେଶରେ ସର୍କୁଲେସନ୍‌ରେ ରହିଥିବା ମୋଟ ନୋଟ୍‌ ସଂଖ୍ୟାର ୨.୪% ହେଉଛି ୨୦୦୦ ଟଙ୍କିଆ ନୋଟ୍‌ । ୨୦୧୯ ମାର୍ଚ୍ଚ ଶେଷ ଭାଗରେ ଏହା ସର୍କୁଲେସନ୍‌ରେ ରହିଥିବା ମୋଟ ନୋଟ୍‌ର ୩% ଏବଂ ୨୦୧୮ ମାର୍ଚ୍ଚ ଶେଷରେ ୩.୩% ରହିଥିଲା । ମୂଲ୍ୟ ଦୃଷ୍ଟିରୁ ଦେଖିଲେ ଚଳିତବର୍ଷ ମାର୍ଚ୍ଚ ଶେ​‌ଷ ସୁଦ୍ଧା ସର୍କୁଲେସନ୍‌ରେ ରହିଥିବା ମୋଟ ନୋଟ୍‌ ମୂଲ୍ୟର ଏହା ୨୨.୬%, ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୩୧.୨% ଏବଂ ୨୦୧୮ ମାର୍ଚ୍ଚ ଶେଷ ବେଳକୁ ଏହା ୩୭.୩% ରହିଥିଲା । ଅନ୍ୟପକ୍ଷରେ ସର୍କୁଲେସନ୍‌ରେ ରହିଥିବା ୫୦୦ ଏବଂ ୨୦୦ ଟଙ୍କିଆ ​‌ନୋଟ୍‌‌ ସଂଖ୍ୟା ବଢ଼ିବାରେ ଲାଗିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ସଂଖ୍ୟା ହେଉ କି ମୂଲ୍ୟ ଦୃଷ୍ଟିରୁ ହେଉ ୨୦୧୮ଠାରୁ ବିଗତ ତିନି ବର୍ଷରୁ ଅଧିକ ସମୟ ହେବ ସର୍କୁଲେସନ୍‌ରେ ରହିଥିବା ୫୦୦ ଏବଂ ୨୦୦ ଟଙ୍କିଆ ​ନୋଟ୍‌ ସଂଖ୍ୟାରେ ବୃଦ୍ଧି ଘଟିଛି । ତେବେ ୨୦୧୯-୨୦ରେ ଆର୍‌ବିଆଇ ଦ୍ବାରା କୌଣସି ନୋଟ୍‌ ମୁଦ୍ରଣ କରାଯାଇନାହିଁ । ଏହାଛଡା ଏହି ସମୟ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ପିଏମ୍‌ସିଆଇଏଲ୍‌) ଦ୍ବାରା କୌଣସି ନୋଟ୍ ଯୋଗାଣ କରାଯାଇନାହିଁ ।

୨୦୧୯-୨୦ରେ ୧୪୬୩ ​କୋଟି ୫୦୦ ଟଙ୍କିଆ ​‌ନୋଟ୍‌‌ ମୁଦ୍ରଣ କରିଥିବାବେଳେ ଏଥିରୁ ୧୨୦୦ ​କୋଟି ନୋଟ୍‌ ସର୍କୁଲେସନ୍‌ରେ ଛଡାଯାଇଛି । ମୋଟ ୨,୯୬,୬୯୫ ପିସ୍‌ ଜାଲ ନୋଟ୍‌ ଚିହ୍ନଟ କରାଯାଇଛି। ୧୦,୫୦,୨୦୦ ଏବଂ ୫୦୦ (ମହାତ୍ମାଗାନ୍ଧୀ ସିରିଜ୍‌) ନୋଟ୍‌ର ଜାଲ ନୋଟ୍‌ ସଂଖ୍ୟାରେ ଯଥାକ୍ରମେ ୧୪୪.୬%, ୨୮.୭%, ୧୫୧.୨% ଏବଂ ୩୭.୫% ବୃଦ୍ଧି ଘଟିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦,୧୦୦ ଏବଂ ୨୦୦୦ ଟଙ୍କିଆ ନୋଟରେ ଆସୁଥିବା ଜାଲ ନୋଟ୍‌ ସଂଖ୍ୟାରେ ଯଥାକ୍ରମେ ୩୭.୭%, ୨୩.୭% ଏବଂ ୨୨.୧% ହ୍ରାସ ଘଟିଛି । ସୂଚନାଯୋଗ୍ୟ ଗତ ଆର୍ଥିକବର୍ଷରେ ୧୭,୦୨୦ ପିସ୍‌ ୨୦୦୦ ଟଙ୍କିଆ ଜାଲ ନୋଟ୍‌ ଧରାଯାଇଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ରି​‌ପୋର୍ଟରେ  କୁହାଯାଇଛି ।​‌

Comments are closed.