ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ଅସମ୍ଭବ: ରାୱତ

0

ନୂଆଦିଲ୍ଲୀ : ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଥିବାବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ପି ରାୱତ। ଗୁରୁବାର ଶ୍ରୀ ରାୱତ କହିଛନ୍ତି ଯେ ବିଧିବଦ୍ଧ ଆଇନ ବିନା ଲୋକସଭା ନିର୍ବାଚନ ସହିତ ରାଜ୍ୟଗୁଡିକରେ ବିଧାନସଭା ନିର୍ବାଚନ କରିବା ଅସମ୍ଭବ। ଔରଙ୍ଗାବାଦରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ରାୱତ କହିଛନ୍ତି ଯେ ଦେଶରେ ଗୋଟିଏ ନିର୍ବାଚନ ହେଲେ ଖର୍ଚ୍ଚ କମିବ। ବର୍ଷ ତମାମ ଦେଶରେ ନିର୍ବାଚନର ବାତାବରଣ ସୃଷ୍ଟି ହେବ ନାହିଁ। ଦେଶରେ ଗୋଟିଏ ନିର୍ବାଚନ କରିବା ଲାଗି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ କେନ୍ଦ୍ର ସରକାର ଜୋର ଦେଉଥିବାବେଳେ ଏହା ଉପରେ ସର୍ବସମ୍ମତି ପାଇଁ ଆଲୋଚନା ଚଳାଇଛନ୍ତି। ଲୋକସଭା ନିର୍ବାଚନ ସହିତ ଦେଶରେ ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରାୟ ପାଖାପାଖି ସମୟରେ ହେବ। ଏହିସବୁ ରାଜ୍ୟରେ ଏକକାଳୀନ ନିର୍ବାଚନ କରିବାକୁ ବିଜେପି ଯୋଜନା କରୁଛି। ତେବେ ୮ଟି ରାଜ୍ୟରେ ଏକକାଳୀନ ନିର୍ବାଚନ ହେଲେ ଏହାକୁ ପରିଚାଳନା କରିବାକୁ ନିର୍ବାଚନ ଆୟୋଗ ପ୍ରସ୍ତୁତ ବୋଲି ଶ୍ରୀ ରାୱତ କହିଛନ୍ତି। ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ସହିତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହି ରାଜ୍ୟଗୁଡିକ ହେଲା ଓଡିଶା, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ସିକିମ୍‍ ଓ ଅରୁଣାଚଳ ପ୍ରଦେଶ। ଏହି ୫ଟି ରାଜ୍ୟ ବ୍ୟତୀତ ଯଦି ଆଉ ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଏକକାଳୀନ ହୁଏ ତେବେ ଏହାକୁ ପରିଚାଳନା କରିବାକୁ ଆୟୋଗ ପ୍ରସ୍ତୁତ। ଲୋକସଭା ନିର୍ବାଚନ ସହିତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ୧୪ଲକ୍ଷ ଭିଭିପାଟ୍‍ ମେସିନ ଦରକାର। ମାତ୍ର ଆୟୋଗ ୧୭.୪ଲକ୍ଷ ଭିଭିପାଟ୍‍ ମେସିନ ପାଇଁ ଅର୍ଡର ଦେଇଛନ୍ତି।

Leave A Reply