ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌, ୩ ମୃତ

ରାୟଗଡା : ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଛି ଏକ ଯାତ୍ରୀବାହୀ ବସ୍‌। ବସ୍‌ଟି ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ବିଷମକଟକ ହାଜାରୀଡାଙ୍ଗ ନିକଟରେ ଫର୍ଚୁନ ନାମକ ଘରୋଇ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ବସ୍‌ଟି କୋରାପୁଟ ଜିଲା ଲକ୍ଷ୍ମୀପୁରରୁ ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ କଟକ ଯାଉଥିବା ବେଳେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ହଜାରିଡାଙ୍ଗ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରୁ ଡ୍ରାଇଭର ଏବଂ ଜଣେ ଯାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ମେଡିକାଲରେ ଜଣେ ମୃତ୍ୟୁ ବରଣ କରିଛନ୍ତି। ପ୍ରଥମେ ବିଷମକଟକ ଅଗ୍ନିଶମ ବିଭାଗ, ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା। ତେବେ ବସ୍‌ ତଳେ ଆହୁରୀ ଯାତ୍ରୀ ଚାପି ହୋଇ ରହିଥିବା ସନ୍ଦେହ କରି ରାୟଗଡା ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବସ୍‌ଟିକୁ କ୍ରେନ୍‌ ସାହାର୍ଯ୍ୟରେ ଉଠାଯାଇଥିଲା। ତେବେ ବସ୍‌ ତଳେ କୌଣସି ଯାତ୍ରୀ ଚାପି ହୋଇ ନଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ମାନଙ୍କୁ ବିଷମକଟକର ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

Comments are closed.