ରଥଯାତ୍ରା ଉପଲକ୍ଷେ ବୟନ ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଚଳିତ ବର୍ଷ ରଥଯାତ୍ରା ଉପଲକ୍ଷେ ବୟନ ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ରାଜ୍ୟ ହସ୍ତତନ୍ତ ପୁଞ୍ଜି ବିକାଶ ଅନୁଷ୍ଠାନ ଦ୍ୱାରା ଆୟୋଜନ କରାଯାଇଛି। ରାଜ୍ୟରେ ଥିବା ବିଭିନ୍ନ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କରେ ଜଡ଼ିତ ଥିବା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ତାଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପିଓଏଚ୍‌ଆଇ ୨୦୨୨-୨୩ ଯୋଜନାରେ ଏହା ଅନୁଷ୍ଠିତ ହୋଇଛି।
ଆଜି ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଏହି ମେଳାକୁ ଉଦ୍‌ଘାଟନ କରିଛନ୍ତି। ଏହି ଉତ୍ସବରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ବୟନ ଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ମେଳାରେ ବରଗଡ଼, କଟକ, ସୋନପୁର, ଆଠଗଡ଼, ବାରିପଦା, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ବ୍ରହ୍ମପୁର ବୟନମଣ୍ଡଳଗୁଡ଼ିକରୁ ୩୪ଟି ବୁଣାକାର ସମବାୟ ସମିତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ ନିମନ୍ତେ ଯୋଗଦାନ କରିଛନ୍ତି। ସେମାନଙ୍କୁ ୩୪ଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଛି ।

ଏହି ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏକାମ୍ର ହାଟରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗଙ୍କ ପ୍ରଚେଷ୍ଟାରେ ଗତ ଅକେଫାବର ୨୦୨୧ରୁ ଜୁନ୍‌ ୨୦୨୨ ପର୍ଯ୍ୟନ୍ତ ରାଜ୍ୟର ୯୯୪ ଜଣ ହସ୍ତତନ୍ତ ବୁଣାକାର/ସଂସ୍ଥା ଓ ହସ୍ତଶିଳ୍ପ କାରିଗର ଭାଗ ନେଇ ୧୦୨୯ ଲକ୍ଷ ଟଙ୍କାର କାରବାର କରିପାରିଛନ୍ତି, ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ। ଏତଦ୍‌ବ୍ୟତୀତ ଏହି ହାଟରେ ଥିବା ଫୁଡ୍‌ ଷ୍ଟଲମାନଙ୍କରେ ମଧ୍ୟ ୧୮୦ ଲକ୍ଷ ଟଙ୍କାର ବିକ୍ରୟ ହୋଇପାରିଛି। ଏହି ସ୍ୱତନ୍ତ୍ର ହସ୍ତତନ୍ତ ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉତ୍ପାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦% ସରକାରୀ ରିହାତିରେ କିଣିପାରିବେ। ଏହି କାର୍ଯ୍ୟକ୍ରମକୁ ଏସ୍‌ଏଡିଏଚ୍‌ଏସି ସଂସ୍ଥାର ସଭ୍ୟ ସଚିବ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଯୋଜନା କରିଥିଲେ।

Comments are closed.