କାଠ ବୋଝେଇ ଟ୍ରକ୍‌କୁ ଲକ୍ଷେରୁ ଊର୍ଦ୍ଧ୍ବ ଜୋରିମାନା

ରାୟଗଡ଼ା : ୬ମାସର ମହଲତ ପରେ ଆଜିଠାରୁ ପୁଣି କଡ଼ାକଡ଼ି ହୋଇଛି ନୂତନ ମୋଟର ଯାନ ଆଇନ। ରାୟଗଡା ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ଜଗହଳିପୂର୍ଣ୍ଣ ଛକରେ ଗାଡିଗୁଡିକୁ ଅଟକାଇ ଯାଞ୍ଚ ଜୋରଦାର କରାଯାଇଛି। ରାୟଗଡା ସହର ଉପଖଣ୍ଡ ଖଲିଗୁଡା ଛକ ନିକଟ ୩୨୬ ନଂ ଜାତୀୟ ରାଜପଥରେ ପରିବହନ ଅଧିକାରୀ ଡିକେ ଦଳାଇଙ୍କ ନେତୃତ୍ୱରେ ଆଜି ଗାଡି ମୋଟର ଯାଞ୍ଚ ସମୟରେ ଏକ କାଠ ବୋଝେଇ ଟ୍ରକକୁ ଲକ୍ଷାଧିକ ଟଙ୍କା ଜୋରିମାନା କରାଯାଇଛି। ପରିବହନ ଅଧିକାରୀ ଶ୍ରୀ ଦଳାଇ ଏକଲକ୍ଷ ୧୦ହଜାର ୮୦୦ଟଙ୍କା ଜୋରିମାନାରେ ଦଣ୍ଡିତ କରିଥିବା ସୂଚନା ମିଳିଛି। ସୂଚନା ମୁତାବକ, ଟ୍ରକ ନଂ ଏପି୩୧ଟିଡବ୍ଲ୍ୟୁ ୩୨୪୯ କାଠ ବୋଝେଇ କରି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ରାୟଗଡ଼ା ଅଭିମୁଖେ ଆସୁଥିଲା। ରୋଡ ପରମିଟ୍‍ ନ ଥାଇ ଟ୍ରକଟି ଆସୁଥିବାବେଳେ ପରିବହନ ଅଧିକାରୀ ୧୦,୦୦୦ଟଙ୍କା ଓ ଟ୍ୟାକ୍ସ, ଭିସିଆର ଏବଂ ଅନ୍ୟାନ୍ୟ ଅନୁମତି ନ ଥିବାରୁ ପରିବହନ ଅଧିକାରୀ ଟ୍ରକଟିକୁ ୧,୦୦୮୦୦ ଟଙ୍କା ଜୋରିମାନା କରିଥିବା ଜଣାଯାଇଛି। ତେବେ ଜୋରିମାନା ଟଙ୍କା ଟ୍ରକ ମାଲିକ
ପଇଠ କରି ନ ଥିବାରୁ ଉକ୍ତ ଗାଡିର ସମସ୍ତ ନଥିପତ୍ର ପରିବହନ ଅଧିକାରୀ ଜବତ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଆଜିର ଏଭଳି ଚଢ଼ଉ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଛାନିଆ କରି ଦେଇଛି।

Comments are closed.