ଜିଡିପି ଅଭିବୃଦ୍ଧି ଆକଳନ ୫%କୁ ହ୍ରାସ କଲା ଆରବିଆଇ

ମୁମ୍ବଇ: ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ୨୦୧୯-୨୦ରେ ଦେଶର ଜିଡିପି ୬.୧%ରୁ ହ୍ରାସ ପାଇ ୫%ରେ ରହିବ ବୋଲି ଆରବିଆଇ ଆକଳନ କରିଛି। ଆରବିଆଇର ଏହି ଆକଳନ ପରେ ଦେଶର ଅର୍ଥବ୍ୟବସ୍ଥାକୁ ଝଟ୍‌କା ଲାଗିଛି।

ଅନ୍ୟପଟେ ଆରବିଆଇ ରେପୋ ରେଟ୍‌ ପରିବର୍ତ୍ତନ କରିନାହିଁ। ରେପୋ ରେଟ୍‌ ପୂର୍ବ ଭଳି ୫.୧୫% ରହିଛି। ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ମୁଦ୍ରା ନୀତି କମିଟି ବୈଠକରୁ ଏହି ସୂଚନା ମିଳିଛି। ଚଳିତବର୍ଷ ରେପୋ ରେଟ୍‌ରେ ମୋଟ ୧୩୫ ବେସିସ୍‌ ପଏଣ୍ଟ ହ୍ରାସ ପାଇଛି। ବିଗତ ୯ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ରେପୋ ରେଟ୍‌ ଏତେ କମ୍‌ ରହିଛି। ସେହିପରି ରିଭର୍ସ ରେପୋ ରେଟ୍‌ ୪.୯% ଏବଂ ବ୍ୟାଙ୍କ ରେଟ୍‌ ୫.୪% ରହିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ୨ୟ ତ୍ରିମାସରେ ଜିଡିପି ଅଭିବୃଦ୍ଧି ୪.୫% ରହିଥିଲା, ଯେଉଁଥିରୁ ଦେଶର ଅର୍ଥବ୍ୟବସ୍ଥା ଅଳସୁଆ ହୋଇପଡ଼ିଥିବା ସଙ୍କେତ ମିଳିଥିଲା। ଏହା ବିଗତ ସାଢ଼େ ୬ବର୍ଷରେ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା।

Comments are closed.