ରଥରେ କନାପକା ଆରମ୍ଭ ; ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ

ପୁରୀ : ରଥରେ ଆରମ୍ଭ ହୋଇଛି କନାପକା। ଦୁଆର ବେଢାରେ ପ୍ରଥମେ କନା ପକାଯାଉଛି। ଗୁରୁବାର ତାଳଧ୍ବଜ ଓ ନନ୍ଦିଘୋଷ ରଥର ଦୁଆର ବେଢାରେ କୋଠ ସୁଆଁସିଆ ସେବକ କନା ପକାଇଛନ୍ତି। ତିନିରଥ ପାଇଁ ନାଲି, ହଳଦିଆ, ନେଳି ଓ କଳା ରଙ୍ଗର କନାରେ ମଣ୍ଡଣି (ଆବରଣ) ପ୍ରସ୍ତୁତ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥପାଇଁ ନାଲି ଓ ହଳଦିଆ, ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥପାଇଁ ନାଲି ଓ ନେଳି ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥପାଇଁ ନାଲି ଓ କଳା କନା ବ୍ୟବହାର କରାଯାଉଛି। ଏହାଛଡା ଦରଜି ସେବକମାନେ ତିନିରଥ ପାଇଁ କନକମୁଣ୍ଡି ଚାନ୍ଦୁଆ, ଉଡା ଚାନ୍ଦୁଆ ଏବଂ ସାରଥିଙ୍କ ପୋଷାକ ସମେତ ରଥ ସିଂହାସନ ପାଇଁ ଚକା ଅପସର ତକିଆ ପ୍ରସ୍ତୁତ କରିଛନ୍ତି। ରଥ କନକମୁଣ୍ଡିରେ ଶୁକ୍ରବାର ପିତଳ ଚଦର ପକାଯିବ। ତିନିରଥରେ ପ୍ରଭା ଲଗାଯିବ। ମହାରଣା ସେବକ ରଥର ବିଭିନ୍ନ ସ୍ଥାନ ଯାଞ୍ଚ କରିବା ସହ ଅବଶିଷ୍ଟ କାର୍ଯ୍ୟ ଶେଷପାଇଁ ଉଦ୍ୟମ ଚଳାଇଛନ୍ତି। ରଥର ବିଭିନ୍ନ ଅଂଶ ରଙ୍ଗ କରାଯାଇଛି।

ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଶୁକ୍ରବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ ନେତ୍ରୋତ୍ସବ ଅନୁଷ୍ଠିତ ହେବ। ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ଦର୍ଶନ ଦେବେ ଦାରୁବ୍ରହ୍ମ। ସକାଳ ୬ଟାରେ ଚକା ଅପସର ନୀତି ଅନୁଷ୍ଠିତ ହେବ। ମଙ୍ଗଳଆଳତି ଏବଂ ଅବକାଶ ପରେ ଦଶ ଅବତାର ଠାକୁର ବାହୁଡା ବିଜେ କରିବେ। ଏହାପରେ ତାଟି ଫିଟାଯିବ। ମହାପ୍ରଭୁଙ୍କୁ ନେତ୍ରୋତ୍ସବ ବନ୍ଦାପନା କରାଯିବ। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ଥିବାରୁ ସେବାୟତମାନେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ କରିବାର ସୁଯୋଗ ପାଇବେ। ଠାକୁରଙ୍କୁ ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ବେଶ କରାଯିବା ସହ ଗୋପାଳବଲ୍ଲଭ, ସକାଳଧୂପ, ଭୋଗମଣ୍ଡପ, ଦକ୍ଷିଣିଘର ଭୋଗ, ସନ୍ଧ୍ୟାଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ପହୁଡ ଆଳତି କରାଯିବ। ଦେବସ୍ନାନ ପୂର୍ଣ୍ଣିମା ଦିନ ସ୍ନାନମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନପରେ ଜ୍ବରରେ ପୀଡିତ ହୋଇଥିଲେ ମହାପ୍ରଭୁ। ସ୍ନାନମଣ୍ଡପରୁ ଅଣସର ଘରକୁ ବିଜେ କରିଥିଲେ। ସେବେଠାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା। ଅନବସର ଘରେ ଚାଲିଥିଲା ପ୍ରଭୁଙ୍କ ସେବାପୂଜା। ଶ୍ରୀମନ୍ଦିରରେ ପୂଜା ପାଉଥିଲେ ପଟ୍ଟଦିଅଁ। ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାରୁ ଶୁକ୍ରବାର ଶ୍ରୀମନ୍ଦିରରେ ନେତ୍ରୋତ୍ସବ ଅନୁଷ୍ଠିତ ହେବ। ନବଯୌବନ ରୂପରେ ଦର୍ଶନ ଦେବେ ଦାରୁବ୍ରହ୍ମ।

Comments are closed.