ରାଉରକେଲା ଶିଳ୍ପାଞ୍ଚଳ: କର୍ପୂରଶୂନ୍ୟ କନା

ଆଲୋଚନାଚକ୍ରରେ ସୀମିତ ଶିଳ୍ପ ବିକାଶ, ବିକଳ୍ପ ଯୋଜନା ପାଇଁ ସ୍ପଷ୍ଟ ନୀତିର ଅଭାବ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ପ୍ରୋତ୍ସାହନ ଜରୁରୀ

ରାଉରକେଲା(ସତ୍ୟାନନ୍ଦ ବେହେରା) : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମିଶ୍ରିତ ଅର୍ଥନୀତିର ଫଳସ୍ୱରୂପ ଦେଶର ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଆରମ୍ଭ ହୋଇଥିଲା ରାଉରକେଲା ଇସ୍ପାତ କାରଖାନା। ଏହି କାରଖାନା ପ୍ରତିଷ୍ଠା ହେବାପରେ ଏହାକୁ ଆଧାର କରି ରାଉରକେଲା ସହରରେ ଜନ୍ମ ନେଇଥିଲା ଶିଳ୍ପାଂଚଳ। ରାଉରକେଲା ଇସ୍ପାତ କାରଖାନାର ବିଭିନ୍ନ ୟୁନିଟକୁ ସାମଗ୍ରୀ ଯୋଗାଣ ପାଇଁ ଆରମ୍ଭ ହୋଇଥିବା ଏହି କ୍ଷୁଦ୍ର ଓ ମଧ୍ୟମ ୟୁନିଟଗୁଡ଼ିକ ନିଜ କ୍ଷେତ୍ରରେ ସଫଳ ହୋଇଥିବା ବେଳେ ଶିଳ୍ପାୟନକୁ ନେଇ ଏକ ନୂଆ ପରିବେଶ ସୃଷ୍ଟି ହୋଇଥିଲା। ବିଶେଷ କରି କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା; କିନ୍ତୁ କ୍ରମଶଃ ଏହା କର୍ପୂର ଉଡ଼ିଯାଇ ଖାଲି କନା ପଡ଼ିରହିଥିବା ଭଳି ମନେହେଉଛି।
ଏଠାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦ଟି ସେଡ୍‌ ଥିବାବେଳେ ପରବର୍ତ୍ତୀ ସମୟରେ ଏହା ପାଖାପାଖି ୧୦୦କୁ ବୃଦ୍ଧି ପାଇଥିଲା। ଇଡକୋ ଉପରେ ଏହି ଶିଳ୍ପାଂଚଳର ରକ୍ଷଣାବେକ୍ଷଣ ଭାର ପଡ଼ିଥିଲା। ସୁନ୍ଦରଗଡ଼ ଜିଲାରେ ଇସ୍ପାତ କାରଖାନାକୁ ଆଧାର କରି ପ୍ରଥମ ଶିଳ୍ପାୟନର ପ୍ରଭାବ ଏହିଠାରୁ ଆରମ୍ଭ ହୋଇଥିଲା। ପରେପରେ ରାଉରକେଲା କମର୍ସିିଆଲ ଇଷ୍ଟେଟ ଓ କଲୁଙ୍ଗା ଶିଳ୍ପାଂଚଳ ଆରମ୍ଭ ହୋଇଥିଲା। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର କ୍ରମ ବିକାଶ ଗତିଶୀଳ ହେଉଥିବା ବେଳେ ରାଉରକେଲା ଇସ୍ପାତ କାରଖାନାର ଆଧୁନିକୀକରଣ ସମୟରେ ହୋଇଥିବା ଚର୍ଚ୍ଚିତ ଦୁର୍ନୀତି ଶିଳ୍ପବଜାର ଉପରେ ସମ୍ପୂର୍ଣ୍ଣ ପ୍ରଭାବ ପକାଇଥିଲା। ରାଉରକେଲା ଇସ୍ପାତ କାରଖାନା ଏହି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକଠାରୁ ଆଉ ସାମଗ୍ରୀ ନେବା ଏକପ୍ରକାର ବନ୍ଦ କରିଦେବାରୁ ଏହାର ସିଧାସଳଖ ପ୍ରଭାବ ଏହି ଶିଳ୍ପ ଉପରେ ପଡ଼ିଲା। ଏହା ସହିତ ପାଣି, ବିଦ୍ୟୁତ, ପରିବହନ ଆଦି ବ୍ୟବସ୍ଥାର ପ୍ରତିକୂଳ ପ୍ରଭାବ ଏହି ଶିଳ୍ପଗୁଡ଼ିକୁ ପ୍ରଭାବିତ କଲା।
ଏହି ଶିଳ୍ପାଂଚଳ ଗଠନବେଳେ ଏହା ରାଉରକେଲା ସହରର ଏକ ଖୋଲାଅଂଚଳ ଭାବେ ପରିଚିତ ଥିଲା। ପାନପୋଷ ପରି ଏହି ଅଂଚଳ ଖୋଲାଥିବାରୁ ଏଠାରେ ଶିଳ୍ପାଂଚଳର ପରିକଳ୍ପନା କରାଯାଇଥିଲା। ତେବେ ବାସନ୍ତୀ କଲୋନୀ ଓ ପରେ ଛେଣ୍ଡ କଲୋନୀ ଗଠନ ହେବାପରେ ଜନବସତି ବଢିଲା। ଏହି ଜନବସତି ପରିବ୍ୟାପ୍ତ ହେଲା। ସେହି ଅନୁସାରେ ଭିତ୍ତିଭୂମିର ବିକାଶ ସାଙ୍ଗକୁ ଏହାର ଆଖପାଖ ଅଂଚଳରେ ବିଭିନ୍ନ ବସ୍ତି ଗଢି ଉଠିଲା। ଏହି ଶିଳ୍ପକୁ ଆଧାର କରି ଲେବର ଟେନାମେଣ୍ଟ ଭଳି କଲୋନୀ ଜନ୍ମନେଲା। ଏଠାରୁ ସାମଗ୍ରୀ ପରିବହନରେ ଅସୁବିଧା ସୃଷ୍ଟି ହେଲା। ଅପରପକ୍ଷରେ ସହର ବାହାରକୁ ଲାଗିରହିଥିବା ସ୍ଥାନରେ ସମାନ ଧରଣର ଶିଳ୍ପ କରିଥିବା କର୍ତ୍ତୃପକ୍ଷ ପରିବହନ ବ୍ୟବସ୍ଥାରେ ସୁବିଧା ପାଇଲେ। ଏହିଭଳି ପାରିପାର୍ଶ୍ବିକ ଅଭାବ ଅସୁବିଧା ଫଳରେ ଏହି ଉତ୍ପାଦ ଶିଳ୍ପ ଗୁଡ଼ିକ ସଙ୍କଟରେ ପଡ଼ିବାକୁ ଲାଗିଲା। ଆରଏସପିରେ ଆରମ୍ଭ ହୋଇଥିବା ସଙ୍କଟକୁ ନେଇ ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହେବାକୁ ଲାଗିଲା; ଫଳରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା ଆପଣେଇଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ସେଲର ନିଷ୍ପତ୍ତି ଓ ରାଜ୍ୟ ସରକାରଙ୍କ ଶିଳ୍ପ ନୀତି ମଧ୍ୟରେ ସମନ୍ୱୟର ଅଭାବ ଏହି ବ୍ୟବସ୍ଥାର ବିଫଳତା ପାଇଁ ଦାୟୀ ବୋଲି କୁହାଯାଉଛି।
ରାଜ୍ୟ ସରକାର ଏଠାରେ ଏକ ଜିଲା ଶିଳ୍ପକେନ୍ଦ୍ର ପ୍ରତିଷ୍ଠା କରିଥିବା ବେଳେ ଏବେ ଏହା ଆଞ୍ଚଳିକ ଶିଳ୍ପ କେନ୍ଦ୍ରରେ ପରିଣତ ହୋଇଛି। ପ୍ରୋତ୍ସାହନ ଓ ସ୍ପଷ୍ଟ ନୀତି ଅଭାବରୁ ଏଠାରେ ଉତ୍ପାଦ ଶିଳ୍ପର ସ୍ୱରୂପରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି। ଅନେକ ସ୍ଥାନରେ ଗୋଦାମ ଘର, ଏପରିକି କେଉଁଠାରେ ବିବାହ ପାଇଁ କଲ୍ୟାଣ ମଣ୍ଡପ ମଧ୍ୟ ପ୍ରତିଷ୍ଠା ହୋଇଛି। କଲୁଙ୍ଗା ଶିଳ୍ପାଂଚଳରେ ପରିବହନ ଓ ଆନୁଷଙ୍ଗିକ ବ୍ୟବସ୍ଥାପାଇଁ ଫେବ୍ରିକେସନ ୟୁନିଟଗୁଡିକ ସଫଳ ହୋଇଥିବାବେଳେ ଏଠାରେ ପ୍ରତିକୂଳ ପରିବେଶ ଏହାକୁ ପ୍ରଭାବିତ କଲା। ଏହା ସତ୍ତ୍ବେ ଅନେକ ୟୁନିଟ ଯଥାସମ୍ଭବ ଏହି ଶିଳ୍ପ ସଂସ୍କୃତିକୁ ବଂଚାଇବାକୁ ନିଜସ୍ୱ ପ୍ରଚେଷ୍ଟା ଜାରି ରଖିଛନ୍ତି।
ରୁଗ୍‌ଣ ଶିଳ୍ପର ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏଥିପାଇଁ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟ ଏଠାରେ କାମ କରୁଛି। ଜିଲା ଶିଳ୍ପକେନ୍ଦ୍ରକୁ ଆଂଚଳିକ ଶିଳ୍ପ କେନ୍ଦ୍ରରେ ପରିଣତ କରାଗଲା। କେନ୍ଦ୍ର ସରକାରଙ୍କ ଏନଏସଆଇସି ଏବଂ ରାଜ୍ୟ ସରକାରଙ୍କ ଏମଏସଏମଇ ୟୁନିଟ ରହିଛି। ଇଡକୋ ଭବନ ମଧ୍ୟ ଏଠାରେ କାର୍ଯ୍ୟ କରୁଛି। ତେବେ ପ୍ରଶ୍ନ ଉଠୁଛି ଯେ ସବୁ ବିଭାଗ ଥାଇମଧ୍ୟ ଜିଲାର ପ୍ରଥମ ଶିଳ୍ପାଂଚଳର ଭାଗ୍ୟ ଓ ଭବିଷ୍ୟତର ପରିବର୍ତ୍ତନ ପାଇଁ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଉନାହିଁ କାହିଁକି? ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ଏ ନେଇ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହାର କୌଣିସି ଉତ୍ତର ମିଳିନାହିଁ।
ରାଉରକେଲା ଚାମ୍ବର ଅଫ କମର୍ସର ପ୍ରାକ୍ତନ ସଭାପତି ସୁନୀଲ କୟାଲ କହିଛନ୍ତି ଶିଳ୍ପାଂଚଳର ଏହି ସ୍ଥିତି ସମ୍ପର୍କରେ ପାରପାର୍ଶ୍ବିକ ସ୍ଥିତି ଦାୟୀ। ଶିଳ୍ପାଂଚଳର ପ୍ରଥମ ସେଡ୍‌ ସି-୧ରେ ତାଙ୍କ ବାପା ପ୍ରଥମେ ଏକ ପାଉଁରୁଟି କାରଖାନା ଆରମ୍ଭ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ବହୁ କ୍ଷୁଦ୍ର ଉତ୍ପାଦ ଶିଳ୍ପ ଏଠାରେ ଗଢିଉଠିବା ସହ ରାଉରକେଲା ଇସ୍ପାତ କାରଖାନାକୁ ବିଭିନ୍ନ ସାମଗ୍ରୀ ଯୋଗାଣ ହୋଇଥିଲା। କ୍ରମଶଃ ଇସ୍ପାତ କାରଖାନାର ଆଧୁନିକୀକରଣ ପରବର୍ତ୍ତୀ ପର୍ଯ୍ୟାୟର ପ୍ରଭାବ ସହିତ ପରିବହନ, ବଜାରର ସ୍ଥିତି ଯୋଗୁଁ ଉତ୍ପାଦ ଶିଳ୍ପ ଆଜି ସେବା ପ୍ରଦାନକାରୀ ଶିଳ୍ପରେ ପରିଣତ ହେଲାଣି। ଏହାର ରାସ୍ତାଘାଟ ସମେତ ଭିତ୍ତିଭୂମିର ବିକାଶ ପାଇଁ ଏବେ ଦୁଇ ବିଭାଗ ମଧ୍ୟରେ ଲୁଚକାଳି ଖେଳ ଚାଲିଛି। ଇଡ୍‌କୋ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବା ଉଚିତ ବୋଲି ମହାନଗର ନିଗମ କହୁଥିବା ବେଳେ ଏହା ମହାନଗର ନିଗମ ଅଂଚଳରେ ଥିବାରୁ ଏହାର ଦାୟିତ୍ୱ ନିଗମ ନେବା ଉଚିତ ବୋଲି ଇଡକୋ କହୁଛି। ଏହି ଦ୍ୱନ୍ଦ୍ବ ଭିତରେ ଭିତ୍ତିଭୂମିର ବିକାଶ ପଛରେ ପଡ଼ିଛି। କେବଳ ସରକାରୀ ବିଭାଗଗୁଡ଼ିକର କାର୍ଯ୍ୟାଳୟ ଏଠାରେ ଖୋଲିଥିବା ବେଳେ ଅନେକ ସମୟରେ ଶିଳ୍ପର ବିକାଶ କେବଳ ଆଲୋଚନାଚକ୍ରରେ ସୀମିତ ରହିଛି।
ଓଡ଼ିଶା ଯୁବ ଉଦ୍ୟୋଗ ସଂଘର ଧୀରେନ ସେନାପତିଙ୍କ କହିବା ଅନୁଯାୟୀ ଆରଏସପିକୁ ଆଧାର କରି ଏହି ଶିଳ୍ପ ଗଢି ଉଠିଥିଲା। ଆରଏସପିର ଏଠାରୁ ଉତ୍ପାଦ ସାମଗ୍ରୀ କ୍ରୟ ବନ୍ଦ କରିବା ପରେ ଏହାର ପ୍ରତିକୂଳ ପ୍ରଭାବ ଏହି ଶିଳ୍ପ ଉପରେ ପଡ଼ିଥିଲା। ବିଶେଷ କରି ରାଜ୍ୟ ସରକାର ଏଠାରୁ ଉତ୍ପାଦିତ ଦ୍ରବ୍ୟର ବଜାର ସୃଷ୍ଟି ପାଇଁ କୌଣସି ପ୍ରଯତ୍ନ କରିନାହାନ୍ତି। ଏଠାରେ ଥିବା ଇପିଏମ (ଏକ୍ସପୋର୍ଟ ପ୍ରମୋସନାଲ ମାର୍କେଟିଙ୍ଗ) ସଂସ୍ଥା ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ରହିଥିବା ବେଳେ ନୂତନ ଶିଳ୍ପ ସୃଷ୍ଟି ପାଇଁ ଧ୍ୟାନ ଦିଆଯାଉ ନାହିଁ। ଏଠାରେ ଥିବା ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ବିଭିନ୍ନ ସଂସ୍ଥା ବିକଳ୍ପ ଶିଳ୍ପ ପାଇଁ ମଧ୍ୟ କୌଣସି ଯୋଜନା ପ୍ରସ୍ତୁତ କରୁନଥିବା ଶ୍ରୀ ସେନାପତି କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଏଠାରେ ଥିବା ବ୍ୟାପକ ଭିତ୍ତିଭୂମିରେ ବିକଳ୍ପ ଶିଳ୍ପ ପାଇଁ ଅସୀମ ସମ୍ଭାବନା ରହିଛି। ବିଶେଷକରି ନୂଆଗାଁ, ବିଶ୍ରା, ଲାଠିକଟା​‌ରେ ଉତ୍ପାଦିତ ହେଉଥିବା ପନିପରିବାକୁ ନେଇ ଏଠାରେ ଖାଦ୍ୟ ପ୍ରକ୍ରିୟାକରଣ ଭଳି ଶିଳ୍ପକୁ ପ୍ରୋତ୍ସାହିତ କରିବାରେ କିଛି ଅସୁବିଧା ନାହିଁ। ଏହାଦ୍ୱାରା ଜିଲାର କୃଷକ ଉପକୃତ ହେବା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ମତପ୍ରକାଶ ପାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସରକାର ଏବେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଗୁରୁତ୍ୱ ଦେଉଛନ୍ତି। ଏଠାରେ ମଧ୍ୟ ତାକୁ କାର୍ଯ୍ୟକାରୀ କଲେ ଅସ୍ତିତ୍ୱ ହରାଉଥିବା ଶିଳ୍ପାଂଚଳ ଏକ ନୂଆ ରୂପ ନେଇପାରିବ। ଏହା ବ୍ୟତୀତ ପାରିପାର୍ଶ୍ବିକ ପରିବେଶ ଓ ସ୍ଥିତିକୁ ଦୃଷ୍ଟିରେ ରଖି ନୂତନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ପାଇଁ ଧ୍ୟାନ ଦିଆଗଲେ ଅଂଚଳର ଆର୍ଥିକ ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରି ପାରିବ।

Comments are closed.