ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି

ନୂଆଦିଲ୍ଲୀ: ପୁରୀ ରଥଯାତ୍ରା ପ୍ରସଙ୍ଗରେ ସମସ୍ତଙ୍କ ନଜର ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି। ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବ କି ନାହିଁ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ଉପରେ ନିର୍ଭର କରେ। ଗୁରୁବାର ଦିନ ପ୍ରଧାନ ବିଚାରପତି ଶରଦ ଏସ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ପରେ ଚିତ୍ର ସ୍ପଷ୍ଟ ହେବା ସମ୍ଭାବନା ରହିଛି। ଗତ ସପ୍ତାହକ ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ସପକ୍ଷରେ ଏବଂ ବିପକ୍ଷରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ସୁପ୍ରିମକୋର୍ଟରେ ୭ଟି ମାମଲା ଦାଖଲ ହୋଇଛି।

ସାଧାରଣ ଓଡ଼ିଆ ତଥା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁୁ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟରେ ଭିନ୍ନ ଭିନ୍ନ ତଥ୍ୟ ଉପସ୍ଥାପନ କରଯାଇଛି। ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ଓଡ଼ିଶା ବିକାଶ ପରିଷଦ ଅନୁଯାୟୀ କରୋନା ସଂକ୍ରମଣକୁ ରୋକିବା ପାଇଁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଚଳିତ ବର୍ଷ ରଥଯାତ୍ରା ଆୟୋଜନକୁ ସ୍ଥଗିତ ରଖାଯାଉ। ଧାର୍ମିୟ ଅନୁଷ୍ଠାନ ଗୁଡ଼ିକୁ ଜୁନ ୩୦ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ଓଡ଼ିଶା ସରକାର ନିର୍ଦେଶନାମା ଜାରି କରିଛନ୍ତି। ଗତ ବର୍ଷ ୧୦ ଲକ୍ଷ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପୁଲିସ ବନ୍ଦୋବସ୍ତ କରାଯାଇଥିଲା। ଚଳିତ ବର୍ଷ ରଥଯାତ୍ରାରେ ମହାପ୍ରଭୃଙ୍କ ଦର୍ଶନ ବେଳେ ସାମାଜିକ ଦୂରତ୍ୱ ପାଳନ କରିବା ଆଦୌ ସମ୍ଭବ ନୁହେଁ ପିଟିସନରେ ଆଶଙ୍କା କରାଯାଇଛି।

ପୂର୍ବରୁ ପୁରୀ ଜିଲା ଗ୍ରୀନ ଜୋନରେ ରହିଥିବା ବେଳେ ଗତ କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ରାଜ୍ୟ ସରକାର ପୁରୀକୁ ହାଇ ରିସ୍କ ଜୋନ ଶ୍ରେଣୀରେ ସ୍ଥାନିତ କରିଛନ୍ତି ବୋଲି ପରିଷଦ ତରଫରୁ ରିଟ ପିଟିସନରେ ଦର୍ଶାଯାଇଛି। ତେବେ ଓଡ଼ିଶା ବିକାଶ ପରିଷଦ ତରଫରୁ ସଂବିଧାନର ଧାରା ୩୨ ଅନୁଯାୟୀ ସୁପ୍ରିମକୋର୍ଟରେ ଦାଖଲ ରିଟ ଆବେଦନର ଆଇନଗତ ବୈଧତା ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରତିପକ୍ଷ। ତିନି ଦିନ ମଧ୍ୟରେ ରଥଯାତ୍ରା ସପକ୍ଷରେ ମାମଲାରେ ପକ୍ଷଭୁକ୍ତ ହେବାକୁ ଆବେଦନ କରିଛନ୍ତି ନୟାଗଡ଼ ଅଞ୍ଚଳର ଅଫତାବ ହୁସେନ, ପୁରୀର ତିନି ଜଣ ଓକିଲ ବିଶ୍ୱନାଥ ଦାଶ, ରାମଚନ୍ଦ୍ର ସାହୁ ଓ ଶିବାନନ୍ଦ ଦାସ, ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ଏବଂ ନିିଜ ପକ୍ଷ ରଖିବାକୁ କାଭିଏଟ ମାଧ୍ୟମରେ ଆବେଦନ କରିଛନ୍ତି ଜୟନ୍ତ କୁମାର ବଳ।

ରଥଯାତ୍ରା ସପକ୍ଷବାଦୀ ତଥା ପୁରୀ ଓକିଲଙ୍କ ପକ୍ଷଭୁକ୍ତ ଆବେଦନର ଆଡଭୋକେଟ ଜିତେନ୍ଦ୍ର ମହାପାତ୍ରଙ୍କ ଅନୁଯାୟୀ ରିଟ ଆବେଦନରେ ତଥ୍ୟ ଲୁଚାଯାଇ ସୁପ୍ରିମକୋର୍ଟଙ୍କୁ ବିଭ୍ରାନ୍ତି କରିବାକୁ ଚେଷ୍ଟା ହୋଇଛି। ଓଡ଼ିଶା ହାଇକୋର୍ଟ ମାମଲାର ସଂପୂର୍ଣ୍ଣ ଶୁଣାଣି କରି ଚଳିତ ବର୍ଷ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ କି ନାହିଁ ସେବିଷୟରେ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ଗତ ଜୁନ ୯ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି। ଓଡ଼ିଶା ବିକାଶ ପରିଷଦ ତରଫରୁ ଦାଖଲ ରିଟ ଆବେଦନରେ ହାଇକୋର୍ଟଙ୍କ ଆଦେଶନାମା ବିଷୟରେ କିଛି ଉଲ୍ଲେଖ ହୋଇନାହିଁ। ଯେତେବେଳେ ହାଇକୋର୍ଟ ମାମଲାର ଶୁଣାଣି କରି ଆଦୋଶନାମା ଜାରି କରିସାରିଛନ୍ତି ସେତେବେଳେ ଆଇନ ଅନୁଯାୟୀ ରିଟ ଆବେଦନ ଆଦୌ ଗ୍ରହଣୀୟ ନୁହେଁ। ସୁପ୍ରିମକୋର୍ଟ ଶୁଣାଣିରେ ଏହି ରିଟ ଆବେଦନର ଆଇନଗତ ବୈଧତା ନେଇ ପ୍ରଶ୍ନ କରାଯିବ ବୋଲି ଆଡଭୋକେଟ ମହାପାତ୍ର କହିଛନ୍ତି। ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ଅଣାଯାଇଛି। ଯେତେବେଳେ ମାମଲାର ବିଚାର ସରିଛି ସେତେବେଳେ ରିଟ ଆବେଦନ ଯଥାର୍ଥତା ନେଇ ପ୍ରଶ୍ନ କରିଛନ୍ତି ମଞ୍ଚ ଆଡ଼ଭୋକେଟ ହିତେନ୍ଦ୍ର ନାଥ ରଥ। ସେହିପରି ରଥଯାତ୍ର ବନ୍ଦ ହେଲେ ସମଗ୍ର ବିଶ୍ୱକୁ ଖରାପ ବାର୍ତ୍ତା ଯିବ, ତେଣୁ ବିଶ୍ୱକୁ ଏକତାର ସୂତ୍ରରେ ବାନ୍ଧି ରଖିବାକୁ ରଥଯାତ୍ରା ସପକ୍ଷରେ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯିବ ବୋଲି କହିଛନ୍ତି ପିଟସନକାରୀ ଆଫତାବ ହୁସେନଙ୍କ ଓକିଲ ପ୍ରଣୟ ମହାପାତ୍ର।

ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ମାମଲା ସହ ଜଡ଼ିତ ବିଭିନ୍ନ ପକ୍ଷ ଦିଲ୍ଲୀରେ ବରିଷ୍ଠ ଆଇନଜୀବିଙ୍କ ସହ ବିଚାରବିମର୍ଶ ଚଳାଇଥିବା ଜଣାପଡ଼ିଛି। ଭିଡ଼ିଓ କନଫରେସିଂ ମାଧ୍ୟମରେ ମାମଲାର ଶୁଣାଣି ବେଳେ ଉପସ୍ଥିତ ରହିବା ପାଇଁ ଅନୁମତି ଦେବାକୁ ଓଡ଼ିଶା ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ତରଫରୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରିକୁ ଅନୁରୋଧ କରାଯାଇଛି।

Comments are closed.