କ୍ଷେତରେ ହସୁଛି ଧଳା ସୁନା

ରାୟଗଡ଼ା : ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାର ବିଭିନ୍ନ ଅଞ୍ଚଳର ଚାଷୀଙ୍କ କ୍ଷେତରେ ହସୁଛି ଧଳା ସୁନା (କପା)। ରାୟଗଡ଼ା ଜିଲାର ପ୍ରାୟ ୨୦ହଜାର ଚାଷୀ ଏହି ଚାଷ କରି ବେଶ୍‍ କିଛି ପଇସା ଆୟ କରିପାରୁଛନ୍ତି। ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ବ ଧରି ଏହି ଅଞ୍ଚଳର ଚାଷୀ କପା ଚାଷ କରିଆସୁଥିବାବେଳେ ଗତବର୍ଷ ୩୬,୧୧୩ ହେକ୍ଟର ଅଞ୍ଚଳରେ ଏହି ଚାଷ ହୋଇଥିବା ବେଳେ ୫.୫୯ଲକ୍ଷ କ୍ୱିଣ୍ଟାଲ କପା ଅମଳ ହୋଇଥିଲା। ଆଉ ୨,୬୪୩ ହେକ୍ଟର ଅଞ୍ଚଳ ବଢି ଚଳିତ ବର୍ଷ ମୋଟ ୩୮,୭୫୬ ହେକ୍ଟରରେ କପା ଚାଷ କରାଯାଇଥିବାରୁ ଏହି ଚାଷ ପ୍ରତି ଚାଷୀଙ୍କର ଆଗ୍ରହ ଦିନକୁ ଦିନ ବୃଦ୍ଧି ହେଉଥିବାର ଏଥିରୁ ଜଣାଯାଏ। ଭାରତୀୟ କପା ମହାନିଗମର ସହାୟକ ମହାପ୍ରବନ୍ଧକ ପ୍ରଦୀପ ମାହାରାଙ୍କ ମତରେ ଗତ ନଭେମ୍ବର ୨୭ତାରିଖରୁ କପା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଚଳିତ ମାସ ଡିସେମ୍ବର ୧୭ପର୍ଯ୍ୟନ୍ତ ରାୟଗଡା ମଣ୍ଡିରେ ୨୮୨୩ କ୍ୱିଣ୍ଟାଲ ଓ ଗୁଣୁପୁର ମଣ୍ଡିରେ ୪୨୬୬୧କ୍ୱିଣ୍ଟାଲ କପା ସଂଗ୍ରହ ହୋଇଛି ଏବଂ ରାୟଗଡ଼ା ଅଞ୍ଚଳର ଅଧିକାଂଶ ଚାଷୀ ମକର ସଂକ୍ରାନ୍ତି ପରେ ହିଁ ମଣ୍ଡିକୁ ଛୁଟିଥାନ୍ତି କପା ବିକିବା ପାଇଁ। ତେଣୁ ବର୍ତ୍ତମାନ କମ୍‍ ସଂଗ୍ରହ ହୋଇଥିବା କହିଥିଲେ ଶ୍ରୀ ମାହାରା। ଚଳିତ ବର୍ଷ ୬ଲକ୍ଷ ୩୯ହଜାର ୫୦୦କ୍ୱିଣ୍ଟାଲ କପା ସଂଗ୍ରହ ହେବ ବୋଲି ଆକଳନ କରାଯାଉଛି। କପାର ମୂଲ୍ୟ ତା’ର ଲମ୍ବ ଓ ଆର୍ଦ୍ରତା ଉପରେ ନିର୍ଭର କରୁଥିବା ବେଳେ ୮ପ୍ରତିଶତରୁ ୧୨% ଜଳୀୟ ଅଂଶ ରହିଲେ କପାର ମୂଲ୍ୟ ସମାନୁପାତିକ ଭାବେ କମ୍‍ କରାଯାଇଥାଏ। ୧୨% ରୁ ଅଧିକ ଜଳୀୟ ଅଂଶ ଥିବା କପା ବିକ୍ରି ଯୋଗ୍ୟ ହୋଇ ନଥାଏ।ଚଳିତ ବର୍ଷ କେନ୍ଦ୍ର ସରକାର ଲମ୍ବ ତନ୍ତୁଯୁକ୍ତ ଫେଆର ଆଭରେଜ କ୍ୱାଲିଟ୍‍ କପାର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୫୮୨୫ ଟଙ୍କା ଥିବାବେଳେ ମଧ୍ୟମ ଲମ୍ବ ତନ୍ତୁଯୁକ୍ତ ଫେଆର ଆଭରେଜ କ୍ୱାଲିଟ୍‍ କପାର କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୫୫୧୫ ଟଙ୍କା ଘୋଷଣା କରିଛନ୍ତି। ଚାଷୀ ସ୍ଥାନୀୟ ମଣ୍ଡିରେ ପଂଜିକରଣ କରି ଭାରତୀୟ କପା ନିଗମ ବା ସି.ସି.ଆଇ କୁ କପା ବିକୁଥିବା ବେଳେ ବିଭିନ୍ନ ଘରୋଇ ସଂସ୍ଥା ମଧ୍ୟ ବଜାର ନିୟନ୍ତ୍ରଣ କମିଟି ଠାରୁ ଲାଇସେନ୍ସ ନେଇ ଚାଷୀ ମାନଙ୍କ ଠାରୁ କପା କିଣିଥାଏ ବୋଲି ସହକାରୀ କୃଷି ଅଧିକାରୀ ସଂଗୀତା ନାୟକ ପ୍ରକାଶ କରିଛନ୍ତି। ସରକାର ମଧ୍ୟ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ଆର୍ôଥକ ସହାୟତା ଦେଉଚନ୍ତି। ସରକାରଙ୍କ ତରଫରୁ ଚାଷୀଙ୍କୁ ଜୈବିକ କପା ଚାଷ କରିବା ପାଇଁ ପ୍ରୋତ୍ସାହନ ଦେବାସହ ବିଭିନ୍ନ ପ୍ରଦର୍ଶନୀ କ୍ଷେତ୍ର ସବୁ ପରିଦର୍ଶନ କରାଯାଉଛି। ରାଜ୍ୟ ସରକାର ଏହି ଚାଷ ପାଇଁ ଅଣଧାନ ଫସଲ ଯୋଗେ ହେକ୍ଟର ପ୍ରତି ୧୦୦୦ ଟଙ୍କା ସହାୟକ ରାଶି ଦେଉଥିବା ବେଳେ କେନ୍ଦ୍ର ସରକାର ଖାଦ୍ୟ ନିରାପତ୍ତା ମିଶନ ବ୍ୟବସାୟିକ ଭିତ୍ତିରେ କପା ଚାଷ ପାଇଁ ହେକ୍ଟର ପ୍ରତି ୮୦୦୦ଟଙ୍କା ସହାୟକ ରାଶି ଦେଉଛନ୍ତି , ଯାହାକି ବିଭିନ୍ନ ସାର, କପା ମଞ୍ଜି, ଛଣି ମଞ୍ଜି, ରୋଗ ପୋକ ନିୟନ୍ତ୍ରଣ ପାଇଁ କୀଟନାଶକ ଓøଷଧ, ଅଣୁସାର କ୍ରୟ କରିବା ପାଇଁ। ସ୍ଥାନୀୟ କେତେ ଜଣ କପା ଚାଷୀ ମାନଙ୍କ କହିବାନୁଯାୟୀ ଏଠିକାର ଅଧିକାଂଶ ଅଧିବାସୀ ଗରିବ ହୋଇଥିବାରୁ ସ୍ଥାନୀୟ ସାହୁକାର ମାନଙ୍କ ଠାରୁ ଜମି ଭଡା ଆକାରରେ ନେଇଥାନ୍ତି। ତେଣୁ ଉକ୍ତ ସାହୁକାର ଚାଷୀ ମାନଙ୍କୁ ଅମଳ କପା କମ୍‍ ଦାମରେ ବିକ୍ରି କରିବାକୁ କହିଥାଏ, ଯାହାଫଳରେ ଗରିବ ଚାଷୀଟିଏ ନିରୁପାୟ ହୋଇ ଅମଳ ହେଉଥିବା ଫସଲ ସି.ସି.ଆଇ ଠାରୁ କମ୍‍ ଦାମରେ ଅସାଧୁ ବ୍ୟବସାୟୀ ମାନଙ୍କୁ ବିକିଦିଅନ୍ତି। ସରକାରଙ୍କ ତରଫରୁ ଦିଆଯାଉଥିବା ବିହନ ଉତ୍କୃଷ୍ଟମାନର ହୋଇନଥାଏ ଏବଂ ଆଜିକାଲି ଯୁଗରେ ହାଇବ୍ରିଡ ଫସଲର ଗୁରୁତ୍ୱ ଚାରିଆଡେ ଥିବା ବେଳେ ଏହି ଅଞ୍ଚଳର ଚାଷୀଙ୍କ ନିମନ୍ତେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ହାଇବ୍ରିଡ କପା ଚାଷ ପାଇଁ ସ୍ୱୀକୃତି ଦେଇନାହାଁନ୍ତି। ଏଥିପାଇଁ ସ୍ଥାନୀୟ କେତେକ କପା ଚାଷୀ ବାଧ୍ୟ ହୋଇ ଆନ୍ଧ୍ର ଉପରେ ନିର୍ଭର କରୁଥିବା ବେଳେ ଆଉ କେତେକ ଅଞ୍ଚଳରେ ବ୍ୟବସାୟୀ ଆସି ଚାଷୀଙ୍କୁ ହାଇବ୍ରିଡ କପା ମଞ୍ଜି ବିକୁଛନ୍ତି। ଉକ୍ତ ହାଇବ୍ରିଡ କପା ଚାଷରେ ରୋଗ ପୋକ କମ୍‍ ଦେଖାଯାଉଥିବାରୁ ବର୍ତ୍ତମାନ ଏହି ହାଇବ୍ରିଡ କପା ଚାଷ ଚାଷୀ ମହଲରେ ଆଦୃତ ଲାଭ କରିଛି। ଯଦି ସରକାର ମଧ୍ୟ ଏହି ହାଇବ୍ରିଡ ଚାଷକୁ ଗୁରୁତ୍ୱ ଦେଇ ଅଞ୍ଚଳର ଚାଷୀଙ୍କୁ ହାଇବ୍ରିଡ କପା ମଞ୍ଜି ଯୋଗାଇ ଦେଇପାରନ୍ତେ ତେବେ ଅଧିକ ପରିମାଣର କପା ଉତ୍ପାଦନ ହେବା ସହ ଚାଷୀଙ୍କ ଆୟ ମଧ୍ୟ ଅଧିକ ହୁଅନ୍ତା ବୋଲି ଏହି ଅଞ୍ଚଳର କପା ଚାଷୀ ପ୍ରକାଶ କରିଛନ୍ତି।

Comments are closed.