ଚୌଦ୍ୱାରରେ ଉତ୍ସାହର ସହ ରଥଯାତ୍ରା

ଚୌଦ୍ୱାର : ଚୌଦ୍ୱାର ପୌରାଞ୍ଚଳ ଓ ଏହାର ଆଖପାଖ ଗ୍ରାମାଞ୍ଚଳରେ ପବିତ୍ର ରଥଯାତ୍ରା ସମାରୋହରେ ଅନୁଷ୍ଠିତ ହୋଇଛି । ପୌରପାଳିକା ଚାରବାଟିଆ ହାଉସିଂ ବୋର୍ଡ଼ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭାତରୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯିବା ପରେ ଜୀଉ ମାନଙ୍କୁ ପହଣ୍ଡି କରିି ମନ୍ଦିରରୁ ନିଆଯାଇ ରଥାରୁଢ଼ କରାଯାଇଥିଲା । ଚଳିତ ବର୍ଷ ଠାକୁର ରଜାଭାବେ ସନ୍ତୋଷ କୁମାର ଧର ରଥରେ ଛେରା ପହଁରା କରିବା ପରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଘଣ୍ଟଘଣ୍ଟା, ତୁରୀ, ମହୁରୀ ବାଦ୍ୟ ଓ ଶଙ୍ଖଧ୍ୱନି, ହରିବୋଲ ହୁଳହୁଳି ମଧ୍ୟରେ ମହାପ୍ରଭୁଙ୍କୁ ରଥାରୁଢ଼ କରି ଉତ୍ସାହ ଉଦ୍ଦିପନା ମଧ୍ୟରେ ରଥ ଟାଣି ମାଉସୀ ମା ମନ୍ଦିରକୁ ନେଇଯାଇଥିଲେ। କରୋନା ଜନୀତ ପ୍ରତିବନ୍ଧକ ପାଇଁ ଗତ ୨ବର୍ଷ ଧରି ରଥଯାତ୍ରା ଅନୁଷ୍ଠିତ ହୋଇ ନଥିବାବେଳେ ଚଳିତ ବର୍ଷ ରଥ ଟଣାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିବା ସହିତ ଏହି ପବିତ୍ର ଯାତ୍ରା ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ରଥ ଓ ଦିଅଁଙ୍କୁ ଦର୍ଶନ କରି ଭକ୍ତ ମାନେ ଭାବବିହ୍ୱଳ ହୋଇପଡିଥିଲେ। ମନ୍ଦିର ମ୍ୟାନେଜିଂଟ୍ରଷ୍ଟି ଶୁଭେନ୍ଦୁ ସାମଲଙ୍କ ତତ୍ୱାବଧାନରେରେ ଟ୍ରଷ୍ଟ ବୋର୍ଡ଼ର ସଦସ୍ୟମାନେ ରଥଟଣା ଓ ପୂଜାବିଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ବିଜୟ କୁମାର ମଲ୍ଲିକ, ସୁବ୍ରତ ସାମଲ, ଅର୍ଜୁନ କୁମାର ପଣ୍ଡାଙ୍କ ସମେତ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଚୌଦ୍ୱାର ମଙ୍ଗଳା ସାହି ଜଗନ୍ନାଥ ମନ୍ଦିରରେ ଅନୁରୂପଭାବେ ବିଭିନ୍ନ ଉପଚାର ପୂଜା ପରେ ଦିଅଁ ମାନଙ୍କୁ ପହଣ୍ଡି କରାଯାଇ ରଥାରୁଢ କରାଯାଇଥିଲା। ଡା. ପ୍ରଣାୟାନନ୍ଦ ସ୍ୱାଇଁ ରଥରେ ଛେରାପହଁରା କରିବା ପରେ ତିନି ଦିଅଁଙ୍କୁ ତଳବଜାର ସ୍ଥିତ ମାଉସୀ ମା ମନ୍ଦିରକୁ ନିଆଯାଇଥିଲା।ନବଗ୍ରହ ସାହିରେ ନିଳାଚଳ ଜଗନ୍ନାଥ ପରିବାର ତରଫରୁ ଆୟୋଜିତ ରଥଯାତ୍ରାରେ ଅଜିତ୍ କୁମାର ସ୍ୱାଇଁ ଛେରା ପହଁରା କରିଥିଲେ । କପାଳେଶ୍ୱର, ଓଟିଏମ୍ କଲେନୀ,ବିଲ୍ଟ ବଜାରର ଜଗନ୍ନାଥ ମନ୍ଦିର ମାନଙ୍କରେ ଘୋଷଯାତ୍ରା ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଛି । ସେହିପରି ଚୌଦ୍ୱାର, ଗୋଡ଼ି ପାଟଣା, ବେଉରା ସାହି ଆଦି ସ୍ଥାନରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଛି । ମାଉସୀ ମା ମନ୍ଦିର ଗୁଡିକରେ ସଂଧ୍ୟାରେ ଭଜନ ସମାରୋହ ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା । ଚୌଦ୍ୱାର ପୁଲିସ, ପୌରପାଳିକା, ଜନସ୍ୱାସ୍ଥ୍ୟ ବିଭାଗ, ଟାଟା ପାୱାର ବିଦ୍ୟୁତ ବିଭାଗ ତରଫରୁ ଉତ୍ସବ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

Comments are closed.