ସାଧୁସନ୍ଥଙ୍କୁ ଦିଆଯାଉ ରଥଟଣା ଦାୟିତ୍ବ – ସ୍ୱାମୀ ଶଙ୍କରାନନ୍ଦ ଗିରି

ଭୁବନେଶ୍ବର: ଜଗନ୍ନାଥ ସଂସ୍କୃତିର ପ୍ରାଣକେନ୍ଦ୍ର ଭାବରେ ଯୁଗେ ଯୁଗେ ସାଧୁସନ୍ଥମାନେ ବିଶେଷ ଭୂମିକା ନିର୍ବାହ କରି ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଅଖିଳ ଭାରତୀୟ ସନ୍ଥ ସମିତି, ଓଡ଼ିଶା ଶାଖାର ସଭାପତି ସ୍ୱାମୀ ଶଙ୍କରାନନ୍ଦ ଗିରି ଏକ ବିବୃତି ମାଧ୍ୟମରେ ସଂପ୍ରତି ଶ୍ରୀକ୍ଷେତ୍ରରେ ରଥଟଣାକୁ ନେଇ ଦେଖା ଦେଇଥିବା ଦ୍ୱନ୍ଦ୍ୱ ଓ ଅନିଶ୍ଚିତତାର ଅବସାନ ଘଟାଇ ସାଧୁସନ୍ଥମାନଙ୍କୁ ରଥଟଣା କାର୍ଯ୍ୟକୁ ସମ୍ପାଦନ କରିବାକୁ ଅନୁମତି ଦେବାକୁ ରାଜ୍ୟ ପ୍ରଶାସନ ପାଖରେ ଆବେଦନ କରିଛନ୍ତି। ସ୍ୱାମୀଜୀଙ୍କ ମତ ଅନୁସାରେ ସାଧୁସନ୍ଥମାନଙ୍କୁ ରଥଟଣା କାର୍ଯ୍ୟକୁ ସମର୍ପଣ କଲେ କୌଣସି ବିପଦ ମୁଣ୍ଡ ଟେକିବ ନାହିଁ। ଦରକାର ପଡ଼ିଲେ ସାଧୁସନ୍ଥମାନେ ରଥଯାତ୍ରା ପରବର୍ତୀ ସମୟରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ସମ୍ମାନ ଜଣାଇ ‘ସଙ୍ଗରୋଧ’ ରେ ରହିବାରେ କୌଣସି ଅସୁବିଧା ନାହିଁ। ଅତି ପ୍ରାଚୀନ କାଳରୁ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇ ଆସୁଥିବା ‘ରଥଯାତ୍ରା’ ମହାନ୍ ଭାରତୀୟ ପରମ୍ପରାର ଏକ ଅଂଶବିଶେଷ ଭାବେ ଚିର ଜାଜ୍ଜୁଲ୍ୟମାନ। ଏଭଳି ଏକ ମହାନ୍ ପରମ୍ପରା ଭିତରେ ରଥଟଣା କାର୍ଯ୍ୟକୁ ମେସିନ୍ ଦ୍ୱାରା ସମ୍ପାଦିତ କରିବା ଏକ ନିନ୍ଦନୀୟ କାର୍ଯ୍ୟ ହେବା ସହ ହିନ୍ଦୁଧର୍ମର ଗାରିମାକୁ ଖଣ୍ଡିତ କରିବ। ପ୍ରାଚୀନ ପରମ୍ପରା ଅନୁଯାୟୀ ହାତୀମାନଙ୍କ ସହଯୋଗରେ ଏହି ରଥଟଣା କାର୍ଯ୍ୟ ମଧ୍ୟ କରାଯାଇ ପାରିବ। ଏଥିପାଇଁ ସ୍ୱାମିଜୀ ରାଜ୍ୟ ପ୍ରଶାସନକୁ ଆବେଦନ କରିବା ସହ ରଥଟଣା କାର୍ଯ୍ୟରେ ସାଧୁସନ୍ଥମାନଙ୍କୁ ସାମିଲ୍‌ ହେବା ପାଇଁ ଅନୁମତି ପ୍ରଦାନ କରିବାକୁ ନିବେଦନ କରିଛନ୍ତି।

Comments are closed.