ମାଓ ମୁକାବିଲା ସମୀକ୍ଷା କଲେ ବିଏସଏଫ ଅତିରିକ୍ତ ଡିଜି

ଜେକେପୁର: ବିଏସଏଫ ଅତିରିକ୍ତ ଡିଜି ପି. ଭି. ରାମଶାସ୍ତ୍ରୀ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ମାଓ ମୁକାବିଲାର ସମୀକ୍ଷା କରିଛନ୍ତି। ବିଏସଏଫର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଆସି ଅତିରିକ୍ତ ଡିଜି ଜେକେପୁର ହେଲିପ୍ୟାଡରେ ଅବତରଣ କରିବା ପରେ ୬୮ ବାଟାଲିୟନ ମୁଖ୍ୟାଳୟକୁ ଯାଇଥିଲେ। ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଏସଏଫର ସମସ୍ତ ଅଧିକାରୀ ଉପସ୍ଥିତ ଥିବା ବେଳେ ଅତିରିକ୍ତ ଡିଜି ଯବାନଙ୍କ ସ୍ବାସ୍ଥ୍ୟବସ୍ଥା, ମାଓ ମୁକାବିଲା ରଣକୌଶଳ ସଂପର୍କରେ ଆଲୋଚନା କରିଥିଲେ। ୬୮ ବାଟାଲିୟନରେ କାର୍ଯ୍ୟରତ ଯବାନ ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ମାଓ ମୁକାବିଲାରେ ନିୟୋଜିତ ହୋଇଥିବାରୁ ସମସ୍ତ କ୍ୟାମ୍ପର କମାଣ୍ଡାଣ୍ଟ୍, ଅପରେସନ୍ ମୁଖ୍ୟଙ୍କ ସହ ଡିଜି ଆଲୋଚନା କରିବା ସହ ଦୃଢ଼ତାର ସହ ମାଓ ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ।

ପୁଲିସ୍ ସହ ସମନ୍ବୟ ରକ୍ଷା କରି ଅପରେସନକୁ ଜୋରଦାର୍ କରିବାକୁ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି। ଏଥି ସହିତ ବିଏସଏଫ୍ ମୁଖ୍ୟାଳୟ ଓ ନୂତନ କ୍ୟାମ୍ପ ପ୍ରତିଷ୍ଠା ପାଇଁ ସ୍ଥାନ ନିରୁପଣ ହୋଇଥିବାରୁ ଅତିରିକ୍ତ ଡିଜି ପରିଦର୍ଶନ କରି କ୍ୟାମ୍ପ ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ସଂଧ୍ୟା ୫ଟାରେ ସମୀକ୍ଷା ବୈଠକ ସାରି ଅତିରିକ୍ତ ଡିଜି କୋରାପୁଟ ଅଭିମୁଖେ ଫେରି ଯାଇଛନ୍ତି।

Comments are closed.