ଆଜିଠୁ ୧୬୦ ରଥନିର୍ମାଣ ସେବକଙ୍କ କୋଭିଡ ପରୀକ୍ଷା

ସ୍ନାନଯାତ୍ରା ସମ୍ପର୍କରେ ଦଇତାପତିଙ୍କ ସହ ମନ୍ଦିର ପ୍ରଶାସନର ଆଲୋଚନା

ପୁରୀ : ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା ସମ୍ପର୍କରେ ଦଇତାପତିଙ୍କ ସହ ମଙ୍ଗଳବାର ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀଜୀଉଙ୍କ ଅନବସର ନୀତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ସାମାଜିକ ଦୂରତ୍ବ କଟକଣା ସହ କେବଳ ପାଳିଆ ସେବକଙ୍କୁ ନେଇ ସ୍ନାନଯାତ୍ରା ପାଳନ କରାଯିବାକୁ ସ୍ଥିର ହୋଇଛି।
ଜୁନ୍‌ ୫ତାରିଖରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ ସ୍ନାନମଣ୍ଡପକୁ ବିଜେ କରିବେ। ସେଠାରେ ଠାକୁରଙ୍କୁ ୧୦୮ଗଡୁ ସୁବାସିତ ଜଳରେ ସ୍ନାନ କରାଯିବା ସହ ଆକର୍ଷଣୀୟ ଗଜାନନ ବେଶ କରାଯିବ। ସ୍ନାନଯାତ୍ରା ଆଉ ଅଳ୍ପଦିନ ବାକିଥିବାରୁ ଦଇତାପତିଙ୍କ ସହ ପ୍ରଶାସନିକ ଅଧିକାରୀ ଆଲୋଚନା କରିଛନ୍ତି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଲାପାଳ ବଲୱନ୍ତ ସିଂହ, ଏସ୍‌ପି ଡ. ଉମାଶଙ୍କର ଦାଶ, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ। ଦୁଇଦିନ ମଧ୍ୟରେ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବାକୁ ସ୍ଥିର ହୋଇଛି। ଆଗାମୀ ୧୭ତାରିଖ ଦିନ ଲକ୍‌ଡାଉନ ଅବଧି ଶେଷ ପରେ ପରିଚାଳନା କମିଟି ବୈଠକ ଡକାଯାଇ ଠାକୁରଙ୍କ
ସ୍ନାନଯାତ୍ରା ଏବଂ ଅନବସର ନୀତି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ରଥ ନିର୍ମାଣ ଏବଂ ରଥଯାତ୍ରା ସହ ସଂପୃକ୍ତ ସବୁ ସେବକଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସ୍ଥିର କରାଯାଇଛି।
ବୁଧବାରଠାରୁ ମହାରଣା, ଭୋଇ, ରୂପକାର ଏବଂ କମାର ସେବକଙ୍କ କୋଭିଡ୍‌ ପରୀକ୍ଷା କରାଯିବ। ଦଇତାପତି ନିଯୋଗ ସଭାପତି ରବି ଦାସମହାପାତ୍ର, ସମ୍ପାଦକ ଦୁର୍ଗାପ୍ରସାଦ ଦାସମହାପାତ୍ର, ପରିଚାଳନା କମିଟି ସଭ୍ୟ ରାମଚନ୍ଦ୍ର ଦାସମହାପାତ୍ର, ହଳଧର ଦାସମହାପାତ୍ର, ରାମକୃଷ୍ଣ ଦାସମହାପାତ୍ର ଏବଂ ରାଜ କୁମାର ସ୍ବାଇଁ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.