ଦାରୁବ୍ରହ୍ମଙ୍କ ଅପେକ୍ଷାରେ ତିନିରଥ

ସକାଳ ୭ଟାରେ ପହଣ୍ଡି, ଦିନ ୧୨ଟାରେ ରଥଟଣା

ପୁରୀ : ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିଛନ୍ତି ତିନିରଥ। ଆକର୍ଷଣୀୟ ଫୁଲ ଏବଂ କନାରେ ରଥଗୁଡିକୁ ସଜ୍ଜିତ କରାଯାଇଛି। ସୋମବାର ଶ୍ରୀଜୀଉଙ୍କ ଭୋଗମଣ୍ଡପ ନୀତିପରେ ରଥଖଳାକୁ ଆଜ୍ଞାମାଳ ବିଜେ କରିଥିଲା। ତିନିଜଣ ପୂଜାପଣ୍ଡା ସେବକ ତିନିଠାକୁରଙ୍କ ଆଜ୍ଞାମାଳ ନେଇ ରଥରେ ଲାଗି କରିଥିଲେ। ରଥଯାତ୍ରା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେବାପରେ ସନ୍ଧ୍ୟା ୬ଟାରେ ରଥଖଳାରୁ ତିନିରଥ ଟଣାଯାଇ ସିଂହଦ୍ବାର ସମ୍ମୁଖକୁ ନିଆଯାଇଛି। ରାତିରେ ଦେଉଳ ପୁରୋହିତ ଏବଂ ଶ୍ରୋତ୍ରିୟ ବ୍ରାହ୍ମଣ ଅଙ୍କୁରାରୋପଣ କରିଛନ୍ତି।

ମଙ୍ଗଳବାର ସକାଳେ ରଥ ପ୍ରତିଷ୍ଠା କରାଯିବ। ଖେଚୁଡି ଭୋଗ ଖାଇ ରଥ ଉପରକୁ ପହଣ୍ଡିବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ସକାଳ ୭ଟାରୁ ପହଣ୍ଡି ଆରମ୍ଭ ହୋଇ ଦିନ ୧୦ଟାରେ ଶେଷହେବ। ତା’ପରେ ରଥକୁ ବିଜେ କରିବେ ମଦନମୋହନ। ଠାକୁରଙ୍କୁ ଚିତାଲାଗି ଏବଂ ବେଶ କରାଯିବ। ଦିନ ୧୧ଟା ୩୦ରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ତିନିରଥରେ ଛେରାପହଁରା କରିବେ। ଏହାପରେ ଚାରମାଳ ଫିଟାଯାଇ ଘୋଡ଼ା ଲଗାଯିବ। ସାରଥି ରଥ ଉପରକୁ ବିଜେ କରିବେ। ଦିନ ୧୨ଟାରେ ରଥଟଣା ଆରମ୍ଭ ହେବ। ସେବକ, ପୁଲିସ କର୍ମଚାରୀ ଏବଂ ସ୍ବେଚ୍ଛାସେବୀଙ୍କ ଦ୍ବାରା ରଥଟଣା ଯିବ। ରଥଯାତ୍ରାରେ କୌଣସି ଭକ୍ତଙ୍କୁ ପ୍ରତ୍ୟକ୍ଷ ଭାବେ ସାମିଲ କରାଯିବ ନାହିଁ।

ତିନିରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ରଥଉପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ରଥଯାତ୍ରାକୁ ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବକଙ୍କ ସହ ଆଲୋଚନା କରାଯାଇଛି। ସେମାନଙ୍କ ପରାମର୍ଶକୁ ଭିତ୍ତିକରି ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଦଇତାପତି ସେବକମାନେ ସୋମବାର ରାତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ ଏବଂ ସେନାପଟା ଲାଗି କରିଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରାପାଇଁ ଦାରୁବ୍ରହ୍ମଙ୍କୁ ପ୍ରସ୍ତୁତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ପ୍ରାତଃ ୩ଟାରେ ଠାକୁରଙ୍କୁ ମଙ୍ଗଳଆଳତି କରାଯିବ। ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା ଏବଂ ଦ୍ବାରପାଳ ପୂଜାପରେ ସକାଳ ୫ଟା ସୁଦ୍ଧା ପ୍ରଭୁଙ୍କୁ ବେଶ କରାଯିବ। ସକାଳ ୫ଟା ୩୦ରୁ ୬ଟା ୩୦ ମଧ୍ୟରେ ଗୋପାଳବଲ୍ଲଭ ଏବଂ ସକାଳଧୂପ କରାଯିବା କାର୍ଯ୍ୟକ୍ରମ ରହିଛି। କୋଭିଡ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିବା ସେବକଙ୍କୁ ରଥଯାତ୍ରାରେ ସାମିଲ ପାଇଁ ମନ୍ଦିର ପ୍ରଶାସନ ଅନୁମତି ଦେଇଛି। ଚଳିତବର୍ଷ ସ୍ବଳ୍ପ ସଂଖ୍ୟକ ସେବକଙ୍କୁ ରଥ ଉପରେ ରହିବାକୁ ଅନୁମତି ଦିଆଯିବ। ସେବକ, ପୁଲିସ କର୍ମଚାରୀ ଏବଂ ରଥଯାତ୍ରା ସହ ସଂପୃକ୍ତ ଅଧିକାରୀମାନେ ମାସ୍କ ପିନ୍ଧିବାକୁ ନିର୍ଦେଶ ଦିଆଯାଇଛି। ସାମାଜିକ ଦୂରତ୍ବ କଟକଣା କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ପ୍ରକାଶ କରିଛନ୍ତି। ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ଜିଲାପାଳ ବଲୱନ୍ତ ସିଂହ କହିଛନ୍ତି।

ଶ୍ରୀଗୁଣ୍ଡିଚା ନୀତିନିର୍ଘଣ୍ଟ
ମଙ୍ଗଳ ଆଳତି – ପ୍ରାତଃ ଘ.୩.୦୦
ମଇଲମ – ଘ. ୩.୧୫
ତଡ଼ପଲାଗି – ଘ ୩.୩୦
ରୋଷହୋମ – ଘ. ୪.୦୦
ଅବକାଶ – ଘ.୪.୩୦
ସୂର୍ଯ୍ୟପୂଜା – ଘ.୪.୪୫
ଦ୍ୱାରପାଳପୂଜା – ଘ.୫.୦୦
ବେଶଶେଷ – ଘ.୫.୦୦
ଗୋପାଳବଲ୍ଲଭ ଓ
ସକାଳଧୂପ – ଘ.୫.୩୦ରୁ ୬.୪୫
ରଥ ପ୍ରତିଷ୍ଠା – ଘ.୬.୪୫
ମଙ୍ଗଳାର୍ପଣ – ଘ.୬.୪୫
ପହଣ୍ଡି ଆରମ୍ଭ – ଘ.୭.୦୦
ପହଣ୍ଡି ଶେଷ – ଦିନ ଘ.୧୦.୦୦
ମଦନମୋହନ ବିଜେ – ଘ.୧୦.୦୦ରୁ ୧୦.୩୦
ଚିତାଲାଗି – ଘ.୧୦.୩୦ରୁ ୧୧.୦୦
ବେଶଶେଷ – ଘ.୧୧.୦୦ରୁ ୧୧.୩୦
ଛେରାପହଁରା – ଘ.୧୧.୩୦
ଚାରମାଳ ଫିଟା, ଘୋଡା ଓ
ସାରଥି ଲାଗିବା – ଘ.୧୧.୪୫ରୁ ୧୨.୦୦
ରଥଟଣା ଆରମ୍ଭ – ଘ.୧୨.୦୦

ରଥଟଣା ଶେଷହେବା ପରେ ରଥଉପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ।

Comments are closed.