ରେଭେନ୍ସା ଅଶାନ୍ତ

0

କଟକ ସହର : ଛାତ୍ର ସଂସଦ ନିର୍ବାଚନ ବାତିଲ୍‍କୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ ହୋଇପଡ଼ିଛି। କାର୍ଯ୍ୟନିର୍ବାହୀ ପରିଷଦ(ଇସି)ର ପୂର୍ବ ନିଷ୍ପତ୍ତି ଅନୁଯାୟୀ ସୋମବାର ପୂର୍ବାହ୍ଣରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ନିର୍ବାଚନ ପ୍ରତ୍ୟକ୍ଷ ଭାବେ କରାଇବା ପାଇଁ ବିଦ୍ୟାର୍ଥୀମାନେ କର୍ତ୍ତୃପକ୍ଷଙ୍କ ନିକଟରେ ପୂର୍ବରୁ ଦାବି କରିଥିଲେ। ସେମାନଙ୍କ ଦାବିକୁ ହେୟଜ୍ଞାନ କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମନଇଚ୍ଛା ପରୋକ୍ଷ ନିର୍ବାଚନ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଥିବା ଜାଣିବା ପରେ ଆଜି ବିଦ୍ୟାର୍ଥୀମାନେ ଏକତ୍ର ହୋଇଥିଲେ। ଏହି ନିଷ୍ପତ୍ତିକୁ ବିରୋଧ କରି କେତେକ ବିଦ୍ୟାର୍ଥୀ ସମସ୍ତ ଶ୍ରେଣୀ ଗୃହ ବନ୍ଦ କରିବା ସହ ଅପରାହ୍ଣରେ କୁଳପତିଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସଂଧ୍ୟା ୬ଟାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍‍ କରାଯାଇଥିବା ଘୋଷଣା କରିଥିଲେ।
ଚଳିତ ବର୍ଷ ଛାତ୍ର ସଂସଦ ପରିବର୍ତ୍ତେ ପରୋକ୍ଷ ଭାବେ ଛାତ୍ର ପରିଷଦ ନିର୍ବାଚନ କରାଇବାକୁ ରେଭେନ୍ସା ବିଶ୍ୱବିଦ୍ୟାଳୟ କାର୍ଯ୍ୟନିର୍ବାହୀ ପରିଷଦ(ଏକ୍‍ଜିକ୍ୟୁଟିଭ୍‍ କାଉନସିଲ୍‍) ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଛାତ୍ର ସଂସଦ ନିର୍ବାଚନ ହେବା ଦ୍ୱାରା ବିଶ୍ୱବିଦ୍ୟାଳୟ ପରିସରରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଏହାକୁ ରୋକିବା ପାଇଁ ଛାତ୍ର ପରିଷଦ ନିର୍ବାଚନ କରିବାକୁ ସେପ୍ଟେମ୍ବର ୨୮ରେ ଅନୁଷ୍ଠିତ ଇସି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ନିଷ୍ପତ୍ତିକୁ ବିଦ୍ୟାର୍ଥୀ ଓ ବିଭିନ୍ନ ଛାତ୍ର ସଂଗଠନ ବିରୋଧ କରି ଆନ୍ଦୋଳନ କରିବେ ବୋଲି ଧମକ ଦେଇଥିଲେ। ଫଳରେ ଛାତ୍ର ପରିଷଦ ବଦଳରେ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ଏହି ଛାତ୍ର ସଂସଦରେ ସଭାପତି, ସମ୍ପାଦକ ଭଳି ସମସ୍ତ ପଦ ରହିବ; କିନ୍ତୁ ନିର୍ବାଚନ ପରୋକ୍ଷ ଭାବେ ହେବ ବୋଲି କୁଳପତି ପ୍ରଫେସର ଈଶାନ କୁମାର ପାତ୍ର ଘୋଷଣା କରିଥିଲେ। କୁଳପତିଙ୍କ ଘୋଷଣା ଅନୁଯାୟୀ ସିଧାସଳଖ କୌଣସି ନିର୍ବାଚନ ହେବ ନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଅକ୍ଟୋବର ୧୧ ତାରିଖରେ ହିଁ ନିର୍ବାଚନ ହେବ। ଏହି ଦିନ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମେ ବିଭିନ୍ନ ଶ୍ରେଣୀର ବିଦ୍ୟାର୍ଥୀ ସେମାନଙ୍କ ପ୍ରତିନିଧିଙ୍କୁ ଭୋଟ ଦେବେ। ଦ୍ୱିତୀୟ ପର୍ଯ୍ୟାୟରେ କେବଳ ଏହି ପ୍ରତିନିଧିମାନେ ହିଁ ଛାତ୍ର ସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ଅଥବା ଭୋଟ ଦେଇ ପାରିବେ।
କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରି ଆଜି ସକାଳ ପ୍ରାୟ ୯ଟାରେ ବିଦ୍ୟାର୍ଥୀମାନେ ଏକତ୍ର ହୋଇ ପିକେଟିଂ କରିବା ସହ ଶ୍ରେଣୀଗୃହ ବର୍ଜନ କରିଥିଲେ। ପରିସରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଚାଲିଥିବାବେଳେ ମଧ୍ୟାହ୍ଣରେ ବିଦ୍ୟାର୍ଥୀଙ୍କ ଦାବିକୁ ଅଗ୍ରାହ୍ୟ କରି ପରୋକ୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ବିଜ୍ଞପ୍ତି ସଂକ୍ରାନ୍ତରେ ଜଣାପଡ଼ିବା ପରେ ୫ଶହରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ଏକତ୍ର ହୋଇ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତିର ପୁନର୍ବିଚାର ନକରିବାରୁ ଅପରାହ୍ଣ ପ୍ରାୟ ୪ଟାରେ ଦଳ ମତ ନିର୍ବିଶେଷରେ ବିଦ୍ୟାର୍ଥୀମାନେ ଏକତ୍ର ହୋଇ କ୍ୟାମ୍ପସ୍‍, ମୁଖ୍ୟ ରାସ୍ତା, ବିଶ୍ୱବିଦ୍ୟାଳୟ ସମ୍ମୁଖ ଓ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିବା ସହ ଆନ୍ଦୋଳନକୁ ବ୍ୟାପକ କରିଥିଲେ।
ଏପଟେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଚାଲିଥିବାବେଳେ ସେପଟେ କୁଳପତି ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗର ମୁଖ୍ୟ, କୁଳସଚିବ, ୱାର୍ଡେନ, ସିସିଡ଼ିଙ୍କୁ ନେଇ ଏକ ଜରୁରୀ ବୈଠକ କୁଳପତିଙ୍କ ସମ୍ମିଳନୀ କକ୍ଷରେ ଚାଲିଥିଲା। ବିଦ୍ୟାର୍ଥୀଙ୍କ ଏପରି ଆନ୍ଦୋଳନକୁ ଦୃଷ୍ଟିରେ ରଖି ସଂଧ୍ୟା ପ୍ରାୟ ୬ଟାରେ ନିର୍ବାଚନକୁ ବାତିଲ୍‍ କରାଗଲା ବୋଲି କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଜଣାପଡ଼ିବା ପରେ ଶହଶହ ସଂଖ୍ୟାର ବିଦ୍ୟାର୍ଥୀ ଏକତ୍ର ହୋଇ କୁଳପତିଙ୍କ ସମ୍ମିଳନୀ କକ୍ଷ ଆଡ଼କୁ ମାଡ଼ି ଆସିଥିଲେ। ସେମାନେ ସମ୍ମିଳନୀ କକ୍ଷ ସମ୍ମୁଖ ରାସ୍ତାକୁ ଅବରୋଧ କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ବୈଠକ ଶେଷ ହୋଇଥିଲେ ହେଁ ଦୀର୍ଘ ସମୟ ଧରି ଅଧିକାରୀମାନେ ବାହାରକୁ ବାହାରି ପାରି ନଥିଲେ। ଇତି ମଧ୍ୟରେ କୁଳସଚିବ ଅସୁସ୍ଥ ହୋଇପଡ଼ିବାରୁ ଛାତ୍ରଛାତ୍ରୀମାନେ ତାଙ୍କୁ ବାହାରକୁ ଯିବାକୁ ଦେଇଥିଲେ। ତେବେ କୁଳପତିଙ୍କ ସମେତ ବିଭିନ୍ନ ବିଭାଗର ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଅଧିକାରୀ ବାହାରକୁ ବାହାରି ପାରି ନଥିଲେ। ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ ଥିବାରୁ ସେଠାରେ ବ୍ୟାପକ ପୁଲିସ୍‍ ମୁତୟନ କରାଯାଇଛି। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପାଇଁ ପୁଲିସ୍‍ ଉଦ୍ୟମ କରିଥିଲେ ହେଁ ତାହା ବିଫଳ ସାବ୍ୟସ୍ତ ହୋଇଥିଲା। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜେ, ସେଥିପାଇଁ ବିଶ୍ୱବିଦ୍ୟାଳୟ ପରିସର ଓ ବିଦ୍ୟାର୍ଥୀଙ୍କ ଉପରେ ପୁଲିସ୍‍ ତୀକ୍ଷ୍ଣ ନଜର ରଖିଛି। ଘଟଣାସ୍ଥଳରେ ଏସିପି ତ୍ରିନାଥ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ମହିଳା ପୁଲିସ୍‍ ଫୋର୍ସ ସମେତ ୩ ପ୍ଲାଟୁନ ପୁଲିସ୍‍ ଫୋର୍ସ, ୨ମହିଳା ପୁଲିସ ଅଧିକାରୀଙ୍କ ସମେତ ୭ଜଣ ପୁଲିସ୍‍ ଅଧିକାରୀ ଓ କମିଶନରେଟ ପୁଲିସ୍‍ ଏବଂ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପରିସରରେ ପୁଲିସ-କର୍ତ୍ତୃପକ୍ଷ- ବିଦ୍ୟାର୍ଥୀଙ୍କ ମଧ୍ୟରେ ଛକାପଞ୍ଛା ଲାଗିରହିଛି। ରାଜ୍ୟପାଳ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛାତ୍ର ସଂଗଠନ ଦାବି କରିଛନ୍ତି।
ନିର୍ବାଚନ ବାତିଲ୍‍ ନେଇ କୁଳପତି ଶ୍ରୀ ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ଲିଙ୍ଗଡ଼ୋ କମିସନଙ୍କ ନିୟମ ମୁତାବକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପରୋକ୍ଷ ନିର୍ବାଚନ କରିବାକୁ ନିଷ୍ପତ୍ତି କରିଥିଲୁ। ତେବେ ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରି କ୍ୟାମ୍ପସ୍‍ରେ ଅଶାନ୍ତି ସୃଷ୍ଟି କରିବାରୁ ସମସ୍ତ ପଦାଧିକାରୀଙ୍କୁ ନେଇ ହୋଇଥିବା ବୈଠକରେ ଚଳିତ ବର୍ଷ ନିର୍ବାଚନ ବାତିଲ୍‍ କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply