ଭାରତକୁ ଆଇସିସି ଟୁର୍ଣ୍ଣାମେଣ୍ଟ ଚମ୍ପିଆନ୍‌ କରାଇନପାରିବା ଦୁଃଖ ସର୍ବଦା ରହିବ : ଶାସ୍ତ୍ରୀ

ନୂଆଦିଲ୍ଲୀ  : ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଅବ୍ୟାହତି ନେଇଛନ୍ତି ପୂର୍ବତନ କ୍ରିକେଟର୍‌ ରବି ଶାସ୍ତ୍ରୀ। ତାଙ୍କ ଅଧୀନରେ ଭାରତୀୟ ଦଳ ଅନେକ ଦ୍ବିପାକ୍ଷିକ ସିରିଜ୍‌ରେ ଆଶାତୀତ ସଫଳତା ହାସଲ କରିଥିବା ବେଳେ ଦଳକୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର କୌଣସି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍‌ କରାଇନପାରିବାର ଦୁଃଖ ସର୍ବଦା ରହିବ ବୋଲି ଶାସ୍ତ୍ରୀ ମତ ଦେଇଛନ୍ତି।
ଏକ ଗଣମାଧ୍ୟମ ସହ ସାକ୍ଷାତକାର ଦେଇ ଶାସ୍ତ୍ରୀ କହିଥିଲେ ତାଙ୍କ ଅଧୀନରେ ଭାରତୀୟ ଦଳ ଅନେକ କିଛି ସଫଳତା ହାସଲ କରିଛି ସତ, ତେବେ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିବାର ସ୍ବାଦ କିଛିଟା ଭିନ୍ନ। ସେ ଭାରତୀୟ ଦଳକୁ ଏହି ସ୍ବାଦ ଚଖାଇବାରେ ବିଫଳ ହୋଇଥିଲେ। ଭାରତୀୟ ଦଳ ତାଙ୍କ ଅଧୀନରେ କ’ଣ ସଫଳତା ହାସଲ କରିଛି ବୋଲି ପ୍ରଶ୍ନର ଉତ୍ତରରେ ଶାସ୍ତ୍ରୀ କହିଥିଲେ ଦଳ ବିଦେଶ ମାଟିରେ ବେଶ୍‌ ସଫଳତା ହାସଲ କରିଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ତା’ ମାଟିରେ ଭାରତୀୟ ଦଳ ଟେଷ୍ଟ ସିରିଜ୍‌ରେ ପରାସ୍ତ କରିବାରେ ସକ୍ଷମ ହୋଇଛି। ଭାରତୀୟ ଦଳରେ ପ୍ରତିଭାବାନ୍‌ ଯୁବ ଖେଳାଳିଙ୍କୁ ସାମିଲ କରାଇବାରେ ସେ ପ୍ରାଥମିକତା ଦେଉଥିଲେ ବୋଲି ଶାସ୍ତ୍ରୀ କହିବା ସହ ଏହାଫଳରେ ବର୍ତ୍ତମାନ ଭାରତୀୟ ଦଳ ବେଶ୍‌ ମଜଭୁତ୍‌ ସ୍ଥିତିରେ ରହିଛି ବୋଲି ମତ ଦେଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲରେ ଭାରତୀୟ ଦଳ ବିଜୟ ହେବ ବୋଲି ସେ ଭାବିଥିବା ଶାସ୍ତ୍ରୀ କହିଛନ୍ତି। ତେବେ ନ୍ୟୁଜିଲାଣ୍ଡ ଦଳର ପ୍ରସ୍ତୁତି ଭାରତ ଠାରୁ ଭଲ ଥିଲା ବୋଲି ସେ ସ୍ବୀକାର କରିଛନ୍ତି। ସେହିପରି ୨୦୧୯ ଟି୨୦ ବିଶ୍ବକପ୍‌ରେ ଭାରତୀୟ ଦଳ ମୂଳରୁ ଭଲ ପ୍ରଦର୍ଶନ କରିଥିବା ବେଳେ ଠିକଣା ବେଳେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇ ଚମ୍ପିଆନ୍‌ ହେବାର ସୁଯୋଗ ହାତଛଡ଼ା କରିଥିଲା ବୋଲି ଶାସ୍ତ୍ରୀ କହିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଅବ୍ୟାହତି ନେବା ପରେ ଭବିଷ୍ୟତ ଯୋଜନା କ’ଣ ବୋଲି ପ୍ରଶ୍ନର ଉତ୍ତରରେ ଶାସ୍ତ୍ରୀ କହିଥିଲେ ସେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଯାହା କିଛି ହାସଲ କରିଛନ୍ତି ତାହାକୁ ନେଇ ସନ୍ତୁଷ୍ଟ ଅଛନ୍ତି। ବର୍ତ୍ତମାନ ସେ ପରିବାର ସହ ସମୟ ଅତିବାହିତ କରିବେ। ଭବିଷ୍ୟତରେ ପ୍ରଶିକ୍ଷକ ଭାବେ କୌଣସି ଦଳ ସହ କାମ କରିବାର ସୁଯୋଗ ମିଳିଲେ ସେ ସଂପର୍କରେ ଯାହା କିଛି ନିଷ୍ପତ୍ତି ନେବେ। ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ସହ ତାଙ୍କ ସଂପର୍କ ବେଶ୍‌ ସ୍ବତନ୍ତ୍ର ଏବଂ ଏହା ସର୍ବଦା ବଜାୟ ରହିବ ବୋଲି ଶାସ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ କରାଇ ନ ଦେବାକୁ କେତେକ ବ୍ୟକ୍ତି ଷଡ଼ଯନ୍ତ୍ର କରିଥିଲେ ବୋଲି ଶାସ୍ତ୍ରୀ ଅଭିଯୋଗ କରିଛନ୍ତି। ତେବେ ସେହି ବ୍ୟକ୍ତିମାନେ କିଏ ସେ ସଂପର୍କରେ କୌଣସି ମନ୍ତବ୍ୟ ଦେବାକୁ ଶାସ୍ତ୍ରୀ ମନା କରି ଦେଇଥିଲେ।

Comments are closed.