ସୁଧ ଛାଡ଼ ବାବଦ ଅର୍ଥ ଫେରସ୍ତ କରିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ

୨୦୨୦ ମାର୍ଚ୍ଚ ପହିଲାରୁ ୬ ମାସ ପାଇଁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ କରାଯାଇଥିବା ସୁଧ ଛାଡ଼ ବାବଦ ଅର୍ଥ ଫେରସ୍ତ କରିବାକୁ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ନିର୍ଦ୍ଦିଷ୍ଟ ଋଣ ଉପରେ ଚକ୍ରବର୍ତ୍ତୀ ସୁଧ ଛାଡ଼ କରିବା ପାଇଁ ସରକାର ଘୋଷଣା କରିଥିଲେ। ଏହି ଯୋଜନା ଅନୁସାରେ ବଡ଼ବଡ଼ ବ୍ୟାଙ୍କଗୁଡ଼ିକ ଋଣ ଗ୍ରହୀତାମାନଙ୍କୁ ଏହି ସୁବିଧା ଦେବାକୁ ସରକାର ବାଧ୍ୟତାମୂଳକ କରିଥିଲେ। ମାର୍ଚ୍ଚ ପହିଲାରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଋଣ ଉପରେ ଚକ୍ରବର୍ତ୍ତୀ ସୁଧ ଛାଡ଼ କରାଯାଇଛି।

ଏକ ବିଜ୍ଞପ୍ତି ଜରିଆରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରିଜର୍ଭବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ  କହିଥିଲେ। ନଭେମ୍ବର ୫ ତାରିଖ ସୁଦ୍ଧା ଋଣଗ୍ରହୀତାମାନଙ୍କୁ ଛାଡ଼ କରାଯାଇଥିବା ସୁଧ ଅର୍ଥ ଫେରସ୍ତ କରିବା ଲାଗି ସରକାର ବ୍ୟାଙ୍କଗୁଡ଼ିକୁ କହିଥିଲେ। ଏହି ଯୋଜନା ଅନୁଯାୟୀ, ବ୍ୟାଙ୍କମାନେ ଚକ୍ରବର୍ତ୍ତୀ ସୁଧ ବାବଦ ଅର୍ଥକୁ ଋଣ ଗ୍ରହୀତାମାନଙ୍କୁ ଫେରସ୍ତ କରିବାକୁ ହେବ। ଏହି ଋଣ ମଧ୍ୟରେ ଶିକ୍ଷାଋଣ, ଗୃହ ନିର୍ମାଣ ଋଣ, ଯାନବାହାନ କ୍ରୟ ବାବଦ ଋଣ, ଏମ୍‍ଏସଏମ୍‍ଇ ଋଣ, ବ୍ୟକ୍ତିଗତ ଋଣ , କ୍ରେଡିଟ୍‍ କାର୍ଡ ବକେୟା ଅର୍ଥ, ଘରକରଣା ଆସବାବପତ୍ର ବାବଦ ଋଣ ଓ ଖାଉଟି ଋଣ ଅନ୍ତର୍ଭୁକ୍ତ।

Comments are closed.