ଫେସ୍ବୁକ୍ର ରାଜନୈତିକ ସମ୍ପୃକ୍ତି : ଜୁକରବର୍ଗଙ୍କୁ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଚିଠି

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଫେସବୁକ୍ର ରାଜନୈତିକ ସମ୍ପୃକ୍ତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତ ପାଇଁ କାର୍ଯ୍ୟ କରୁଥିବା ଫେସବୁକ୍ର ଟିମ୍ର ରାଜନୈତିକ ସମ୍ପୃକ୍ତିକୁ ନେଇ କେନ୍ଦ୍ର ସୂଚନା ପ୍ରଯୁକ୍ତି (ଆଇଟି) ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଙ୍ଗଳବାର ଫେସବୁକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖିଛନ୍ତି। ଅଭିଯୋଗ ଅନୁଯାୟୀ ଭାରତରେ କାର୍ଯ୍ୟ କରୁଥିବା ଫେସବୁକ୍ର ବରିଷ୍ଠ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିଛନ୍ତି।
ଚିଠିରେ ପ୍ରସାଦ ଲେଖିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଫେସବୁକ୍ ପ୍ରଧାନମନ୍ତ୍ରୀ ଓ କେତେକ କେନ୍ଦ୍ରମନ୍ତ୍ରୀ ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ। ଫେସବୁକ୍ର ଭାରତୀୟ ଅଧିକାରୀମାନେ ରାଜନୈତିକ ପ୍ରରୋଚନାରେ ଏପରି କାର୍ଯ୍ୟ କରିଥିବା ରବିଶଙ୍କର ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିରୋଧୀ କଂଗ୍ରେସ ଅଭିଯୋଗ କରିଛି ଯେ ଫେସବୁକ କାର୍ଯ୍ୟ ନିର୍ବାହୀ ଅଙ୍କଖି ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି।