୭ବର୍ଷ ବ୍ୟବଧାନରେ ରାବଣପୋଡି ଉତ୍ସବ

ଆଠଗଡ :  ଆଠଗଡରେ ଦୀର୍ଘ ୭ବର୍ଷର ବ୍ୟବଧାନ ପରେ ଦଶହରା ଅବସରରେ ବୁଧବାର ରାବଣପୋଡି ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ମହୋତ୍ସବ ପଡିଆରେ ଆଠଗଡ ଯାତ୍ରା କମିଟି ଓ ରାବଣପୋଡି ଉତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ରାବଣପୋଡି ଉତ୍ସବ ଦେଖିବା ପାଇଁ ୫ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା । ପ୍ରତିକୂଳ ପରିସ୍ଥିତି ଓ ଲଘୁଚାପ ଜନିତ ବର୍ଷା ସତ୍ତ୍ବେ ଆୟୋଜକଙ୍କ ଦୃଢ ଇଚ୍ଛାଶକ୍ତି ଏବଂ ଐକ୍ୟଭାବ ଯୋଗୁଁ ରାବଣପୋଡି ଉତ୍ସବ ସଫଳତାର ସହ ସଂପନ୍ନ ହୋଇଥିଲା । ରାମ, ଲକ୍ଷ୍ମଣ ବେଶରେ କଳାକାରଙ୍କୁ ନେଇ ଏକ ବିରାଟ ପଟୁଆର ଭବ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରି ମହୋତ୍ସବ ପଡିଆରେ ପହଞ୍ଚଥିଲେ। ରାବଣପୋଡି ଉତ୍ସବର ସଭାପତି ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ ଉଦବୋଧନ ଦେଇ ଆଠଗଡର ଭାଇଚାରା ନିଆରା ଏବଂ ଏହି ଭାଇଚାରାକୁ ଅତୁଟ ରଖିବା ଓ ଅଧିକ ମଜବୁତ କରିବା ଲାଗି ରାଜନୀତିରୁ ଉପରେ ରହି ଏହିଭଳି ସାଂସ୍କୃତିକ ଓ ସମାଜିକ କାର୍ଯ୍ୟକ୍ରମର ଜାରି ରହିବ ବୋଲି ପ୍ରକାଶ କରିଥିଲେ । ସଂପାଦକ ଶିବନାରାୟଣ ପଟ୍ଟନାୟକ ଆଠଗଡରେ ବନ୍ଦ ହୋଇଯାଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପୂର୍ବବତ୍‍ ଚାଲୁ କରାଯିବ ବୋଲି ପ୍ରକାଶ କରିଥିଲେ । କମିଟିର ଉପସଭାପତି ଅରୁଣ ଦାସ, ସହ ସଂପାଦକ ସତ୍ୟଜିତ୍‍ ଦାସ, ସଭ୍ୟ ସରୋଜ ଦାସ, ତଥାଗତ ପଟ୍ଟନାୟକ, ଯାତ୍ରା କମିଟି ସଭାପତି ହରପ୍ରସାଦ ବାରିକ, କାଉନସିଲର ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଉଦ୍‍ବୋଧନ ଦେଇ ଆଗାମୀ ଦିନରେ ଆଠଗଡର ସାମୟିକ ଉନ୍ନତି ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଜଣାଇଥିଲେ। ପରେ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବା ସହ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ କରାଯାଇଥିଲା।

Comments are closed.