ହେବ କି ରଥଯାତ୍ରା? ପରିଚାଳନା କମିଟି ଓ ଛତିଶା ନିଯୋଗ ବୈଠକରେ ଆଲୋଚନା

ପୁରୀ: ଶ୍ରୀମନ୍ଦିରରେ ଚଳିତବର୍ଷ ପାଳନ କରାଯିବ ଠାକୁରଙ୍କ ରଥଯାତ୍ରା ବିଧି। ଉତ୍ତମ ବ୍ୟବସ୍ଥା ଯାହା ପରମ୍ପରା ସମ୍ମତ ଏବଂ ଶାସ୍ତ୍ର ସମ୍ମତ ତାହାକୁ ଗ୍ରହଣ କରାଯିବ। ପୂର୍ଣ୍ଣମାତ୍ରାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପାଳନ କରାଯିବ ବୋଲି ଗଜପତି ମହାରାଜା ଶ୍ରୀଦିବ୍ୟସିହ ଦେବ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକ ପରେ ଗଜପତି ମହାରାଜା କହିଲେ, ଅସାଧାରଣ ପରିସ୍ଥିତିରେ ଅସାଧାରଣ ବ୍ୟବସ୍ଥା କରିବାକୁ ହୋଇଥାଏ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ମନ୍ଦିର ଭିତରେ ରଥଯାତ୍ରା ବିଧି ପାଳନ ପାଇଁ ରାଜ୍ୟ ସରକାର ପରାଶର୍ମ ଦେଇଛନ୍ତି। ତେଣୁ ଚଳିତବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିରରେ କିମ୍ବା ରଥ ଉପରେ ଠାକୁରଙ୍କ କୌଣସି ବିଧିପାଳନ କରାଯିବନାହିଁ। ଧର୍ମୀୟ ବ୍ୟବସ୍ଥାରେ ଗଜପତିଙ୍କର କୌଣସି ଭୂମିକା ନ ଥିବା ସେ କହିଛନ୍ତି।

ପୂର୍ବରୁ ରାଜଗୁରୁଙ୍କ ପରାମର୍ଶ ନିଆଯାଉଥିଲା; ଏବେ ଜଗତ୍‌ଗୁରୁ ଶଙ୍କରାଚାର୍ୟ୍ୟଙ୍କ ପରାମର୍ଶ ନିଆଯିବ ବୋଲି ଗଜପତି ମହାରାଜା ପ୍ରକାଶ କରିଛନ୍ତି। ସେ କହିଲେ, ରଥଯାତ୍ରା ବନ୍ଦ ନିର୍ଦେଶର ଏକମାତ୍ର କାରଣ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଏବଂ ଶଙ୍କରାଚାର୍ୟ୍ୟଙ୍କ ପରାମର୍ଶକୁ ଭିତ୍ତିକରି ଚଳିତବର୍ଷ ଶ୍ରୀମନ୍ଦିର ଭିତରେ ଠାକୁରଙ୍କ ରଥଯାତ୍ରା ବିଧି ପାଳନ କରାଯିବ।

ଶ୍ରୀମନ୍ଦିର ଭକ୍ତନିବାସରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ସଭ୍ୟମାନଙ୍କୁ ସୂଚନା ଦେଇଥିଲେ। ଚଳିତବର୍ଷ ରଥଯାତ୍ରା ବନ୍ଦପାଇଁ ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦେଶ ଦେଇଥିବା ସେ ପ୍ରକାଶ କରିଥିଲେ। ଦୀର୍ଘସମୟ ଧରି ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପାଳନ ସହ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ବିଧି ନିମନ୍ତେ ବୈଠକରେ ମତପ୍ରକାଶ ପାଇଛି। ଶ୍ରୀମନ୍ଦିର ଭିତରେ ରଥଯାତ୍ରା ବିଧି ପାଳନ ହେବାକୁ ଯାଉଥିବାରୁ ଶନିବାର ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ୟ୍ୟଙ୍କ ସହ ଆଲୋଚନା ପାଇଁ ବୈଠକରେ ସ୍ଥିର କରାଯାଇଛି।

ଛତିଶା ନିଯୋଗ ବୈଠକ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସେବାୟତ ନିଯୋଗ କର୍ମକର୍ତ୍ତାଙ୍କ ସହ ପରିଚାଳନା କମିଟି ସଭ୍ୟ ଏବଂ ପ୍ରଶାସନିକ ଅଧିକାରୀମାନେ ସେଥିରେ ଉପସ୍ଥିତ ଥିଲେ। ବୈଠକରେ ଗଜପତି ମହାରାଜ ଅଧ୍ୟକ୍ଷତା କରିଥିଲେ। ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ରାଜ୍ୟ ସରକାର କାହିଁକି ରିଭ୍ୟୁ ପିଟିସନ ଦାଖଲ କଲେନାହିଁ ବୋଲି ଜଣେ ସେବକ ପ୍ରଶ୍ନ କରିଥିଲେ। ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର, ଜିଲାପାଳ ବଲୱନ୍ତ ସିଂହ, ଏସ୍‌ପି ଡଃ ଉମାଶଙ୍କର ଦାଶ, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ଝାଞ୍ଜପିଟାମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ, ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା, ଡଃ ସିଦ୍ଧେଶ୍ବର ମହାପାତ୍ର ଏବଂ ଅନନ୍ତ ତିଆଡି ପ୍ରମୁଖ ପରିଚାଳନା କମିଟି ବୈଠକରେ ଉପସ୍ଥିତ ଥିଲେ।

ସୁପ୍ରିମକୋର୍ଟରେ ଆଦେଶର ସଂଶୋଧନ ଆବେଦନ
ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶନାମାର ୨୪ ଘଣ୍ଟା ନ ପୂରୁଣୁ ଏହି ଆଦେଶର ପୁର୍ନବିଚାର ତଥା ସଂଶୋଧନ(ମଡିଫିକେସନ୍‌) ପାଇଁ ଶୁକ୍ରବାର ଦୁଇଟି ଆବେଦନ ଦାଖଲ ହୋଇଛି। ସମଗ୍ର ଓଡ଼ିଶାରେ ରଥଯାତ୍ରା ଆୟୋଜନ ବନ୍ଦ କରିବା ସଂପର୍କିତ ନିର୍ଦେଶନାମାର ଆଂଶିକ ପରିବର୍ତ୍ତନ ନିମନ୍ତେ ନୟାଗଡ଼ ଜିଲାର ଆଫତାବ ହୁସେନଙ୍କ ତରଫରୁ ଆଡଭୋକେଟ ପ୍ରଣୟ ମହାପାତ୍ର ଓ ହର ପ୍ରସାଦ ସାହୁ ଏବଂ ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ତରଫରୁ ଆଡ଼ଭୋକେଟ ହିତେନ୍ଦ୍ର ନାଥ ରଥ ଆବେଦନ କରିଛନ୍ତି। ଜୁନ ୨୩ ଘୋଷଯାତ୍ରା ଦିନ ପୁରୀ ଜିଲାରେ ସଟଡାଉନ ଘୋଷଣା କରାଯିବା ଏବଂ ସେବାୟତ ଓ ମନ୍ଦିର ପୁଲିସଙ୍କ ଉପସ୍ଥିତିରେ ରଥଯାତ୍ରା ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି।

ପିିଟିସନରେ ଦର୍ଶାଯାଇଛି ଯେ, କରୋନା ମହାମାରୀକୁ ରୋକିବାକୁ ପୁରୀ ସମେତ ୧୧ ଜିଲାକୁ ଶନିବାର ଓ ରବିବାର ଦିନ ସଟ୍‌ଡାଉନ କରାଯାଉଛି। ଆସନ୍ତା ଜୁନ ୨୩ରେ ପୁରୀ ଜିଲାରେ ସଟ୍‌ଡାଉନ ଘୋଷଣା ହେଲେ ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରିତ ହେବା ସହ ସୁୁରୁଖୁରୁରେ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ। ଏହାଦ୍ୱାରା ଜଗନ୍ନାଥ ପରମ୍ପରା ଓ ସଂସ୍କୃତି ସୁରକ୍ଷିତ ରହିପାରିବ। ସୁପ୍ରିମକୋର୍ଟଙ୍କ ପ୍ର୍ରତିବନ୍ଧକ ପରେ ରଥଯାତ୍ରା ଏବଂ ଅନ୍ୟାନ୍ୟ ଧାର୍ମିକ ରୀତିନୀତି ବନ୍ଦ ହୋଇଯାଇଛି। ପ୍ରଚଳିତ ପ୍ରଥା ଅନୁଯାୟୀ ଥରେ ରଥଯାତ୍ରା ବନ୍ଦ ହେଲେ ୧୨ ବର୍ଷ ପର୍ୟ୍ୟନ୍ତ ରଥଯାତ୍ରା ଆୟୋଜନ ସ୍ଥଗିତ ରହିବ। ଜଗନ୍ନାଥ ସଂସ୍କୃତି ଓ ନୀତିକାନ୍ତି ଉପରେ ଏହାର କୁପ୍ରଭାବ ପଡ଼ିବା ସହ ଅରାଜକତା ଦେଖାଯାଇପାରେ। ଗତ ଜୁନ ୯ରେ ଓଡ଼ିଶା ହାଇକୋର୍ଟ ରଥଯାତ୍ରା ସଂପର୍କିତ ମାମଲା ଗୁଡ଼ିକର ବିଚାର କରି ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ନିର୍ଦେଶ ଦେଇଥିଲେ। ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ଓଡ଼ିଶା ସରକାର ନିଷ୍ପତି ନିଅନ୍ତୁ ବୋଲି କେନ୍ଦ୍ର ସରକାର ପୂର୍ବରୁ ଚିଠି ମାଧ୍ୟମରେ ଜଣାଇ ସାରିଛନ୍ତି। ସେହିପରି କରୋନା ଗାଇଡ଼ଲାଇନକୁ ପାଳନ କରି ପୁରୀରେ ତିନି ରଥ ନିର୍ମାଣ ସରିଛି ବୋଲି ପୁର୍ନବିଚାର ଆବେଦନରେ କୁହାଯାଇଛି।

ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ତରଫରୁ ଦାଖଲ ଆବେଦନରେ କୁହାଯାଇଛି ଯେ ଗତ ମଇ ୩୦ରେ ସାମାଜିକ ଦୂରତ୍ୱ ନିୟମକୁ ମାନି ପୁରୀ ବଡ଼ଦାଣ୍ଡ ଠାରୁ ଗୁଣ୍ଡିଚା ମନ୍ଦିର ପର୍ୟ୍ୟନ୍ତ ହଜାର ହଜାର ସଂଖ୍ୟାରେ ଜନତା ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ। ରଥଟଣା ବେଳେ ଗୋଟିଏ ରଥକୁ ପ୍ରଥମେ ଟଣା ଯିବା ପରେ ଅନ୍ୟ ରଥକୁ ଟଣା ଯାଇଥାଏ। ପ୍ରତି ରଥ ପିଛା ଅତିବେଶୀରେ ୨ଶହ ଏବଂ ତିନି ରଥ ପାଇଁ ସର୍ବାଧିକ ୬ଶହ ଲୋକ ରଥ ଟଣା କାର୍ୟ୍ୟରେ ଆବଶ୍ୟକ। ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ୨ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ କରେନା କଟକଣା ଏବଂ ଧାରା ୧୪୪ ଜାରି ହେବା ଯୋଗୁଁ ଭକ୍ତ ଆସି ପାରିନଥିଲେ। ଏସଂପର୍କିତ ତଥ୍ୟ ଗୁଡ଼ିକୁ ଓଡ଼ିଶା ସରକାର ଜୁନ ୧୮ ଶୁଣାଣି ବେଳେ ଉପସ୍ଥାପିତ କରିନାହାନ୍ତି ବୋଲି ମଞ୍ଚ ତରଫରୁ ଅଭିଯୋଗ ହୋଇଛି। ସାମାଜିକ ଦୂରତ୍ୱ ପାଳନ ସହ ସେବାୟତଙ୍କ ଦ୍ୱାରା ରଥଟଣା କାର୍ୟ୍ୟ ସମାପନ ହୋଇପାରିବ। ରଥଟଣା ପାଇଁ ସେବକ ଯଥେଷ୍ଟ ବାହାର ଲୋକଙ୍କ ଆବଶ୍ୟକ ନାହିଁ ବୋଲି ମଞ୍ଚ ତରଫରୁ ପିଟିସନ୍‌ରେ ଉଲ୍ଲେଖ କରାଯାଇଛି।

ନିର୍ଦ୍ଦେଶର ପୁନର୍ବିଚାର ହେଉ
ଚଳିତବର୍ଷ ରଥଯାତ୍ରା ବନ୍ଦପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶର ପୁନର୍ବିଚାର ପାଇଁ ଜଗତ୍‌ଗୁରୁ ଶଙ୍କରାଚାର୍ୟ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ସେ ଗଣମାଧ୍ୟମକୁ କହିଲେ, ଯଦ୍ୟପି ମାନ୍ୟବର ଉଚ୍ଚ ନ୍ୟାୟାଳୟ ସମ୍ଭାବ୍ୟ ଉତ୍କଳବାସୀଙ୍କୁ କରୋନା ବିଭୀଷିକାରୁ ରକ୍ଷାକରିବା ପାଇଁ ଏଭଳି ନିର୍ଦେଶ ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ; ତଥାପି ଅତ୍ୟାବଶ୍ୟକୀୟ ବ୍ୟକ୍ତିଙ୍କ ଦ୍ବାରା ଶାସ୍ତ୍ରସମ୍ମତ ପରମ୍ପରା ପ୍ରାପ୍ତ ରଥଯାତ୍ରା ପ୍ରକଳ୍ପ କ୍ରିୟାନ୍ବିତ କରିବା ପୁନର୍ବିଚାର ପାଇଁ ଦୂରଦର୍ଶିତାପୂର୍ଣ୍ଣ ନିର୍ଣ୍ଣୟର ଅବଶ୍ୟ ଆପେକ୍ଷିତ ରହିଛି। ଏହାଦ୍ବାରା ରଥାରୂଢ ଶ୍ରୀଜଗନ୍ନାଥଙ୍କୁ ଯାନ୍ତ୍ରିକ ବିଧିରେ ଦର୍ଶନ ଲାଭକରି ଭକ୍ତବୃନ୍ଦ ଶୋକସନ୍ତପ୍ତରୁ ନିଜକୁ ମୁକ୍ତ କରିବାକୁ ସମର୍ଥସିଦ୍ଧ ହୋଇପାରିବେ ବୋଲି ଶଙ୍କରାଚାର୍ୟ୍ୟ ମତ ଦେଇଛନ୍ତି।

Comments are closed.