ଏକ୍ରାମ ଖାଁ ଆକ୍ରମଣ ଲାଗି ୧୩ ବର୍ଷ, କଳାପାହାଡ଼ ଲାଗି ୯ ବର୍ଷ ବନ୍ଦ ହୋଇଛି ରଥଯାତ୍ରା

ଭୁବନେଶ୍ବର: କରୋନା ସଂକ୍ରମଣ ଯୋଗୁଁ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେଇଛନ୍ତି। ଏପରି ସ୍ଥିତିରେ ବିନା ଭକ୍ତରେ ରଥଯାତ୍ରା କରିବାକୁ କେହିକେହି ମତ ଦେଉଛନ୍ତି । ମେସିନ ଓ ହାତୀ ଲଗାଇ ରଥଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଉଛି। ତେବେ କେବଳ ଏହିବର୍ଷ ନୁହେଁ, ଅତୀତରେ ବିଭିନ୍ନ କାରଣ ଯୋଗୁଁ ବହୁବାର ରଥଯାତ୍ରା ବାତିଲ ହୋଇଥିବା ଇତିହାସରେ ଉଲ୍ଲେଖ ରହିଛି । ମୁସଲମାନଙ୍କ ଆକ୍ରମଣ ଯୋଗୁଁ ବହୁବାର ରଥଯାତ୍ରା ବନ୍ଦ କରିବାକୁ ପଡ଼ିଛି । ଏକ୍ରାମ ଖାଁ ଆକ୍ରମଣ ଯୋଗୁଁ ଶ୍ରୀକ୍ଷେତ୍ରରେ ଏକାଦିକ୍ରମେ ୧୩ ବର୍ଷ ଓ କଳାପାହାଡ଼ ଆକ୍ରମଣ ଯୋଗୁଁ ୯ ବର୍ଷ ରଥଯାତ୍ରା ବନ୍ଦ ରହିଛି । ମୋଟ ଉପରେ ଗତ ୫୦୦ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ୩୨ ଥର ରଥଯାତ୍ରା ହୋଇଥିବା ଇତିହାସରୁ ଜଣାପଡ଼ିଛି।

୧୬୯୨ରୁ ୧୭୦୪ ପର୍ଯ୍ୟନ୍ତ ରଥଯାତ୍ରା ବନ୍ଦ

୧୬୯୨ ମସିହା ପରଠାରୁ ଏକାଦିକ୍ରମେ ୧୩ ବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପୁରୀରେ ହୋଇ ପାରି  ନଥିଲା । ସୁବେଦାର ଏକ୍ରାମ ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାରୁ ସେତେବେଳର ସେବକ ଓ ପୂଜକମାନେ ତିନି ଠାକୁରଙ୍କୁ ଚିଲିକା ଭିତରେ ଗଡ଼କୋକଲ ଗ୍ରାମରେ ଲୁଚାଇ ରଖିଥିଲେ । ଏହାପରେ ତିନି ଠାକୁରଙ୍କୁ ବାଣପୁରର ହନ୍ତୁଆଡ଼ ବୋଲି ଏକ ଗ୍ରାମରେ ରଖାଯାଇଥିଲା ବୋଲି ଇତିହାସକାରମାନେ କହନ୍ତି । ତେଣୁ ୧୬୯୨ରୁ ୧୭୦୪ ମସିହା ମଧ୍ୟରେ ୧୩ ବର୍ଷ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ନ ଥିବାରୁ ରଥଯାତ୍ରା ବନ୍ଦ ରହିଥିବା କୁହାଯାଏ ।

୧୭୩୩ରୁ ୧୭୩୫ ମଧ୍ୟରେ ରଥଯାତ୍ରା ବନ୍ଦ 

ସେହିପରି ଆଉଜଣେ ମୁସଲମାନ ଆକ୍ରମଣକାରୀ ତକି ଖାଁ ଆକ୍ର୍ରମଣ ଯୋଗୁଁ ୧୭୩୩ରୁ ୧୭୩୫ ମସିହା ପର୍ଯ୍ୟନ୍ତ ରଥଯାତ୍ରା ବନ୍ଦ ରହିଥିବା କୁହାଯାଏ । ୧୭୩୩ ମସିହାରେ ତକି ଖାଁ ଶ୍ରୀମନ୍ଦିର ଆକ୍ରମଣ କରିଥିଲା । ତେଣୁ ସେବକମାନେ ଶ୍ରୀଜୀଉମାନଙ୍କୁ ନେଇ ଲୁଚାଇ ରଖିଥିଲେ ଓ ଗୋପନରେ ସେମାନଙ୍କର ସେବାପୂଜା କରୁଥିଲେ । ଯବନ ଆକ୍ରମଣକାରୀଙ୍କ କୁ ଦୃଷ୍ଟିରୁ ଶ୍ରୀ ଜୀଉଙ୍କୁ ରକ୍ଷା କରିବା ଲାଗି ଏହି ସମୟରେ ୩ ବର୍ଷ ରଥଯାତ୍ରା ବନ୍ଦ ରଖାଯାଇଥିଲା ।

୧୫୬୮ରୁ ୧୫୭୭ ରଥଯାତ୍ରା ବନ୍ଦ

ଅନୁରୂପ ଭାବରେ ପଞ୍ଚଦଶ ଶତାବ୍ଦୀରେ କଳାପାହାଡ଼ ଆକ୍ରମଣ ଯୋଗୁଁ ୧୫୬୮ ମସିହାରୁ ୧୫୭୭ ମସିହା ପର୍ଯ୍ୟନ୍ତ ୯ ବର୍ଷ କାଳ ରଥଯାତ୍ରା ବନ୍ଦ ରହିଥିଲା । କଳାପାହାଡ଼ ଶ୍ରୀମନ୍ଦିର ଆକ୍ରମଣ କରିବା ପରେ ତତ୍କାଳୀନ ସେବକମାନେ ମହାପ୍ରଭୁଙ୍କୁ ନେଇ ଚିଲିକା ନିକଟସ୍ଥ ଏକ ଗାଁରେ ଲୁଚାଇ ରଖିଥିଲେ । ମାତ୍ର କିଛି ଗୁପ୍ତଚର ସେଠାରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଗୋପନରେ ରଖାଯାଇ ପୂଜା କରାଯାଉଥିବା ନେଇ କଳାପାହାଡ଼କୁ ସୂଚନା ଦେଇଥିଲେ । କଳାପାହାଡ଼ ସେଠାରେ ଆକ୍ରମଣ କରି ଶ୍ରୀବିଗ୍ରହମାନଙ୍କ ଦେହରେ ନିଆଁ ଲଗାଇ ଦେଇ ନଦୀରେ ଭସାଇ ଦେଇଥିଲା । ମାତ୍ର ବିଶର ମହାନ୍ତି ନାମକ ଜଣେ ବ୍ୟକ୍ତି ଅର୍ଧଦଗ୍ଧ ଶ୍ରୀବିଗ୍ରହରୁ ବ୍ରହ୍ମ ସଂଗ୍ରହ କରି ଗୋପନରେ ଲୁଚାଇ ରଖିଥିଲେ ଓ ପୂଜା କରୁଥିଲେ । କଳାପାହାଡ଼ ଉତ୍ପାତ ପରେ ପୁନର୍ବାର ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହ ସ୍ଥାପନ ହୋଇଥିଲା ଓ ରଥଯାତ୍ରା ହୋଇଥିଲା।

ସେହିପରି ୧୬୧୧ ମସିହାରେ କଲ୍ୟାଣ ମଲ୍ଲର ଜଣେ ବ୍ୟକ୍ତିର ଆକ୍ରମଣ ଯୋଗୁ ରଥଯାତ୍ରା ସ୍ଥଗିତ ହୋଇଥିଲା। ୧୬୦୭ ମସିହାରେ ହାସିମ୍‌ ଖାଁ ଆକ୍ରମଣ, ୧୬୦୧ ମସିହାରେ ମିର୍ଜା ଖୁରମ୍‌ର ଆକ୍ରମଣ ଯୋଗୁ ମଧ୍ୟ ରଥଯାତ୍ରା ହୋଇପାରି ନ ଥିଲା।

 

Comments are closed.