ଦାଉ ସାଜିଲା ପ୍ରଶାସନ, ସହାୟତାର ହାତ ବଢ଼ାଇଲେ ନବରଙ୍ଗପୁରର ପୂର୍ବତନ ନଗରପାଳ

ନବରଙ୍ଗପୁର: ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ ହେବ ନବରଙ୍ଗପୁର ସହରର ଆରସିଡ଼ି ହାଇସ୍କୁଲ ପାଚେରୀ ପ୍ରାଙ୍ଗଣରେ ଥିବା ଛଟିଆ ଚଣା ଦୋକାନକୁ ପ୍ରଶାସନ ତରଫରୁ ଭାଙ୍ଗି ଦେଇଥିବା ଯୋଗୁଁ ଅସହାୟ ହୋଇ ପଡି ରହିଥିବା ଚଣା ଦୋକାନୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ନବରଙ୍ଗପୁର ପୌର ପରିଷଦର ପୂର୍ବତନ ନଗରପାଳ ଅର୍ଜୁନ ତ୍ରିପାଠୀ।

ନବରଙ୍ଗପୁର ସହରର ମଧ୍ୟଭାଗରେ ଥିବା ଆରସିଡ଼ି ହାଇସ୍କୁଲ ପାଚେରୀ ସମ୍ମୁଖରେ ପ୍ରାୟ ୬୦ ବର୍ଷରୁ ଉର୍ଦ୍ଧ ହେବ ତାଙ୍କ ବାପା ଦାଦି ଅମଳରୁ ଏକ ଚଣା ଦୋକାନ କରି ଚାଲିଆସୁଥିଲା ସେମାନଙ୍କ ପରିବାର । ନବରଙ୍ଗପୁର ସହରର ସମସ୍ତଙ୍କ ପରିଚିତ ଚଣା ବ୍ୟବସାୟୀଙ୍କୁ ସମସ୍ତେ ଚଣା ଭାଇନା ଭାବେ ଜାଣନ୍ତି । ତାଙ୍କ ଚଣା ଯିଏ ଥରେ ଖାଇଛି ସେ ପୁନର୍ବାର ସେଠାକୁ ଆସିଥାନ୍ତି । ସମସ୍ତଙ୍କର ପ୍ରିୟ ଚଣା ଭାଇନାଙ୍କ ପରିବାରରେ ୧୩ ଜଣ କୁଟୁମ୍ବ। ଏହି ଦୋକାନ ରୋଜଗାରରୁ ଚଳି ଆସୁଥିଲେ ପରିବାର । ବର୍ତମାନ ଉକ୍ତ ହାଇସ୍କୁଲକୁ ମୋଡେଲ ହାଇସ୍କୁଲ ଭାବେ ଗଢିବା ପାଇଁ ରାଜ୍ୟସରକାରଙ୍କ ନିର୍ଦେଶ ଆସିବା ପରେ ବିଦ୍ୟାଳୟର ଭିତିଭୂମିର ବିକାଶ ପାଇଁ ଚଣା ଭାଇନାଙ୍କ ଦୋକାନକୁ ପ୍ରଶାସନ ତରଫରୁ ଭାଙ୍ଗି ଦିଆଗଲା । ୧୩ ପ୍ରାଣୀ ପରିବାରର ପେଟ ପୋଷୁଥିଲା ଏଇ ଚଣା ଦୋକାନ। ଅସହାୟ ହୋଇପଡିଥିଲେ ଏଇ ପରିବାର। ରୋଜଗାର ଗଲା, ଦୋକାନ ଖଣ୍ଡିଏ ବି ଭାଙ୍ଗିରୁଜି ଚୁରମାର ହେଇଗଲା। ଏଭଳି ଦୁର୍ଦିନରେ ଏଇ ପରିବାରକୁ ସହାୟତାର ହାତ ବଢ଼େଇଲେ ପୂର୍ବତନ ନଗରପାଳ ଅର୍ଜୁନ ତ୍ରିପାଠୀ। ଦୁଇ ବସ୍ତା ଚାଉଳ, ତେଲ, ଡାଲି, ଆଳୁ, ପିଆଜ ପ୍ରାୟ ଏକ ମାସର ରାସନ ସାମଗ୍ରୀ ପ୍ରଦାନ କରି ସେହି ଜାଗା ଅର୍ଥାତ ଆରସିଡ଼ି ହାଇସ୍କୁଲ ପାଖରେ ହିଁ ତାଙ୍କ ପାଇଁ ଏକ ନୂତନ ଦୋକାନ ଗୃହ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ। ପ୍ରଶାସନ ପକ୍ଷରୁ ମଧ୍ୟ ଅତି ଶୀଘ୍ର ତାଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଚଣା ଭାଇନାଙ୍କୁ ପୁନର୍ବାର ଥଇଥାନ କରିବା ପାଇଁ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ନିବେଦନ କରିବା ସହ ଅତି ଶୀଘ୍ର ସେ ପରିବାରର ବଞ୍ଚିବାର ରାହା ତାଙ୍କୁ ଫେରେଇ ଦେବାପାଇଁ ଅନୁରୋଧ କରିଛନ୍ତି ।

Comments are closed.