ରାତି ପାଇଲେ ଘାରୁଛି ପାଣି ଚିନ୍ତା

ସକାଳ ହେଲେ ଗ୍ରାମ ନିକଟ ନଦୀକୁ ପାଣି ପାଇଁ ଲାଗୁଛି ଲମ୍ବା ଧାଡି

ରାୟଗଡା: ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲା ହାଲୁଆ ପଞ୍ଚାୟତ ଅନ୍ତର୍ଗତ ଜପାଖାଲ ଗାଁ ଲୋକଙ୍କୁ ରାତି ପାଇଲେ ପିଇବା ପାଇଁ ଜଳଚିନ୍ତା ଘାରୁଛି। ସକାଳ ହେଲେ ଗ୍ରାମ ନିକଟ ନଦୀକୁ ପାଣି ପାଇଁ ଲମ୍ବା ଧାଡି ଲାଗୁଛି। ସଦର ମହକୁମାଠାରୁ ମାତ୍ର ୮ କିଲୋମିଟର ଦୂରରେ ଥିବା ଏହି ଗାଁର ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି। ଦୀର୍ଘ ବର୍ଷ ହେଲା ଜଳକଷ୍ଟ ଭୋଗୁଛନ୍ତି। ଜପାଖାଲବାସୀ ଭଗବାନଙ୍କ ନାମ ଜପ କରି ପ୍ରାୟ ୨୦୦ ମିଟର ଦୂର ଆବଡା ଖାବଡା ରାସ୍ତା ଅତିକ୍ରମ କରି ଜଣଙ୍କ ପଛରେ ଜଣେ ଧାଡି ବାନ୍ଧି ଝଞ୍ଜାବତୀ ନଦୀରୁ ପାଣି ସଂଗ୍ରହ କରୁଛନ୍ତି। ବର୍ଷା ଦିନେ ଏହି ରାସ୍ତା ଅତିକ୍ରମ କରି ପିଇବା ପାଣି ଆଣିବା କଷ୍ଟକର ହୋଇପଡୁଛି। ଗ୍ରାମରେ ୬୦ ପରିବାର ବସବାସ କରୁଛନ୍ତି। ଲୋକ ସଂଖ୍ୟା ୫୦୦। କିଏ ମୁଣ୍ଡରେ ଗରା ଆଉ ହାଣ୍ଡିରେ ପାଣି ବୋହି ଆଣୁଛନ୍ତି। ଛୋଟ ଛୁଆ ମଧ୍ୟ ମୁଣ୍ଡରେ କଂସା ଓ ଛୋଟ ହାଣ୍ଡି ଧରି ଜଳ ସଂଗ୍ରହ କରୁଛନ୍ତି। ଖାଇବା କଂସା ବାସନଠୁ ଆରମ୍ଭ କରି ଶୌଚ, ଗାଧୋଇବା, ରୋଷେଇ ପାଇଁ ସେହି ଝଞ୍ଜାବତୀ ପାଣି ହିଁ ଏକ ମାତ୍ର ଭରସା।

 

ସୋଲାର ପାଣି ଟାଙ୍କି ବସାଯାଇ ଷ୍ଟାଣ୍ଡ ପୋଷ୍ଟ କରାଯାଇଛି, କୁଆଡେ ଗାଁ ଲୋକ ଟ୍ୟାପ୍‍ ମୋଡିଲେ ପାଣି ସଙ୍ଗେ ସଙ୍ଗେ ପାଇବେ, କିନ୍ତୁ ଗ୍ରାମବାସୀଙ୍କ କହିବା ପ୍ରକାରେ ସେଗୁଡିକ ୩ରୁ ୪ ବର୍ଷ ହେବ ବସା ହୋଇଥିଲେ ବି କାର୍ୟ୍ୟକ୍ଷମ ହୋଇପାରୁ ନାହିଁ। ଏହି ପାଣିର ଅଭାବ କାରଣରୁ ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନାରେ ହୋଇଥିବା ପାଇଖାନାଗୁଡିକୁ ବ୍ୟବହାର କରିପାରୁ ନାହାନ୍ତି ଗ୍ରାମବାସୀ। ପାଇଖାନାଗୁଡିକର ଅବସ୍ଥା ମଧ୍ୟ ପୁରା ଶୋଚନୀୟ। ୧୫ ରୁ ଅଧିକ ବୋର୍‍ୱେଲ୍‍ ଖୋଳା ଯାଇଥିଲେ ମଧ୍ୟ କେଉଁଠି ବି ପାଣି ଉଠାଇବା ସମ୍ଭବ ହୋଇପାରୁନି। ୧୫ରୁ ୨୦ ଦିନ ମଧ୍ୟରେ ଟ୍ରାନ୍ସଫର୍ମର ବସାଯାଇ ବିଦ୍ୟୁତ୍‍କରଣ କରାଯାଇ ପାଖ ଏକ ବୋରୱେଲରେ ପାଣି ରହୁଥିବାରୁ ସେଠାରୁ ମୋଟର ଯୋଗେ ପାଣି ଯୋଗାଇବାର ବ୍ୟବସ୍ଥା କରାଯିବ ବୋଲି ଆର୍‍ଡବ୍ଲ୍ୟୁଏସ୍‍ଏସ୍‍ର ଯନ୍ତ୍ରୀ ଅଜିତ୍‍ ମିଶ୍ର କହିଥିଲେ। ଗାଁକୁ ଯିବାକୁ ରାସ୍ତାର ଶୋଚନୀୟ ହୋଇଛି। ପ୍ରାୟ ୫ ବର୍ଷ ତଳେ ଗାଁକୁ ରାସ୍ତା ନିର୍ମାଣ ହୋଇଥିଲା। ଆଜି ରାସ୍ତା ପ୍ରାୟ ମରଣଯନ୍ତା ପାଲଟିଯାଇଛି ବୋଲି ଗ୍ରାମବାସୀ ରୁଗୁ ହୁଇକା, ଲାଟି ହୁଇକାଙ୍କ କହିଛନ୍ତି। ପୂର୍ବରୁ ଅନେକଥର ପାନୀୟ ଜଳର ବ୍ୟବସ୍ଥା ପାଇଁ ଚିଠି ଲେଖାଯାଇଛି। ମାତ୍ର ଥରେ ତତ୍କାଳୀନ ଜିଲାପାଳ ଗ୍ରାମକୁ ବୁଲିବାକୁ ଆସି, ନଳକୂପର ବ୍ୟବସ୍ଥା ଯଥାଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବୋର୍‍ୱେଲ୍‍ ଖୋଳା ଯାଇଥିଲେ ହେଁ ପାଣି ବାହାରୁନି। ସରକାରଙ୍କ ତରଫରୁ ସ୍ଥାନୀୟ ନଦୀରୁ ପାଇପ୍‍ ଯୋଗେ ପାଣି ଆଣି ଏହାକୁ ଫିଲ୍ଟରେସନ୍‍ କରାଯାଇ ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସ୍ଥାନୀୟବାସିନ୍ଦା ଅଭି ହୁଇକା, ରମେଶ ହୁଇକା ପ୍ରକାଶ କରିଛନ୍ତି। ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନ ନିଅନ୍ତି, ଆମେ ଗ୍ରାମବାସୀ କିଛି ପଇସା ଆଦାୟ କରି ନଦୀରୁ ପାନୀୟ ଜଳ ଆଣିବାର ବ୍ୟବସ୍ଥା କରିବୁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

Comments are closed.