କୋହଲି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ରବି ଶାସ୍ତ୍ରୀ: ଆଲୋଚନା ଜରିଆରେ ପରିସ୍ଥିତିକୁ ପରିଚାଳନା କରାଯାଇପାରିଥାନ୍ତା

ମୁମ୍ବଇ: ଭାରତୀୟ ଏକ ଦିବସୀୟ କ୍ରିକେଟ ଦଳର ଅଧିନାୟକ ପଦ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ରବି ଶାସ୍ତ୍ରୀ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି, ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ରକ୍ଷା କରାଯାଇ ଏହି ପ୍ରସଙ୍ଗକୁ ସଠିକ ଭାବରେ ପରିଚାଳନା କରାଯାଇପାରିଥାନ୍ତା । ସୂଚନାଯୋଗ୍ୟ ଯେ ବିରାଟ କୋହଲି ୨୦୨୧ ନଭେମ୍ବର ମାସରେ ଟି୨୦ ବିଶ୍ୱ କପ୍‍ ପରେ ଟି୨୦ ଭାରତୀୟ କ୍ରିକେଟ ଦଳର ଅଧିନାୟକ ପଦ ଛାଡିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଭାରତୀୟ କ୍ରିକେଟ ଦଳର ଏକ ଦିବସୀୟ ଅଧିନାୟକ ପଦବୀରୁ ହଟାଇ ଦିଆଯାଇଥିଲା । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଏକଦିବସୀୟ କ୍ରିକେଟ ଦଳର ଅଧିନାୟକ ଭାବରେ ଘୋଷଣା କରାଯାଇଥିଲା । ମନୋନୟନକାରୀମାନେ କହିଥିଲେ ଯେ ଆନ୍ତର୍ଜାତିକ ସ୍ତରରେ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଦେଶରେ ଟେଷ୍ଟ କ୍ରିକେଟ ଏବଂ ଏକ ଦିବସୀୟ ଦଳ ପାଇଁ ଦୁଇଜଣ ଅଧିନାୟକ ରହିବେ । ସେଥିପାଇଁ ଏକ ଦିବସୀୟ ଦଳର ଅଧିନାୟକ ପଦ ଛାଡିବାକୁ କୋହଲିଙ୍କୁ ୪୮ ଘଣ୍ଟା ସମୟ ଦିଆଯାଇଥିଲା । ସେହି ସମୟ ମଧ୍ୟରେ କୋହଲି କୌଣସି ପଦକ୍ଷେପ ନନେବାରୁ ବିସିସିଆଇ ନିଜ ଆଡୁ ତାଙ୍କୁ ହଟାଇ ରୋହିତ ଶର୍ମାଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରିଥିଲା । ତେବେ ବିରାଟ କହିଥିଲେ ଯେ ଏ ସମ୍ପର୍କରେ ତାଙ୍କ ସହିତ ପୂର୍ବରୁ ଯୋଗାଯୋଗ କରାଯାଇନଥିଲା । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଦଳ ମନୋନୟନ କରାଯିବାର ୯୦ ମିନିଟ ପୂର୍ବରୁ ତାଙ୍କୁ ଏକ ଦିବସୀୟ ଦଳର ଅଧିନାୟକ ପଦରୁ ହଟାଯାଉଥିବା ଜଣାଇ ଦିଆଯାଇଥିଲା । ଏ ସମ୍ପର୍କରେ ସୌରଭ ଗାଙ୍ଗୁଲିଙ୍କୁ ପଚାରିବାରୁ ସେ କୌଣସି ମନ୍ତବ୍ୟ ଦେଇନଥିଲେ । ସଂପ୍ରତି ରବି ଶାସ୍ତ୍ରୀ କହିଛନ୍ତି ଯେ, ଗାଙ୍ଗୁଲି ମଧ୍ୟ ଏହି ପ୍ରସଙ୍ଗରେ ତାଙ୍କ ଆଭିମୁଖ୍ୟ ପ୍ରକାଶ କରିବା ଉଚିତ ।

Comments are closed.