୩ ମାସ କୋହଳ ହେଲା ଇଏମଆଇ ପଇଠ

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ବାବଦ ଇଏମଆଇ ପଇଠ ପୁଣି ଥରେ କୋହଳ କରାଯାଇଛି। ଜୁନ୍‌ ୧ ତାରିଖରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ପାଇଁ ଇଏମଆଇ ପଇଠ କୋହଳ କରାଯାଇଥିବା ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଘୋଷଣା କରିଛନ୍ତି। ଫଳରେ ବ୍ୟାଙ୍କ ଗ୍ରାହକମାନେ ଋଣ ବାବଦରେ ଦେବାକୁ ଥିବା ମାସିକିଆ କିସ୍ତି(ଇଏମଆଇ) ଆଗାମୀ ସେପ୍ଟେମ୍ବରରୁ ପ୍ରଦାନ କରିବେ। ପୂର୍ବରୁ ଆରବିଆଇ ପକ୍ଷରୁ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ୩ ମାସ ଲାଗି ଇଏମଆଇ ପଇଠ କୋହଳ କରାଯାଇଥିଲା।

ସୂଚନାଯୋଗ୍ୟ, ଶୁକ୍ରବାର ଆରବିଆଇର ଏମପିସି ବୈଠକ ଶେଷ ହେବା ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କେତେକ ନୂଆ ଘୋଷଣା କରିଥିଲେ। କରୋନା ମହାମାରୀ ଯୋଗୁ ଦୁର୍ବଳ ହୋଇପଡ଼ିଥିବା ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ରେପୋ ରେଟ୍‌ ୪୦ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଥିବା ଆରବିଆଇ ଗଭର୍ଣ୍ଣର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Comments are closed.