କରୋନା ବେଡ଼ିରେ ବାନ୍ଧି ହୋଇଗଲା ରାବଣ ପୋଡ଼ି !

ସାରନଗରୀ : ପୁରାଣ ବର୍ଣ୍ଣିତ ଅନୁଯାୟୀ, ବିଜୟାଦଶମୀ ଦିନ ମର୍ୟ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣକୁ ଯୁଦ୍ଧରେ ପରାସ୍ତ କରିଥିଲେ । ମହାପରାକ୍ରମୀ ରାବଣ ଶ୍ରୀରାମଙ୍କ ଦ୍ୱାରା ନିହତ ହୋଇ ମୋକ୍ଷପ୍ରାପ୍ତି ଲାଭ କରିଥିଲା । ଏହି ସ୍କୃତିକୁ ଉଜାଗର କରିବା ପାଇଁ ରାବଣ ପୋଡ଼ି ଉତ୍ସବ ସାରା ଭାରତରେ ଆୟୋଜନ କରାଯାଇଥାଏ । ମିନି ଇଣ୍ଡିଆ ଭାବେ ପରିଚିତ ରାଉରକେଲାରେ ଦୁର୍ଗାପୂଜାର ସ୍ୱତନ୍ତ୍ର ସ୍ଥାନ ରହିଛି । ରାଉରକେଲାକୁ ଦୁର୍ଗାପୂଜା ଦେଖିବାକୁ ବିଭିନ୍ନ ଅଂଚଳରୁ ଲୋକଙ୍କ ସୁଅ ଛୁଟିଥାଏ, ମାତ୍ର ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ପରିସ୍ଥିତି ସମୂର୍ଣ୍ଣ ଭାବେ ଓଲଟପାଲଟ ହୋଇଯାଇଛି । ପ୍ରଶାସନ ପକ୍ଷରୁ କୋଭିଡ଼ କଟକଣା ଅନୁଯାୟୀ ସମସ୍ତ ପୂଜା କମିଟି ପକ୍ଷରୁ ନିରାଡମ୍ବର ଦୁର୍ଗାପୂଜା ପାଳନ କରାଯାଇ ୪ ଫୁଟ ମୂର୍ତି ଅବା ଫଟୋ, ଘଟ ବସାଇ ପୂଜା ପେଣ୍ଡାଲ ଗୁଡ଼ିକରେ ଦୁର୍ଗାପୂଜାର ଆୟୋଜନ କରାଯାଉଛି ।

ସେହିପରି ବିଜୟା ଦଶମୀ ଦଶହରା ଦିନ ରାବଣ ପୋଡ଼ି ଉତ୍ସବ କରୋନା କଟକଣା ଯୋଗୁ ଚଳିତ ବର୍ଷ ଆୟୋଜନ ହେବ ନାହିଁ । ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ରାବଣ ପୋଡ଼ି ଉତ୍ସବକୁ ସ୍ଥଗିତ ରଖାଯାଇଛି । ଫଳସ୍ୱରୁପ ଶହଶହ ବର୍ଷ ଧରି ପାଳନ ହେଉଥିବା ରାବଣ ପୋଡ଼ି ଉତ୍ସବର ପରମ୍ପରା ଉପରେ ଲାଗିଛି କାଳରୁପୀ କରୋନାର କଳା ନଜର! ରାବଣ ପୋଡ଼ି ଉତ୍ସବ ନହେବା ଯୋଗୁ ଏହା ବହୁ ଶ୍ରଦ୍ଧାଳୁଙ୍କ ମନ ଓ ହୃଦୟକୁ ଏକ ଶକ୍ତ ଆଘାତ ଦେଇଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି ।

ଏଠାରେ ସୂଚନାଯୋଗ୍ୟ, ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ପ୍ରତିବର୍ଷ ଦୁର୍ଗାପୂଜାର ବିଜୟା ଦଶମୀ ଦିନ ରାବଣ ପୋଡ଼ି ଉତ୍ସବର ଆୟୋଜନ କରାଯାଇଥାଏ । କିଛି ବର୍ଷ ପୂର୍ବେ ରାବଣ ପୋଡ଼ି ଉତ୍ସବ ବିଶ୍ରା ଛକ ସ୍ଥିତ ପଡ଼ିଆରେ ଅନୁଷ୍ଠିତ ହେଉଥିଲା । କେବଳ ରାଉରକେଲା ନୁହେଁ, ରାଉରକେଲାର ଆଖପାଖ ଅଂଚଳ ଯେପରି ବୀରମିତ୍ରପୁର, ରାଜଗାଙ୍ଗପୁର, ଜରେଇକେଲା ଆଦି ଅଂଚଳରୁ ବହୁ ଲୋକ ରାବଣ ପୋଡ଼ି ଦେଖିବାକୁ ରାଉରକେଲା ଆସୁଥିଲେ । ସହରର ବିଭିନ୍ନ ସେକ୍ଟର, କଲୋନୀ, ବସ୍ତି ଅଂଚଳରୁ ସପରିବାର ପାଦରେ ଚାଲିଚାଲି ରାବଣ ପୋଡ଼ି ଦେଖିବା ପାଇଁ ବିଶ୍ରା ଛକ ଓଭରବ୍ରିଜ ଉପରେ ଧାଡ଼ିବାନ୍ଧି ରହୁଥିଲେ । ରାବଣ ପୋଡ଼ି ସହିତ ଆତସବାଜି କାର୍ୟ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଥିଲା । ବିଶ୍ରାଛକ ନିକଟ ପଡ଼ିଆରେ କ୍ରମାଗତ ଭାବେ ରାବଣ ପୋଡ଼ି ହେବାପରେ, ଟ୍ରାଫିକ ସମସ୍ୟା ଉତ୍କଟ ହେବା କାରଣରୁ ସେହି ସ୍ଥାନରୁ ରାବଣ ପୋଡ଼ି ଉତ୍ସବକୁ ସେଠାରେ ଆୟୋଜନ ନକରିବାକୁ ତତ୍କାଳୀନ ପ୍ରଶାସନର ନିଷ୍ପତି କ୍ରମେ, ସେକ୍ଟର-୧୩ ଦୁର୍ଗା ମେଲଣ ପଡ଼ିଆରେ ରାବଣ ପୋଡ଼ି ଉତ୍ସବ କରିବାକୁ ସ୍ଥିରିକୃତ କରାଗଲା ।

ରାବଣ ପୋଡ଼ି ଉତ୍ସବ ପାଇଁ ରାବଣ, ଇନ୍ଦ୍ରଜିତ ଓ କୁମ୍ଭକର୍ଣ୍ଣର ଉଚ୍ଚ ପ୍ରତିମା ବାଉର୍ଶ, ନଡ଼ା ଆଦିରେ ଶିଳ୍ପୀ ମାନଙ୍କ ଦ୍ୱାରା ପ୍ରତିବର୍ଷ ପ୍ରସ୍ତୁତ କରାଯାଇଥାଏ । ସେହିପରି ଦକ୍ଷିଣ ରାଉରକେଲାର ଦେଓଗାଁ, ବାଲିଯୋଡ଼ି ତଥା ଜଲଦା ‘ବି’ ବ୍ଲକରେ ପ୍ରତିବର୍ଷ ରାବଣ ପୋଡ଼ିର ଆୟୋଜନ କରାଯାଇଥାଏ । ରାବଣ ପୋଡ଼ି ଉତ୍ସବ ପାର୍ବଣ ରୁତୁ ଦୁର୍ଗାପୂଜାର ଶେଷଦିନର ଏକ ସିଂହଭାଗ କାର୍ୟ୍ୟକ୍ରମ ହୋଇଥିବାରୁ ଏହାକୁ ଦେଖିବାକୁ ସାତରୁ ସତୁରୀ ଦର୍ଶକ(ଶ୍ରଦ୍ଧାଳୁ)ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ । ମାତ୍ର ଚଳିତବର୍ଷ କୋଭିଡ଼ କଟକଣା ଯୋଗୁ ରାବଣ ପୋଡ଼ି ଉତ୍ସବ ମଧ୍ୟ ଫିକା ପଡ଼ି ଯାଇଛି ! ଏହି ଉତ୍ସବରେ ବହୁମାତ୍ରାରେ ଜନଗହଳି ହେବା କାରଣରୁ କରୋନା ବ୍ୟାପିବା ଆଶଙ୍କା ପ୍ରକାଶ ପାଉଥିବାରୁ ପ୍ରଶାସନ ପକ୍ଷରୁ ରାବଣ ପୋଡ଼ି ଉତ୍ସବକୁ ବାଦ ଦିଆଯାଇଛି । ଅପରପକ୍ଷରେ କରୋନା ବେଡ଼ିରେ ବାନ୍ଧି ହୋଇ ପଡ଼ିଛି ପରମ୍ପରାକୁ ସାକ୍ଷୀ ରଖି ବର୍ଷ ବର୍ଷ ଧରି ଚାଲି ଆସୁଥିବା ରାବଣ ପୋଡ଼ି ଉତ୍ସବ ।

Comments are closed.