ରଥଖଳା ଖବର : ପଡ଼ିଲା ପୋଟଳ, ପାରାଭାଡ଼ି

ପୁରୀ : ନିର୍ମାଣାଧୀନ ତିନିରଥରେ ଶୁକ୍ରବାର ପୋଟଳ ଏବଂ ପାରାଭାଡି ପକାଯାଇଛି। ସେଥିରେ ଖପୁରି ଲଗାଯାଇଛି। ଶନିବାର କଳସ ଏବଂ ଓଲଟଶୁଆ ଲଗାଯିବ। ସେଗୁଡିକୁ ଏବେ ରଙ୍ଗ କରାଯାଉଛି। ପ୍ରତି ରଥପାଇଁ ଦୁଇଟି ଲେଖାଏ ଦୁଆରବେଢା ନିର୍ମାଣ କରାଯାଇଛି। ରଥରେ ପଟା ପକାଯାଉଛି। ରଥ ଚାଳିରେ ଗୁଣ୍ଠିଆ କାମ ଚାଲିଛି। କୋଣଗୁଜରେ ଖୋଦେଇ ହୋଇଥିବା ନୃସିଂହମୂର୍ତ୍ତି ଗୁଡିକୁ ଚିତ୍ରକାର ରଙ୍ଗ କରୁଛନ୍ତି। ପଟାଗୁଜରେ ସିଂହବିରାଳ, ଗଜବିରାଳ, ନରବିରାଳ ଏବଂ ଗଜସିଂହ ଖୋଦେଇ କରାଯାଉଛି। ରଥଚକ ଏବଂ ଦଣ୍ଡା ଗୁଡିକୁ ରଙ୍ଗ କରାଯାଉଛି। ପାର୍ଶ୍ବ ଦେବଦେବୀ ଏବଂ କଳସ ରଙ୍ଗକାର୍ଯ୍ୟ ଚାଲିଛି। ଦରଜି ସେବକମାନେ ରଥକନା କାଟିବା ପରେ ଜରିଫିତା ଲଗାଇ ସିଲାଇ କରୁଛନ୍ତି। ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଧୂଳିଦଣ୍ଡା ଏବଂ ବିଡ଼ିଆକଣ୍ଟା ପ୍ରସ୍ତୁତ କରାଯାଉଛି। ସେଗୁଡିକ ରଥଦଣ୍ଡାରେ ଲଗାଯିବ।

Comments are closed.