ବାଉଁଶ ସାମଗ୍ରୀ ପ୍ରସ୍ତୁତ କରୁଥିବା କୁଶଳୀ କାରିଗରଙ୍କ ଜୀବିକା ଛଡାଇ ନେଇଛି କରୋନା କଟକଣା : ମିଳୁନି ସରକାରୀ ସୁବିଧା

ପ୍ରୋତ୍ସାହନ ଅପେକ୍ଷାରେ ବାଉଁଶ ସାମଗ୍ରୀ ପ୍ରସ୍ତୁତ କରୁଥିବା କୁଶଳୀ କର୍ମଜୀବୀ

କାଶୀପୁର:ମହାମାରି କରୋନା ଯୋଗୁଁ ଦୁର୍ବିଷ ହୋଇ ପଡିଛି କାରିଗରଙ୍କ ଜୀବନ। ନିପୁଣ କୌଶଳ ସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଥୁବା କାରିଗରଟି ଏବେ ଜୀବିକା ପାଇଁ ବାରଦ୍ବାର ହେଉଛି।କରୋନା ସଂକ୍ରମଣ ପ୍ରତିହତ ସକାଶେ ସରକାର ଲକଡାଉନ୍,ସଟଡାଉନ୍ ଘୋଷଣା କରିଥିବା ବେଳେ ଏହି କଟକଣା ଏଭଳି କୁଶଳି ଶ୍ରମଜୀବିଙ୍କ ପାଇଁ ଦୁର୍ଦିନ ଆଣିଦେଇଛି।

ସରକାରି ସୁବିଧା ମିଳୁନଥିବାରୁ ଏବେ କୌଳିକ ବୃତ୍ତି ଆପଣାଇ ନିଜର ପରିବାର ପୋଷଣ କରୁଥିବା ପରିବାର ଏବେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ସରକାରିସହାୟତା ଅପେକ୍ଷାରେ ଦିନ କାଟୁଛନ୍ତି ଏମାନେ।ଯାହାଫଳରେ କୌଳିକ ବୃତ୍ତିକୁ ଜାବୋଡି ଧରି ଥିବା ପରିବାର ଏବେ କାନ୍ଦୁଛି। ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଖୁରିଗାଁ ଗ୍ରାମରେ କେଉଁ ଏକ ଅଖ୍ୟାତ ପଲ୍ଲିର ମେଦ୍ରୀ ସମ୍ପ୍ରଦାୟ।ବାଉଁଶରୁ ତିଆରି କରନ୍ତି ନାନା ପ୍ରକାର ଗୃହ ସଜେଇବା ଉପକରଣ।ସେଇ ସାମଗ୍ରୀ ହିଁ ତାଙ୍କର ଜୀବନ ଜୀବିକାର ମାର୍ଗ। ବର୍ତ୍ତମାନ ବାଉଁଶ ସାମଗ୍ରୀର ସ୍ଥାନ ନେଇଛି ପ୍ଲାଷ୍ଟିକ ସାମଗ୍ରୀ। ତଥାପି ସୌନ୍ଦର୍ୟ୍ୟ ଓ କଳାକୃତି ପାଇଁ ବାଉଁଶର ଚାହିଦା ଏବେବି ଘରେ ଘରେ ରହିଛି।

ବର୍ତ୍ତମାନ ବାଉଁଶକୁ ନେଇ ଅନେକ ଗରିବ ପରିବାର ସେମାନଙ୍କ ପରିବାର ଭରଣ ପୋଷଣ କରି ଆସୁଛନ୍ତି।ବାଉଁଶ ଭଳି ଦୀର୍ଘ ବର୍ଷର କୌଳିକ ପାରମ୍ପରିକ ବୃତ୍ତି ପ୍ରୋସାହନ ଅଭାବରୁ ଗାଁ ଗହଳିରେ ଏହା ଲୋପ ପାଇଯିବାର ଆଶଙ୍କା ରହିଛି।ବାଉଁଶ ଭଳି ବୃତିକୁ କିଛି ପୁରୁଖା ବୟଜ୍ୟୋଷ୍ଠ ପୁରୁଷ ଓ ମହିଳା ଆଦରି ନେଉଥିବା ବେଳେ ଯୁବପିଢି ଏହି ବୃତ୍ତି ପ୍ରତି ମନ ବଳାଉ ନାହାନ୍ତି।ଅନ୍ୟ ମାନେ ମଧ୍ୟ ବାଉଁଶ କଳାକୃତି ତିଆରି ଶିଖିଛନ୍ତି।କିନ୍ତୁ ମେଦ୍ରୀ ସମ୍ପ୍ରଦାୟ ମାନଙ୍କର ଏହା ହେଉଛି କୌଳିକ ବୃତ୍ତି।ବର୍ଷ ବର୍ଷର ପାରମ୍ପରିକ କଳାକୁ ସେମାନେ ବଜାଇ ରଖିଛନ୍ତି।ଗାଁର କେତେକ ପୁରସ ଓ ମହିଳା ବାଉଁଶ କାମରେ ଅଭ୍ୟସ୍ତ।କାଶୀପୁରର ସପ୍ତାହିକ ହାଟ ବୁଧବାର ଏବଂ ଟିକିରିର ସପ୍ତାହିକ ହାଟ ଶୁକ୍ରବାର ଏହି ଦୁଇ ଦିନ ଏମାନଙ୍କ ବ୍ୟବସାୟର ଦିନ।କିନ୍ତୁ କରୋନା ଯୋଗୁଁ ହାଟ ସହ ପରିବହନ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିବା ଯୋଗୁଁ ଏବେ ସମସ୍ତଙ୍କ ଘରେ ବାଉଁଶ ପ୍ରସ୍ତୁତି ସାମଗ୍ରୀ ଗଦା ହୋଇ ରହିଛି।କିଛି ସାମଗ୍ରୀ ମଧ୍ୟ ନଷ୍ଟ ହୋଇଗଲାଣି।କାନ୍ଧ ଭାରରେ ମାଇଲ ମାଇଲ ବାଟ ଧରି ଗାଁ ଗାଁ ବୁଲି ବିକ୍ରି କରୁଥିବା ସାମଗ୍ରୀକୁ ଆଉ କୁଆଡେ ଯାଇ ପାରୁ ନାହାନ୍ତି।

ଖୁରିଗାଁ ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୦ ଘର ମଧ୍ୟରୁ ସମସ୍ତଙ୍କ ଘରେ ବାଉଁସ ସାମଗ୍ରୀ  କୁଲା, ପରିଡା, ଚାଙ୍ଗୁଡି, ଧାନ ସାଇତି ରଖିବା ପାଇଁ ଜୁଡି,ଢଲା,ଗୁଲି,ବିଞ୍ଚଣା,ବାଉଶଁ ଛପା,ପେଟି,ବାଉଁଶ ଛତା, ତାଟି, ମୁଗୁରା, ଭାତରଖିବା ପାଇଁ ଛିଟିକ ଭଳି ଅନେକ ସାମଗ୍ରୀ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳିଛି।ଏହି ସବୁ ସାମଗ୍ରୀ ପ୍ରସ୍ତୁତି କରିବା ନିମନ୍ତେ ବହୁତ ପରିଶ୍ରମ ସହିତ ପ୍ରାୟ ସପ୍ତାହ କାଳ ସମୟ ଲାଗୁଥିବା ସମ୍ପ୍ରଦାୟର ଲୋକେ ପ୍ରକାସ କରିଛନ୍ତି। ବାଉଁଶ କଳାକୃତି ପରିବାରକୁ ତାଲିମ କି ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ନଥିଲେ ମଧ୍ୟ ତଥାପି ନିଜର ପରିଶ୍ରମ ଓ ଆଗ୍ରହ ବଳରେ ବାଉଁଶ ଭଳି ଲୋପ ପାଇବାକୁ ବସିଥିବା କାରୁକାର୍ଯ୍ୟକୁ ବଞ୍ଚାଇ ରଖିଛନ୍ତି ମେଦ୍ରୀ ସମ୍ପ୍ରଦାୟ। ଏହି ସାମଗ୍ରୀ ପ୍ରସ୍ତୁତ କରିବା ନିମନ୍ତେ ପ୍ରାୟ ଗ୍ରାମ ଠାରୁ ୨୫ କିଲୋମିଟର ଦୂର ଥିବା ନିଶିଖାଲ, ଲେଲିଗୁମ୍ମା କିମ୍ବା ଗୁମ୍ମା ଜଙ୍ଗଲକୁ ଯାଇ ବାଉଁଶ ଆଣିଥାନ୍ତି।ଏଭଳି କୌଳିକ ବୃତ୍ତିକୁ ଜାବୁଡି ଧରିଥିବା କୁଶଳୀ କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହେଉଛି।

Comments are closed.