ଅନିଶ୍ଚିତତାରେ ରଥ ନିର୍ମାଣ

ପୁରୀ: ରଥ ନିର୍ମାଣ କାର୍ୟ୍ୟ ଆରମ୍ଭ ପାଇଁ ଏ ପର୍ୟ୍ୟନ୍ତ ସରକାରଙ୍କ ପକ୍ଷରୁ ଅନୁମତି ମିଳିନି। ବୁଧବାର ନୃସିଂହ ଚତୁର୍ଦଶୀ ତିଥିରେ ରୂପକାର ସେବକଙ୍କ ଦ୍ବାରା ହେବାକୁ ଥିବା ଗୁଜ ଅନୁକୂଳ ହୋଇପାରିନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟି ସୁପାରିସ ସମ୍ପର୍କରେ ରାଜ୍ୟ ଆଇନ ବିଭାଗ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମାଗିଛି। ରଥ ନିର୍ମାଣ କାର୍ୟ୍ୟ ୧୧ ଦିନ ବିଳମ୍ବ ହୋଇସାରିଥିବାରୁ ଏବେ ବି ଯଦି ନିର୍ମାଣ କାର୍ୟ୍ୟ ଆରମ୍ଭ କରାଯାଏ, ତେବେ ନିର୍ଦ୍ଧାରିତ ସମୟରେ ଏହା ଶେଷ ହୋଇପାରିବ ନାହିଁ ବୋଲି ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର ବୁଧବାର ଗଣମାଧ୍ୟମକୁ କହିଛନ୍ତି।

ଅନ୍ୟପକ୍ଷରେ ଏ ସମ୍ପର୍କରେ ଦଇତାପତି ନିଯୋଗ ସଭାପତି ରବି ଦାସମହାପାତ୍ରଙ୍କ ମତ ହେଉଛି ରଥଯାତ୍ରାକୁ ନେଇ ଅନିଶ୍ଚିତତା ବଢିଛି। ଯଦି ରଥଯାତ୍ରା କରିବାକୁ ସରକାର କିମ୍ବା ମନ୍ଦିର ପ୍ରଶାସନ ଚାହୁଁନାହାନ୍ତି ତାହାହେଲେ ପରିଚାଳନା କମିଟି ବୈଠକ ଡାକି କାହିିଁକି ସୁପାରିସ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ରଥଯାତ୍ରା କରାଇ ନ ଦେବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରାଯାଉଥିବା ଶ୍ରୀ ଦାସମହାପାତ୍ର ଅଭିଯୋଗ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇ ନ ଥିବାରୁ ଆଗାମୀ ୧୭ତାରିଖ ଭଉଁରି ତିଥିରେ ଅଖରେ ଚକଡେରା ନୀତି ସମ୍ପନ୍ନ ହେବାନେଇ ଆଶଙ୍କା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପୁରୀ ଜିଲା ଗ୍ରୀନ୍‌ଜୋନ୍‌ରେ ଥିବାରୁ ରଥ ନିର୍ମାଣ ପାଇଁ ଅନୁମତି ଦେବାକୁ ସୋମବାର ମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲା। ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଆଇନ ବିଭାଗ ସଚିବଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ର ସରକାରଙ୍କ ଲକ୍‌ଡାଉନ କଟକଣା ପାଳନ କରାଯାଇ କରୋନା ପ୍ରତିଷେଧକ ବ୍ୟବସ୍ଥା ସହ ରଥ ନିର୍ମାଣ କାର୍ୟ୍ୟପାଇଁ ଅନୁମତି ଦେବାକୁ ଚିଠିରେ ସେ ଉଲ୍ଲେଖ କରିଥିଲେ। ପରିଚାଳନା କମିଟିର ଏଭଳି ସୁପାରିସ ଯୋଗୁଁ ରଥ ନିର୍ମାଣ ପାଇଁ ବାଟ ଫିଟିଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ତିନିରଥର ମୁଖ୍ୟ ମହାରଣାଙ୍କ ସହ ଆଲୋଚନା କରାଯିବା ସଙ୍ଗେ ସଙ୍ଗେ ନିର୍ମାଣ କାର୍ୟ୍ୟ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଥିଲା। ତାହାକୁ ଭିତ୍ତିକରି ଦୁଇଦିନ ଧରି ମହାରଣା ସେବକମାନେ ରଥଖଳାକୁ ଯାଇ ବସି ବସି ଘରକୁ ଫେରୁଛନ୍ତି। ତେଣୁ ରଥ ନିର୍ମାଣ ସମ୍ପର୍କରେ ସରକାର ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।

Comments are closed.