ଜନବସତି ନାହିଁ କି ରାସ୍ତା ନାହିଁ, ଘଞ୍ଚ ଜଙ୍ଗଲରେ ପୋଲ କାହା ସ୍ବାର୍ଥରେ

ଜେମାଦେଇପେଣ୍ଠ: ଅଛି ଜନବସତି, ନାଁ ଅଛି ରାସ୍ତା। ଘଞ୍ଚ ଜଙ୍ଗଲରେ ତିଆରି ହୋଇଛି ସୁଦୀର୍ଘ ଲୁହା ପୋଲ। ଅନେକ ସ୍ଥାନରେ ଲୋକେ ପୋଲ ଅଭାବରୁ ବିପଦସଙ୍କୁଳ ଭାବେ ଚଳାଚଳ କରୁଥିଲେ ହେଁ ଏଭଳି ପୋଲ କାହାପାଇଁ ଓ କେଉଁ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି ତାକୁ ନେଇ ଉଠିଛି ପ୍ରଶ୍ନ।

ରାୟଗଡ଼ା ବ୍ଲକ ସଦର ମହକୁମା ଠାରୁ ଇରୁକବାଡ଼ି ପଞ୍ଚାୟତ ଅଳ୍ପ କେତେ କିଲୋମିଟର ଦୂରରେ ଥିଲେ ମଧ୍ୟ ବଣ ପାହାଡ ଘେରା ଏହି ଅଞ୍ଚଳରେ ଗମନାଗମନ ପାଇଁ ପାହାଡ଼ିଆ ରାସ୍ତା ବ୍ୟବହାର ହୋଇଥାଏ, କଞ୍ଛି ମୋଇ, ବଗନା ପାଇ , କପା ଡ଼ଙ୍ଗା, ନାକଟି ଓ ଗଜାବାଡ଼ ଆଦି ଅପହଞ୍ଚ ଗ୍ରାମ ଗୁଡ଼ିକୁ ଯିବାକୁ ହେଲେ ଏ ଅଞ୍ଚଳର ଆଦିବାସୀ ପାଦ ଚଲା ରାସ୍ତା ବ୍ୟବହାର କରିଥା’ନ୍ତି, ନଦୀ ପାହାଡ଼ ଘେରା ଅଞ୍ଚଳର ଅଧିବାସୀମାନଙ୍କର ବହୁ ଦୂରରେ ନିର୍ମିତ ଏ ପୋଲ ସେମାନଙ୍କ ବ୍ୟବହାରରେ ନ ଆସି ପଡି ରହିଛି। ଏ ସମ୍ପର୍କରେ ବିଡିଓ ରାଜେନ୍ଦ୍ର କୁମାର ମାଝିଙ୍କୁ ପଚାରିଵାରୁ ସେ କହିଲେ ଏ ପରି ଏକ ପୋଲର ଅବସ୍ଥିତି ବିଷୟରେ ଜାଣିନାହାନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତିଆରି ହୋଇଛି ବୋଲି କହିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର ଜନୈକ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ୫/୬ ବର୍ଷ ତଳେ ଉପାନ୍ତ ଅଞ୍ଚଳରେ ଲୋକଙ୍କ ସୁବିଧା ପାଇଁ ପୋଲ ତିଆରି ହୋଇଥିଲା ,କିନ୍ତୁ ମହାତ୍ମାଗାନ୍ଧି ଗ୍ରାମୀଣ ସଡ଼କ ଯୋଜନାରେ ରାସ୍ତାର ଗତିପଥ ପରିବର୍ତ୍ତନ ଯୋଗୁଁ ଉକ୍ତ ପୋଲଟି ଅନାବଶ୍ୟକ ହୋଇ ପଡ଼ିଛି। ତେଣୁ ଆଗାମୀ ଦିନରେ ଉକ୍ତ ପୋଲ ବିଷୟରେ ଅନୁଧ୍ୟାନ କରି ସଠିକ୍ ପଦକ୍ଷେପ ନିଆଯିବ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

Comments are closed.