ରସିଦ୍ ହେଲେ ବିଶ୍ୱକପ୍‌ର ସବୁଠାରୁ ମହଙ୍ଗା ବୋଲର

ମାଞ୍ଚେଷ୍ଟର: ଆଫ୍‌ଗାନିସ୍ତାନର ଲେଗ୍‌ସ୍ପିନର ରସିଦ୍ ଖାଁ ଆଇସିସି ଦିନିକିଆ ମାନ୍ୟତାରେ ୩ନଂ ଓ ଟ୍ବେଣ୍ଟି୨୦ ମାନ୍ୟତାରେ ୧ନଂ ବୋଲର। ଏହାସତ୍ତ୍ବେ ମଙ୍ଗଳବାର ଚଳିତ ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ମ୍ୟାଚ୍‌ରେ ରସିଦ୍‌ଙ୍କ ନାମରେ ଏପରି ରେକର୍ଡ ପ୍ରତିଷ୍ଠା ହୋଇଛି; ଯାହା ତାଙ୍କ ଖ୍ୟାତିରେ ଦାଗ ଲଗାଇବ ନିଶ୍ଚିତ। ରସିଦ୍ ଖାଁ ବିଶ୍ୱକପ୍ ଇତିହାସରେ ସବୁଠାରୁ ମହଙ୍ଗା ବୋଲର ହୋଇଛନ୍ତି। ରସିଦ୍ ୯ ଓଭରରୁ ୧୧୦ ରନ୍‌ ଦେଇ କୌଣସି ୱିକେଟ ପାଇନଥିଲେ। ଇଂଲଣ୍ଡର ଅଧିନାୟକ ଇଓନ୍ ବିସ୍ଫୋରକ ବ୍ୟାଟିଂ କରିବାରୁ ରସିଦ୍‌ଙ୍କର ଏପରି ଦଶା ହୋଇଛି।

ରସିଦ୍‌ଙ୍କ ପୂର୍ବରୁ ବିଶ୍ବକପ୍‌ରେ ସବୁଠାରୁ ମହଙ୍ଗା ବୋଲର ଥିଲେ ନ୍ୟୁଜିଲାଣ୍ଡର ମାର୍ଟିନ୍ ସ୍ନେଡେନ୍। ୧୯୮୩ ବିଶ୍ୱକପ୍‌ରେ ସ୍ନେଡେନ୍ ୧୨ ଓଭରରୁ ୧୦୫ ରନ୍ ଦେଇଥିଲେ। ତେବେ ରସିଦ୍ ଏହି ମ୍ୟାଚ୍‌ରେ ମାତ୍ର ୯ ଓଭରରୁ ୧୧୦ ରନ୍ ଦେଇଛନ୍ତି। ୫୦ ଓଭରର ବିଶ୍ୱକପ୍‌ରେ ସବୁଠାରୁ ମହଙ୍ଗା ବୋଲର ଥିଲେ ୱେଷ୍ଟଇଣ୍ଡିଜ୍‌ର ଜେସନ୍ ହୋଲ୍‌ଡର। ଏହି ପେସ୍ ବୋଲର ୨୦୧୫ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦ ଓଭରରୁ ୧୦୪ ରନ୍ ଦେଇଥିଲେ। ୫୦ ଓଭରର ମ୍ୟାଚ୍‌ରେ ଏକ ଇନିଂସରେ ୧୦୦ରୁ ଅଧିକ ରନ୍ ଦେଇଥିବା ୪ର୍ଥ ବୋଲର ହେଲେ ଆଫ୍‌ଗାନିସ୍ତାନର ଦୱାଲତ ଜାଦ୍ରାନ୍। ୨୦୧୫ ବିଶ୍ବକପ୍‌ରେ ଅ​‌େ​‌ଷ୍ଟ୍ରଲିଆ ବିପକ୍ଷରେ ଜାଦ୍ରାନ୍ ୧୦୧ ରନ୍ ଦେଇଥିଲେ। ଦିନିକିଆ ଇତିହାସରେ ରସିଦ୍ ଖାଁ ୨ୟ ସବୁଠାରୁ ମହଙ୍ଗା ବୋଲର ହୋଇଛନ୍ତି। ୨୦୦୬ରେ ଜୋହାନସବର୍ଗରେ ଅଷ୍ଟ୍ରେଲିଆର ମାଇକେଲ ଲୁଇସ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦ ଓଭରରୁ ୧୧୩ ରନ୍ ଦେଇଥିଲେ। ତାଙ୍କ ପଛକୁ ପାକିସ୍ତାନର ୱହାବ୍ ରିଆଜ୍ ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ୧୦ ଓଭରରୁ ୧୧୦ ରନ୍ ଦେଇଛନ୍ତି। ରିଆଜ୍‌ଙ୍କ ସହ ସମକକ୍ଷ ହୋଇଛନ୍ତି ରସିଦ୍। ତାଙ୍କ ୯ ଓଭରରେ ରସିଦ୍ ୧୧ଟି ଛକା ଦେଇଥିଲେ; ସେଥିରୁ ୭ଟି ଛକା ଇଓନ୍ ମୋର୍ଗାନ୍ ମାରିଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ରସିଦ୍‌ଙ୍କ ସବୁଠାରୁ ମହଙ୍ଗା ସ୍ପେଲ୍‌ ଥିବା ୧୦ ଓଭରରୁ ୬୮ ରନ୍।

Comments are closed.