ନାକଚଣାଦ୍ବାର ସମ୍ମୁଖରେ ତିନିରଥ

0

ପୁରୀ: ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁରୁବାର ଦକ୍ଷିଣମୋଡ କରାଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ବାରରେ ଥିବା ତିନିରଥକୁ ନାକଚଣାଦ୍ବାର ସମ୍ମୁଖକୁ ନିଆଯାଇଛି। ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସକାଳଧୂପ ପରେ ୩ଜଣ ପୂଜାପଣ୍ଡା ସେବକ ତିନିଠାକୁରଙ୍କ ଆଜ୍ଞାମାଳ ଧରି ଶୋଭାଯାତ୍ରାରେ ରଥପାଖକୁ ଯାଇଥିଲେ। ତିନିରଥରେ ଆଜ୍ଞାମାଳ ଲାଗି କରାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ରଥ ଦକ୍ଷିଣମୋଡ। ପରମ୍ପରା ଅନୁଯାୟୀ ଭକ୍ତମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିଥିଲେ। ଏହାପରେ ତାଳଧ୍ବଜ ଓ ନନ୍ଦିଘୋଷ ରଥ ଟଣାଯାଇଥିଲା। ରଥର ଆଗ ଓ ପଛରେ ଦଉଡି ସଂଯୋଗ କରାଯାଇଥିଲା। ଘଣ୍ଟୁଆଙ୍କ ଘଣ୍ଟବାଦ୍ୟରେ ଉଛୁଳୁଥିଲା ଶରଧାବାଲି। ପ୍ରବଳ ଉତ୍କଣ୍ଠାର ସହ ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିଥିଲେ। ସନ୍ଧ୍ୟା ସୁଦ୍ଧା ତିନିରଥ ନାକଚଣାଦ୍ବାର ସମ୍ମୁଖରେ ପହଞ୍ଚିଛି। ଗୁରୁବାର ସକାଳ ୬ଟା ୨୫ରେ ମନ୍ଦିରଦ୍ବାର ଫିଟାଯାଇ ୬ଟା ୪୫ରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ କରାଯାଇଥିଲା। ୮ଟା ୨୦ରେ ଅବକାଶ ଓ ଦିନ ୧୧ଟା ୧୫ରେ ଗୋପାଳବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା। ୧୨ଟା ୪୫ରେ ସରିଥିଲା ସକାଳଧୂପ। ଘଣ୍ଟ, ଘଣ୍ଟା, କାହାଳୀ ସହ ଶୋଭାଯାତ୍ରାରେ ପୂଜାପଣ୍ଡା ସେବକ ଦିନ ୨ଟା ୫ରେ ଆଜ୍ଞାମାଳ ବିଜେ କରିଥିଲେ। ଦିନ ୨ଟା ୨୦ରେ ଦର୍ପଦଳନ ରଥ ଦକ୍ଷିଣମୋଡ ହୋଇଥିଲା। ନାକଚଣାଦ୍ବାର ସମ୍ମୁଖରେ ଦର୍ପଦଳନ ପହଞ୍ଚିବାପରେ ଅପରାହ୍ଣ ୩ଟା ୪୫ରେ ତାଳଧ୍ବଜ ଦକ୍ଷିଣମୋଡ କରାଯାଇଛି। କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ଦକ୍ଷିଣମୋଡ କରିବାକୁ ଭକ୍ତଙ୍କ ଗହଳି ଦେଖାଦେଇଥିଲା।
ଜୟ ଜଗନ୍ନାଥ ଧ୍ବନି ସହ ଲୋକେ ରଥ ଟାଣିଥିଲେ। ଅପରାହ୍ଣ ୪ଟା ୪୫ରେ ନନ୍ଦିଘୋଷ ରଥ ଦକ୍ଷିଣମୋଡ ଆରମ୍ଭ ହୋଇ ରାତି ୭ଟା ୨୦ରେ ଶେଷ ହୋଇଛି। ୨୨ତାରିଖ ରବିବାର ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହ ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ବାହୁଡାଯାତ୍ରା କରିବେ। ପ୍ରଶାସନ ପକ୍ଷରୁ ବାହୁଡାଯାତ୍ରା ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି।

Leave A Reply