ରଥଯାତ୍ରା ପାଇଁ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ସୁରକ୍ଷା : ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

ତଦାରଖ ଦାୟିତ୍ବରେ ୯୮୨ ଅଧିକାରୀ, ସୁରକ୍ଷା ଓ ସେବାକୁ ପ୍ରାଥମିକତା: ପୁଲିସ ଡିଜି

ପୁରୀ : ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା ପୁଲିସ। ଜଳ, ସ୍ଥଳ ଓ ଆକାଶ ମାର୍ଗରେ ବ୍ୟାପକ ସୁରକ୍ଷା ପାଇଁ ସ୍ଥିର କରାଯାଇଛି। ରାଜ୍ୟ ପୁଲିସ ମହାନିର୍ଦେଶକ ସୁନିଲ କୁମାର ବଂଶଲ ସୋମବାର ପୁରୀ ଗସ୍ତରେ ଆସି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ରଥଯାତ୍ରାରେ ସୁରକ୍ଷା ଏବଂ ସେବାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି। ଦୁଇବର୍ଷ ପରେ ରଥଯାତ୍ରାରେ ସାମିଲ ହେବାକୁ ଭକ୍ତଙ୍କୁ ସୁଯୋଗ ମିଳିଥିବାରୁ ପୂର୍ବାପେକ୍ଷା ଅଧିକ ଭକ୍ତଙ୍କ ସମାଗମ ହେବ। ତେଣୁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ। ଏହାଛଡ଼ା ଆରକ୍ଷୀ ଅଧୀକ୍ଷକ ପାହ୍ୟାର ୧୮ଜଣ ଅଧିକାରୀ ସୁରକ୍ଷା ତଦାରଖ ଦାୟିତ୍ବରେ ରହିବେ। ୩୩ ଅତିରିକ୍ତ ଏସ୍‌ପି, ୭୪ ଡିଏସ୍‌ପି, ୧୩୬ ଇନ୍ସପେକ୍ଟର, ୭୨୧ ସବ୍‌ଇନ୍ସପେକ୍ଟର, ୧୦୭ ହାବିଲଦାର, ୬୭୩ କନଷ୍ଟେବଲ ଏବଂ ୨ହଜାର ୮ଗୃହରକ୍ଷୀଙ୍କୁ ନିୟୋଜିତ କରାଯିବ। ପୂର୍ବ ଅଭିଜ୍ଞତା ଥିବା ପୁଲିସ ଅଧିକାରୀଙ୍କୁ ରଥଯାତ୍ରାରେ ବିଭିନ୍ନ ଦାୟିତ୍ବ ଦିଆଯାଇଥିବା ଶ୍ରୀ ବଂଶଲ ସୂଚନା ଦେଇଛନ୍ତି। ସେ କହିଲେ ରଥଯାତ୍ରା ସୁପରିଚାଳନା ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ପୁଲିସ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ ଓ ଶୃଙ୍ଖଳା) ରାଧାକୃଷ୍ଣ ଶର୍ମା କହିଲେ ଯେକୌଣସି ଅଘଟଣକୁ ପ୍ରତିହତ କରିବା ପାଇଁ ପୁଲିସ ସଜାଗ ହୋଇ ରହିଛି। ପ୍ରତିଟି ଭକ୍ତ ଯେପରି ଭଲ ଅନୁଭୂତି ନେଇ ଫେରିବେ ସେଥିପ୍ରତି ଯତ୍ନବାନ ହେବାକୁ ପୁଲିସ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ସୁରକ୍ଷା, ରଥଟଣା, ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ, ଗୁଣ୍ଡିଚା ମନ୍ଦିର ସୁରକ୍ଷା, ସୁନାବେଶରେ ଗହଳି ନିୟନ୍ତ୍ରଣ ଏବଂ ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ପୁରୀ ପ୍ରବେଶ ପଥରେ ଆତଙ୍କବାଦୀ ନିରୋଧ ବାହିନୀଙ୍କୁ ମୁତୟନ କରାଯିବ। ଏହାଛଡ଼ା ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ସ୍ବତନ୍ତ୍ର ତାଲିମପ୍ରାପ୍ତ ସୁରକ୍ଷା ବାହିନୀ ବିଭିନ୍ନ ସ୍ଥାନରେ ନିୟୋଜିତ ହେବେ। କୌଣସି ସନ୍ଦେହଜନକ ବସ୍ତୁ ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେବାକୁ ରାଜ୍ୟ ଗୁଇନ୍ଦା ନିର୍ଦେଶକ ସଞ୍ଜୀବ କୁମାର ପଣ୍ଡା ପରାମର୍ଶ ଦେଇଛନ୍ତି। ରଥଯାତ୍ରା ସମୟରେ ୧୧୪୧ଜଣଙ୍କୁ ଉପକୂଳ ଓ ରେଳ ସୁରକ୍ଷା ପାଇଁ ନିୟୋଜିତ କରାଯିବ।
ରେଳ ଷ୍ଟେସନରେ ଦଳାଚକଟା ପରିସ୍ଥିତି ଏଡ଼ାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଅତିରିକ୍ତ ମହାନିର୍ଦେଶକ (ପୂର୍ବତଟ ରେଳପଥ ଓ ଉପକୂଳ ସୁରକ୍ଷା) ସୁଧାଂଶୁ କୁମାର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ସମୁଦ୍ର ଭିତରେ ୧୨ ନଟିକାଲ ମାଇଲ ପର୍ଯ୍ୟନ୍ତ ପାଟ୍ରୋଲିଂ କରାଯିବ ବୋଲି ସେ କହିଛନ୍ତି। ପୁରୀ ପୌରସଦନରେ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ନରସିଂହ ଭୋଳ, ଆଇଜି (ଅପରେସନ) ଅମିତାଭ ଠାକୁର, ଆଇଜି (ମୁୁଖ୍ୟ ଦପ୍ତର) ଏସ୍‌.ଏସ୍‌. ଦେବଦତ୍ତ ସିଂହ, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଡିଆଇଜି (ଗୁଇନ୍ଦା) ଅନୁପ କୁମାର ସାହୁ, ଡିଆଇଜି (ଏସ୍‌ଟିଏଫ୍‌) ଜୟନାରାୟଣ ପଙ୍କଜ, ଡିଆଇଜି (ଏସ୍‌ଆଇଡବ୍ଲ୍ୟୁ) ଅନିରୁଦ୍ଧ କୁମାର ସିଂହ, ଭୁବନେଶ୍ବର-କଟକ ଅତିରିକ୍ତ ପୁଲିସ ଆୟୁକ୍ତ ଉମାଶଙ୍କର ଦାଶ ଏବଂ ପୁରୀ ଏସ୍‌ପି କନୱର ବିଶାଲ ସିଂହ ବୈଠକରେ ଉପସ୍ଥିତ ଥିଲେ।

Comments are closed.